ସାଧାରଣ ମୁଲିଆ ପରିବାରରୁ ରାଜନେତା : ବିଷ୍ଣୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0 1,031

ପ୍ରଶାନ୍ତ କୁମାର ବେହେରା

” ମୋ ବାପା ନିରକ୍ଷର, ମା ମଧ୍ୟ ନିରକ୍ଷର l ଗୋଟିଏ ଖୁବ୍ ଗରୀବ ସାଧାରଣ ମୂଲିଆ ପରିବାରରେ ମୋର ଜନ୍ମ । ଦିନକୁ ଦୁଇ ବେଳା ପେଟପୁରା ଖାଇବାକୁ ମିଳିବା ମଧ୍ୟ ସମ୍ଭବ ନଥିଲା । ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ସଦିଚ୍ଛା ବଳରେ ମୁଁ ଆଜି ଯାହା କିଛି ହୋଇଛି l ମୋ ସଫଳତାର ସମସ୍ତ ଶ୍ରେୟ ଆପଣମାନଙ୍କର ।” – ତା ୧୭/୦୫/୨୦୦୬ ରିଖରେ ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦ ମଣ୍ତନ କରିବାର ଠିକ୍ ୪ ଦିନ ପରେ ଜଗତସିଂହପୁର ଜିଲ୍ଲାପାଳଙ୍କ ପଡିଆରେ ନାଗରିକ ସମ୍ୱର୍ଦ୍ଧନାର ଉତ୍ତର ଦେବାକୁ ଯାଇ ଯେ ଏପରି ସ୍ପଷ୍ଟ , ନିର୍ଦ୍ଦିଷ୍ଟ ଓ ସ୍ପର୍ଦ୍ଧିତ ସ୍ୱୀକାରୋକ୍ତି ପ୍ରଦାନ କରିଥିଲେ, ସେ ଥିଲେ – ଶ୍ରୀଯୁକ୍ତ ବିଷ୍ଣୁ ଦାସ l

ଜୀବନର ପଥେ ପଥେ ଅନେକ ବାଧା, ଅନେକ ଝଡଝଞ୍ଜା, କେତେ ଦୁଃଖ, ତେବେ ଲକ୍ଷ୍ୟ ଥିଲା ଭିଡ ଭିତରେ ଅନ୍ୟମାନଙ୍କ ମଧ୍ଯରୁ ସ୍ପଷ୍ଟ ଭାବରେ ବାରୀ ହୋଇଯିବା l ମଣିଷ ଭଳି ମଣିଷଟିଏ ହେବା l ସେଇ ଲକ୍ଷ୍ୟକୁ ପାଥେୟକରି ଅହରହ ଆଗେଇ ଚାଲିଥିଲେ କଣ୍ଟକିତ ଜୀବନ ରାସ୍ତାରେ ଯିଏ ସେ ଥିଲେ – ବିଷ୍ଣୁ ଦାସ l

ଆଜ୍ଞା ହଁ, ସେତେବେଳର ଅବିଭକ୍ତ କଟକ ଜିଲ୍ଲା, ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ସିପି ମକୁନ୍ଦପୁର ଗ୍ରାମରେ
ତା ୦୯/୧୦/୧୯୫୪ ରିଖରେ ଜନ୍ମଗ୍ରହଣ କରିଥିଲେ ଓଡିଶାର ସେଇ ସ୍ୱନାମଧନ୍ୟ ରାଜନୀତିଜ୍ଞ ଶ୍ରୀଯୁକ୍ତ ବିଷ୍ଣୁ ଦାସ l

ସତରେ ଏଇ ବିଷ୍ଣୁ ଦାସ – ରଜନୀତି କ୍ଷେତ୍ରରେ ଏକ ସୁପରିଚିତ ସମ୍ୱୋଧନ l ଆଜି ପଛକୁ ଫେରି ଚାହିଁଲେ ଦିଶିଯାଏ କେବଳ ସାଧନାର ସେହି ଲମ୍ୱାରାସ୍ତା l ଓଡିଶା ରାଜନୀତିର ଏହି ମହାନ ବ୍ୟକ୍ତିତ୍ୱ ନିଜର ନିଷ୍ଠାପରତା, ନିର୍ଭିକତା ଓ ଅସୀମ ଧର୍ଯ୍ୟର ପରାକାଷ୍ଠା ଦେଖାଇ ରାଜନୀତି ମଇଦାନରେ କିପରି ସଫଳତାର ପାହାଚ ପରେ ପାହାଚ ଚଢି ଚାଲିଥିଲେ ତାହା ଓଡିଶା ରାଜନୀତିରେ ନିଶ୍ଚୟ ବିରଳ l

କଲେଜ ସଭାପତି ଭାବେ ବିଷ୍ଣୁ

ବିଷ୍ଣୁ ଦାସଙ୍କ ରାଜନୀତିର ମୂଳଦୁଆ ପଡିଥିଲା ଆମ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟରୁ l ଏଇଠି ପଢିବା ବେଳେ ସେ ୧୯୭୭ ରୁ ୧୯୮୦ ମସିହା ମଧ୍ୟରେ କ୍ରମାଗତ ତିନି ତିନି ଥର ଆମ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ପଦ ଅଳଂକୃତ କରି ଏକ ବିରଳ ରେକଡ ସ୍ଥାପନ କରିଥିଲେ ଯାହା ଏ ଯାବତ୍ କେହି ଭାଙ୍ଗି ନାହାନ୍ତି କି ଭବିଷ୍ଯତରେ ମଧ୍ୟ କେହି ଭାଙ୍ଗିବାର ପ୍ରଶ୍ନ ହଁ ଉଠୁନି l ଏଠି ପଢୁଥିବା ବେଳେ ଏହି ମହାନ ବ୍ୟକ୍ତିତ୍ୱ ଏକଦା ଆମ ଛାତ୍ରାବାସର ଅନ୍ତେବାସୀ ଭାବରେ ପାଞ୍ଚନମ୍ୱର ପ୍ରକୋଷ୍ଠରେ ଅବସ୍ଥାନ କରୁଥିଲେ l ନିଜର ରାଜନୀତି ଜୀବନର ଶିଖରରେ ଥିବାବେଳେ ବହୁବାର କଲେଜକୁ ଆସିଛନ୍ତି l ଦୀର୍ଘ ୨୦ ବର୍ଷଧରି ଆମ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଏବଂ ତା’ ପୂର୍ବରୁ ଦୀର୍ଘ ୧୦ ବର୍ଷ କାଳ ପରିଚାଳନା ସମିତିର ଜଣେ ସକ୍ରିୟ ସଭ୍ୟ ଭାବରେ କଲେଜର ବହୁବିଧ ଉନ୍ନତି କରିବାରେ ତାଙ୍କ ଭୁମିକାକୁ କେହି ବି ଅସ୍ୱୀକାର କରିବେ ନାହିଁ l କଲେଜର ନୂତନ ବିଜ୍ଞାନ ବିଭାଗ, ୧୦୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍, ନୂତନ ଲେଡିଜ୍ ହଷ୍ଟେଲ୍, କମର୍ସ ବ୍ଲକ୍, ଶ୍ରୀପତି ଲାଇବ୍ରେରୀ ସବୁଠି ବିଷ୍ଣୁ ଦାସଙ୍କ ହାତର କାଉଁରି ଷ୍ପର୍ଶ ବିଦ୍ୟମାନ l

ଏଇ ଦୁଇ ବର୍ଷ ତଳେ କଲେଜର ବିଜୁ ପଟ୍ଟନାୟକ ଅଡିଟୋରିୟମରେ କଲେଜ ସହିତ ଥିବା ତାଙ୍କର ସଂମ୍ପର୍କକୁ ଖୁବ୍ ଭାବବିହ୍ୱୋଳ ହୋଇ କହିଥିଲେ, ” ଏଇ କଲେଜ ମୋ ପାଇଁ ସବୁକିଛି ! ମୋ ଜୀବନରେ ଏଇ କଲେଜକୁ ଛାଡିଦେଲେ ଦ୍ୱିତୀୟ କୌଣସି ଆକର୍ଷଣ ହିଁ ନାହିଁ l ଆମ କଲେଜ କଥା ସବୁବେଳେ ମୋ ହୃଦୟରେ ରହିଥାଏ l “— ଏଇ ବକ୍ତବ୍ୟ ହିଁ ଦର୍ଶାଇ ଦେଉଛି ସେ କଲେଜକୁ କେତେ ଭଲ ପାଉଥିଲେ, କେତେ ନିଜର ବୋଲି ଭାବୁଥିଲେ l

ବିଷ୍ଣୁ ଦାସ ଛାତ୍ରରାଜନୀତିରୁ ନିଜ ବ୍ୟକ୍ତିତ୍ୱର ବିକାଶ ଘଟାଇ କିଛି ଦିନପାଇଁ ଓକିଲାତିକୁ ପେଶା ଭାବରେ ଗ୍ରହଣ କରିଥିଲେ l କିନ୍ତୁ ରାଜନୀତିର ନିଶା ତାଙ୍କୁ ସେଇ ପେଶାରୁ ଦୂରେଇ ନେଇଥିଲା l ୧୯୮୦ ମସିହାର ଛବିରାଣୀ ଗଣଧର୍ଷଣ ଓ ହତ୍ୟାକାଣ୍ର ବିରୋଧରେ ଗଣଆନ୍ଦୋଳନ ଗଢିତୋଳିବାରେ ସେ ସାରଥି ସାଜିଥିଲେ l ଫଳତଃ ୧୯୯୦, ୧୯୯୫, ୨୦୦୦,୨୦୦୪ ଓ ୨୦୦୯ ମସିହାରେ କ୍ରମାଗତ ପାଞ୍ଚ ପାଞ୍ଚ ଥର ଜଗତସିଂହପୁର ଭଳି ସଚେତନଶୀଳ ନିର୍ବାଚନ ମଣ୍ତଳୀରୁ ବିପୁଳ ଜନସମର୍ଥନ ଲାଭକରି ସେ ବିଧାୟକ ଭାବରେ ନିର୍ବାଚିତ ହେବାର ରେକର୍ଡ ସୃଷ୍ଟି କରିଥିଲେ l ୨୦୦୬ ମସିହାରେ ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବରେ ପାଖା ପାଖି ଦେଢ ବର୍ଷ ଦାୟୀତ୍ୱ ନିର୍ବାହ କରିଥିଲେ l ତା ୦୨/୦୭/୨୦୧୬ ରିଖରୁ ତା ୨୧/୦୩/୨୦୧୭ ରିଖ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବରେ ଏବଂ ତା ୨୧/୦୩/୨୦୧୭ ରିଖରୁ ଆମ ରାଜ୍ୟ ଓଡିଶାର ପ୍ଲାନିଙ୍ଗ୍ ବୋର୍ଡ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରି ନିଜର ରାଜନୈତିକ ପରାକାଷ୍ଠା ଦେଖାଇଥିଲେ lସେହିପରି ଜିଲ୍ଲା ବିଜେଡି ସଭାପତି,ରାଜ୍ୟ ଅନୁସୂଚିତ ଜନଜାତି ସେଲର ଆବାହକ, ରାଜ୍ୟ ସ୍କାଉଟ୍ ଗାଇଡ ସଭାପତି ସହିତ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ନିଜର ପତିଆରା ରାଜନୀତିରେ ସେ ଛାଡିଯାଇଛନ୍ତି । ୨୦୧୯ ମସିହାରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l

ଆଜି ଜଗତସିଂହପୁର ଯେଉଁ ଜିଲ୍ଲାର ମାନ୍ୟତା ପାଇଛି, ସେଥିପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରେ ଯଦି ୨ୟ ଲୋକ ହିସାବରେ ଆଉ କାହାକୁ ଶ୍ରେୟ ଯିବ ତାହେଲେ ସେ ହେଉଛନ୍ତି ବିଷ୍ଣୁ ଦାସ l

ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ବିଷ୍ଣୁ ଭାଇ ବୋଲି ଡାକୁଥିଲେ l ଲୋକଙ୍କର ସେଇ ‘ ଭାଇ ଡାକ ‘ ତାଙ୍କୁ ଖୁବ୍ ଖୁସି ଦିଏ l ଗରୀବଙ୍କ ପାଇଁ ସବୁବେଳେ ଅଗଭର ହୋଇ ବାହାରୁଥିବା ବ୍ୟକ୍ତିତ୍ୱ ଥିଲେ l ସେଇଥିପାଇଁ ତାଙ୍କ ଘରଦ୍ୱାର ମୁହଁକୁ ଓଡିଶାର ବିଭିନ୍ନ ଅଞ୍ଚଳର ଲୋକ ସାହାର୍ଯ୍ୟ ପାଇଁ ଦୌଡି ଆସି ଖାଲି ହାତରେ କେବେ ଫେରି ନାହାନ୍ତି l ନିଜେ ଏତେ ତଳ ସ୍ତରରୁ ଉଠିଥିବାରୁ ଗରୀବଙ୍କ ଦୁଃଖକୁ ଅଙ୍ଗେ ଅଙ୍ଗେ ଅନୁଭବ କରୁଥିବା ଜଣେ ନେତା ଥିଲେ ସେ । ନିଜ ନିର୍ବାଚନ ମଣ୍ତଳୀର ସବୁ ଗାଁର ଲୋକ ମାନଙ୍କ ନାମ ମନ ଭିତରେ ରଖି ସମସ୍ତଙ୍କୁ ନାଁ ଧରି ଡାକିବା କେବଳ ବିଷ୍ଣୁ ଦାସଙ୍କ ଦ୍ୱାରା ହିଁ ସମ୍ଭବ ଥିଲା l ଏଥିରୁ ତାଙ୍କ ସ୍ମରଣ ଶକ୍ତି କେତେ ପ୍ରଖରଥିଲା ତାହା ଜଣାପଡେ l

ମୁୁଁ କଲେଜରେ ପଢୁଥିବା ସମୟରୁ ତାଙ୍କୁ ଦେଖି ଆସିଛି l ଅସୀମ ଧର୍ଯ୍ୟ ତାଙ୍କ ପାଖରେ ଦେଖୁବାକୁ ମିଳେ l ମୋତେ ସେ କେତେବେଳେ ପ୍ରଶାନ୍ତ , ଆଉ କେତେବେଳେ ଜଟିଆ ତ ପୁଣି ଆଉ କେତେବେଳେ ଟିକା ଡାକନ୍ତି l ଏ ସବୁ ଡାକରେ ମୁଁ କେମିତି ଗୋଟେ ନିଜର ଭାବ ପାଏ l ଗତ ବର୍ଷ କଲେଜକୁ ଆସିଥିବା ବେଳେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କୁ ଦେଖୁଦେଖୁ କହିଲେ , ” ଆରେ ତମେ କେବେ ଆସିଲ ଆମ କଲେଜକୁ ? ଯାହା ହେଉ ଭଲ ହେଲା । କିଛି ଦାୟୀତ୍ୱ ନୁବାକୁ ହେବ ଏଣିକି କଲେଜର l ” କହିବା ବାହୁଲ୍ୟ ସେ ଦୁର୍ଗା ସାରଙ୍କୁ ସେଇ ପଢିବା ସମୟରେ ହିଁ ଦେଖିଥିଲେ l କିନ୍ତୁ ଦୀର୍ଘ ୪୦ ବର୍ଷ ପରେ ଦେଖୁ ଦେଖୁ ଅବିଳମ୍ୱେ ଚିହ୍ନି ଦେବାର କ୍ଷମତା ବୋଧହୁଏ କେବଳ ବିଷ୍ଣୁ ଦାସଙ୍କର ଥିଲା l

ବିଷ୍ଣୁ ଦାସଙ୍କ ରାଜନୈତିକ ଜୀବନରେ ବହୁ ବାଦ ବିବାଦ ଉଠିଛି l ବହୁ ଆଲୋଚନା , ସମାଲୋଚନାର ଶରବ୍ୟ ହୋଇମଧ୍ୟ ସେ ସବୁବେଳେ ମହାମେରୁ ପରି ସ୍ଥିର ଆଉ ନିଶ୍ଚିତ ହୋଇ ରହିଥିଲେ l ରାଜନୈତିକ ଜୀବନରେ ଅହରହ ଲଢେଇ କରି ଆଗକୁ ବଢିବାର ଆଦମ୍ୟ ସାହସ କେବଳ ତାଙ୍କ ପାଖରେ ଦେଖା ଯାଉଥିଲା l ସ୍କୁଲ୍ ଓ କଲେଜରେ ପଢିବା ବେଳେ ଜିଲ୍ଲାର ଜଣେ ସଫଳ ଫୁଟବଲ୍ ଖେଳାଳି ଭାବରେ ନିଜକୁ ଘରେ ଘରେ ପରିଚିତ କରି ପାରିଥିଲେ l ମାଟ୍ରିକୁଲେସନ୍ ପଢିବା ବେଳେ ଖୁବ୍ ଅସୁବିଧାରେ ପଡି ଆତ୍ମହତ୍ୟା କରିବାର ନିଷ୍ପତି ନେଇ ମଧ୍ୟ ପୁଣି ଜୀବନର ମୂଖ୍ୟ ସ୍ରୋତକୁ ଫେରି ସାରା ଓଡିଶାର ରାଜନୈତିକ ଆକାଶରେ ପ୍ରତିଷ୍ଠିତ ହେବା କମ୍ କଥା ନଥିଲା l

ଅାଜି ସେଇ ମହାନ ବ୍ୟକ୍ତି ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି l ସେ ଆଉ ଆମ ଗହଣରେ ନାହାନ୍ତି l ବ୍ରେନ ହାମରେଜ ଯୋଗୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଗତ ୧୦ ଦିନରୁ ଉର୍ଦ୍ଧ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି l ଜଗତସିଂହପୁର ମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କ ବିୟୋଗରେ ଏକ ଯୁଗର ଅବସାନ ହେଲା।

ଭଗବାନ ଆପଣଙ୍କ ଅମର ଆତ୍ମାକୁ ସଦ୍ ଗତି ପ୍ରଦାନ କରନ୍ତୁ ।
ଆପଣଙ୍କ ସହିତ ବିତାଇ ଥିବା ପ୍ରତ୍ୟେକ ମୁହୂର୍ତ୍ତ ଚିର ସ୍ମରଣୀୟ ହୋଇ ରହିବ।

ପ୍ରଣାମ l


ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l

Leave A Reply

Your email address will not be published.

18 + 6 =