କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ

0 589

ଭୁବନେଶ୍ୱର : ହିଞ୍ଜିଳିର ସମାଜ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି l ଭୁବନେଶ୍ୱର କୀମସ କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକ ଖେଳି ଯାଇଛି। କରୋନାରେ ପ୍ରାଣ ହରାଇବାରେ ସେ ରାଜ୍ୟର ପ୍ରଥମ କରୋନା ଯୋଦ୍ଧା ସାମ୍ବାଦିକ।

କରୋନା ସମୟରେ ସେ ସାହସର ସହ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଥିତାବସ୍ଥା ସମ୍ପର୍କରେ ଖବର ସଂଗ୍ରହ କରିବା ଏବଂ ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁ କରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଗତମାସ ୨୬ ତାରିଖରୁ ସେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଧିରେ ଧିରେ କାଶ ଓ ଥଣ୍ଡା ଲାଗି ରହିବାରୁ ସେ ସ୍ବାବ ନମୁନା ପରୀକ୍ଷା ପାଇଁ ନିଜ ଆଡୁ ଦେଇଥିଲେ। ଜୁଲାଇ ୧ରେ ସ୍ବାବ ରିପୋର୍ଟ ପଜିଟିଭ ଆସିବା ବେଳକୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ସେହିଦିନ ରାତିରେ ତତ୍କାଳ ହିଞ୍ଜିଳିକାଟୁ କୋଭିଡ କେର ସେଣ୍ଟରକୁ ନିଆଯାଇଥିଲା। ସେଠାରୁ ସେହିଦିନ ବିଳମ୍ବିତ ରାତିରେ ତାଙ୍କୁ ଶୀତଳାପଲ୍ଲୀ କୋଭିଡ ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୨ତାରିଖରେ କିମସ୍ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ୫ ତାରିଖରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ବେ ଆଜି ସକାଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।

ହିଞ୍ଜିିଳିକାଟୁ ପାଟଣାସାହି ନିବାସୀ ସ୍ବର୍ଗତ ମଦନମୋହନ ପଟ୍ଟନାୟକ ଓ ସ୍ବର୍ଗତା କନକଲତା ପଟ୍ଟନାୟକଙ୍କ ପାଞ୍ଚ ପୁଅ-ଝିଅ ମଧ୍ୟରେ ସବା ସାନପୁଅ ପ୍ରିୟଦର୍ଶୀ ଜଣେ ସ୍ବେଚ୍ଛାସେବୀ ଭାବେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସାମ୍ବାଦିକତା କ୍ଷେତ୍ରରେ ପାଦ ଥାପିଥିଲେ। ୨୦୧୪ ମସିହାରେ ସେ ସମାଜର ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ଭାବେ କାମ କରି ଅଞ୍ଚଳର ବହୁ ଜନହିତକର ଖବର ପରିବେଶଣ କରି ଘରେ ଘରେ ପରିଚିତି ଥିଲେ। ଜଣେ ପରୋପକାରୀ, ବନ୍ଧୁବତ୍ସଳ ତଥା ସମସ୍ତଙ୍କ ସ୍ନେହ ଓ ଆଦରର ପ୍ରିୟଦର୍ଶୀ ଦଳମତ ନିର୍ବିଶେଷ​‌ରେ ସମସ୍ତଙ୍କ ପ୍ରିୟପାତ୍ର ପାଲଟିଥିଲେ। ଉନ୍ନତମାନର ଖବର ପରିବେଶଣ ପାଇଁ ‘ସମାଜ’ ଶତବାର୍ଷିକୀ ସମାରୋହରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ମଧ୍ୟ ସେ ସମ୍ମାନିତ ହୋଇଥିଲେ।

ପ୍ରିୟଦର୍ଶୀଙ୍କ ମୃତ୍ୟୁରେ ‘ସମାଜ’ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ତାଙ୍କ ସମ୍ମାନାର୍ଥେ ଏକ ଶୋକସଭା ଆୟୋଜନ କରାଯାଇ ଦୁଇମିନିଟ ନିରବ ପ୍ରାର୍ଥନା ପୂର୍ବକ ଅମର ଆତ୍ମାର ସଦଗତି କାମନା କରାଯାଇଛି। ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଶୋକ ପ୍ରକାଶ ସହ ଏହି ଘଡି ସନ୍ଧି ମୁହୂର୍ତ୍ତରେ ରିପୋର୍ଟିଂ ବେଳେ ଅଧିକ ସତର୍କ ହେବାକୁ କୁହାଯାଇଛି l

Leave A Reply

Your email address will not be published.

5 × four =