ପାରାଦ୍ବୀପ/ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ନେହେରୁବଙ୍ଗଳା ମୁହାଣ ମୁହଁ ରେ ମାଛଧରା ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି। ତେବେ ୧୫ ଜଣ ମସ୍ର୍ୟଜିବୀ ମା କାଳୀ ନାମକ ଏକ ଡଙ୍ଗା ରେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା। ଉଚ୍ଚ ଢେଉ ଓ ପ୍ରବଳ କରେଣ୍ଟ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଫଳରେ ୧୫ ଜଣ ଯାକ ମତ୍ସ୍ୟଜୀବୀ ସମୁଦ୍ରରେ ବୁଡି ଯାଇଥିଲେ। ଏହି ସମୟରେ ଦେବଦୂତ ସାଜିଥିଲେ ସେଠାରୁ କିଛି ଦୂରରେ ଏକ ହୁଲି ଡଙ୍ଗାରେ ମାଛ ଧରୁଥିବା ବାବୁ ମିର୍ଦା। ସେ ଏକୁଟିଆ ପ୍ରବଳ କରେଣ୍ଟ ଓ ଉଚ୍ଚା ଲହଡ଼ି କୁ ଖାତିର ନକରି ନିଜ ଜୀବନକୁ ବାଜିରେ ଲଗାଇ ଉଦ୍ଧାର କରିଥିଲେ ୧୫ ଜଣ ମସ୍ର୍ୟଜିବୀ ଙ୍କୁ। ତେବେ ଏମାନଙ୍କ ମଧ୍ୟରୁ ଗୁରୁଚାନ୍ଦ ରାଏ ଓ ବିଦୁଭୂଷଣ ମାଇତି ନାମକ ଦୁଇ ମତ୍ସ୍ୟଜୀବୀ ଙ୍କ ମୃତ୍ୟୁ ହୋଇଥିଲା ବେଳେ ଭୀମ ମଣ୍ଡଳ ଓ ନୀଳକଣ୍ଠ ବୈଦ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁଇ ମୃତଦେହ ସମେତ ସମସ୍ତ ମତ୍ସ୍ୟଜୀବୀ ଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପାରାଦ୍ବୀପ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ୪ ଦଫା ଦାବୀ କୁ ନେଇ ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ପକ୍ଷରୁ ସାମୁଦ୍ରିକ ମାଛ ନ ଧରିବା ପାଇଁ ଘୋଷଣା କରାଯାଇଥିବାରୁ କୌଣସି ବୋଟ କିମ୍ବା ଯନ୍ତ୍ର ଚାଳିତ ଡଙ୍ଗା ସମୁଦ୍ରକୁ ମାଛ ଧରିବା ପାଇଁ ଯାଉ ନାହାନ୍ତି। ଯେଉଁଥି ପାଇଁ ଡଙ୍ଗା ବୁଡି ସମୟରେ ଅନ୍ୟ ମତ୍ସ୍ୟଜୀବୀ ଏ ସମ୍ପର୍କରେ ସୂଚନା ପାଇପାରି ନଥିଲେ।