ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା
ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା ୧୯୬୩ ମସିହାରେ l ଏହାର ପାଞ୍ଚ ବର୍ଷ ପୂର୍ବରୁ ୧୯୫୮ ମସିହାରେ ପଣ୍ତିତ ପ୍ରାଣକୃଷ୍ଣ ପଢିହାରୀଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଆମ କଲେଜ ପାଇଁ ତାଙ୍କର ରହିଥିବା କିଛି ଅବଦାନ ବିଷୟରେ ଉଲ୍ଲେଖ କରିବା ମୋର ଏହି ଆଲେଖ୍ଯର ମୂଳ ଉଦ୍ଦେଶ୍ୟ l କଲେଜ ବିଷୟରେ ହେଉ ଅବା କଲେଜକୁ ଗଢି ତୋଳିବାରେ ଯେଉଁ ମହାନ୍ ବ୍ୟକ୍ତି ମାନଙ୍କର ଭୁମିକା ରହିଛି ତାଙ୍କ ବିଷୟରେ ଲେଖିବା ପୂର୍ବରୁ ମୁଁ ବିଭିନ୍ନ ସୁତ୍ରରୁ ପ୍ରଥମେ ତଥ୍ୟ ସଂଗ୍ରହ କରେ l ସେଇ ତଥ୍ୟକୁ ବିଭିନ୍ନ ଦିଗରୁ ତଉଲା ତଉଲି କରିସାରିବା ପରେ ମୋ ଆଲେଖ୍ୟକୁ ପ୍ରସ୍ତୁତ କରେ l ଏମିତିରେ ଆମ କଲେଜ ପ୍ରତିଷ୍ଠା ହେବାର ୮ ବର୍ଷପରେ ଅର୍ଥାତ୍ ୧୯୭୧ ମସିହାରେ ମୋର ଜନ୍ମ l ସେଥିପାଇଁ କଲେଜ ପ୍ରତିଷ୍ଠା ସମୟର କଥାସବୁ ମୋ ଆଖିଆଗରେ ଘଟିନାହିଁ l ଯେଉଁ ମହାତ୍ମାମାନେ ଏଇ କଲେଜକୁ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୁମିକା ନେଇଥିଲେ, ସେମାନେ ସମସ୍ତେ ଆଜି ଆରପାରିରେ l ତେଣୁ କଲେଜକୁ ଜଡିତକରି ମୋର ସମସ୍ତ ଲେଖା କଲେଜରେ ହେଉ ବା ଅନ୍ୟତ୍ର ଉପଲବ୍ଧଥିବା ତଥ୍ୟସବୁକୁ ବାରମ୍ୱାର ପଢାପଢି କରି ଏହାକୁ ସଜାଇ ଭାଷାଦେଇ ମୋର ଆଲେଖ୍ଯକୁ ପ୍ରସ୍ତୁତ କରିଥାଏ l ମୋର ଏଇସବୁ ଲେଖାର ମୂଳ ଉଦ୍ଦେଶ୍ୟ ହେଉଛି , ଆମର ଏଇ ପିଢି ସହିତ ଭବିଷ୍ୟତ ପିଢି ମଧ୍ୟ କଲେଜ ବିଷୟରେ ସମସ୍ତକଥା ଜାଣନ୍ତୁ l ତଥ୍ୟ ରଖୁଥିବା ବେଳେ ଯଦି କେଉଁଠି କିଛି ଭୁଲକଥା ମୋ ଅଜାଣତରେ ଆସିଥିବ ସେଥିପାଇଁ ଆପଣମାନଙ୍କର ମହାନ ଗୁଣରେ କ୍ଷମା କରିଦେବେ ବୋଲି ଆଶା ଓ ବିଶ୍ୱାସ ରଖୁଛି l
ମୋର ଏହି ଆଲେଖ୍ୟର ପ୍ରଥମ ଭାଗରେ ରହିଛି ପ୍ରାଣକୃଷ୍ଣ ପଢିହାରୀଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ ସହିତ ସମାଜ ସେବକର ଭୁମିକା ବିଷୟରେ l ଏହି ଲେଖାର ଦ୍ୱିତୀୟ ଭାଗରେ ଆମ କଲେଜ ପ୍ରତିିଷ୍ଠା ହେବାର ପ୍ରାରମ୍ଭିକ ଚେଷ୍ଟା ସହିତ ତାଙ୍କୁ ଜଡିତ କରି କିଛି ତଥ୍ୟ ଯାହା ଏଯାଏ ଠିକ୍ ଭାବରେ ଲୋକ ଲୋଚନକୁ ଆସିପାରି ନାହିଁ l
ଆମେ ସମସ୍ତେ ଜାଣୁ, ସମାଜସେବୀ ହେବାର ଗୌରବ ସମସ୍ତଙ୍କ ଭାଗ୍ୟରେ ନଥାଏ l କେବଳ ଯୋଗଜନ୍ମା ମାନେ ହିଁ ଏପରି ଗୌରବର ଅଧିକାରୀ ହୋଇ ଥାଆନ୍ତି l ଜଗତସିଂହପୁର ଐତିହାସିକ, ରାଜନୈତିକ, ଆଧ୍ୟାତ୍ମିକ ତଥା ସାହିତ୍ୟିକ ଦୃଷ୍ଟିକୋଣରୁ ସମଗ୍ର ଓଡିଶାରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ l ଆମ ଏସ୍.ଭି.ଏମ୍. କଲେଜ ଯେଉଁ ଅଳକା ନଦୀ କୁଳରେ ମୁଣ୍ଡଟେକି ଆଜି ଠିଆ ହୋଇଛି, ସେଠାରୁ ଅଳ୍ପ ଦୂରରେ ସୋମନାଥ ହାଟ ନକଟରେ ସେଇ ଅଳକାର ବାଲି ଉପରେ ଅଳକାଶ୍ରମ ପ୍ରତିଷ୍ଠା ହୋଇଥିଲା ୧୯୨୨ ମସିହାରେ, ମହାତ୍ମା ଗାନ୍ଧିଙ୍କର ଠିକ୍ ଓଡିଶା ଗସ୍ତ ପରେ ପରେ l
ଏହି ଅଳକାଶ୍ରମ ଜଗତସିଂହପୁର ସହର ଠାରୁ ମାତ୍ର ଏକ କିଲୋମିଟର ଦୂରରେ ସ୍ରୋତହରା ଅଳକା ନଦୀ କୂଳରେ ଜଗତସିଂହପୁର ମାଟିର ତ୍ୟାଗପୁତ ଖେରସ ଗ୍ରାମର ଗୋପବନ୍ଧୁ ଚୌଧୁରୀଙ୍କ ଉଦ୍ୟମରେ ନିକଟସ୍ଥ ଚାଟରା ଗ୍ରାମର ଜମିଦାର ବଂଶୀଧର ପଟ୍ଟନାୟକ ଦାନ ଦେଇଥିବା ଜମି ଉପରେ ପ୍ରତିଷ୍ଠା ହୋଇଥିଲା l ଭାରତୀୟ ମୁକ୍ତି ସଂଗ୍ରାମ ପାଇଁ ଏହି ଅଳକାଶ୍ରମର ଅବଦାନ ଅବିସ୍ମରଣୀୟ l ଏହି ଆଶ୍ରମର ଅନ୍ୟାନ୍ୟ ଉଦ୍ୟୋକ୍ତା ମାନଙ୍କ ମଧ୍ୟରେ ନିକଟସ୍ଥ ଜୟବଡ ଗ୍ରାମର ପଣ୍ତିତ ପ୍ରାଣକୃଷ୍ଣ ପଢିହାରୀ ଅନ୍ୟତମ ଥିଲେ l ସେ ୧୮୮୩ ମସିହା ଜାନୁଆରୀ ୨୧ ତାରିଖରେ ପିତା କାଳିନ୍ଦୀ ଚରଣ ପଢିହାରୀ ଓ ମାତା ପଟ୍ଟଦେବୀଙ୍କ ଓୌରସରୁ ଜନ୍ମଗ୍ରହଣ କରିଥିଲେ l
ସତରେ ପ୍ରାଣକୃଷ୍ଣ ପଢିହାରୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ କ୍ଷେତ୍ରରେ ଏକ ସୁପରିଚିତ ସମ୍ୱୋଧନ l ଜଗତସିଂହପୁର ମାଟିର ଏହି ସୁଯୋଗ୍ୟ ସନ୍ତାନ ଜୀବନର ଯେ କୌଣସି ଅବସ୍ଥାରେ ମଧ୍ୟ କ୍ଷମତା ମୋହରେ ପଡିନାହାନ୍ତି କିମ୍ୱା ଗାନ୍ଧିବାଦି ଆଦର୍ଶରୁ ତାଙ୍କ ଗୋଡ କେବେହେଲେ ଖସି ଯାଇନାହିଁ l ତାଙ୍କର ସରଳତା, ନିଷ୍ଠା ଓ ତ୍ୟାଗ କେବଳ ଜଗତସିଂହପୁର କାହିଁକି , ଓଡିଶା ସମେତ ସମଗ୍ର ଦେଶବାସୀଙ୍କୁ ଉଦବୁଦ୍ଧ କରୁଥିବ ଏଥିରେ ତିଳେହେଁ ସନ୍ଦେହ ନାହିଁ l
ପ୍ରାଣକୃଷ୍ଣ ପଢିହାରୀ ଜଗତସିଂହପୁରରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବାପରେ କଟକ ଏଲିମେଣ୍ଟରୀ ଟ୍ରେନିଂ ସ୍କୁଲରେ ନାମ ଲେଖାଇଥିଲେ l ସେଠାରେ ଭକ୍ତକବି ମଧୁସୂଦନ ରାଓ ଓ ଚନ୍ଦ୍ରମୋହନ ମହାରଣା ତାଙ୍କର ଶିକ୍ଷକ ଥିଲେ ଏବଂ ଏହି ଉଭୟ ଶିକ୍ଷକଙ୍କର ବ୍ୟକ୍ତିତ୍ୱର ଗଭୀର ପ୍ରଭାବ ପ୍ରାଣକୃଷ୍ଣଙ୍କ ଉପରେ ପଡିଥିଲେ l ୧୯୦୫ ମସିହାରେ ଟ୍ରେନିଂ ସ୍କୁଲରୁ ଶିକ୍ଷା ସମାପ୍ତକରି ସାମନ୍ତରାପୁର ସ୍କୁଲରେ ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭକଲେ l ସେଇ ସମୟରେ ସାମାଜିକ କର୍ମୀ ବିଶ୍ୱନାଥ କରଙ୍କ ସଂସ୍ପର୍ଶରେ ଅସି ସେ ସ୍ୱଦେଶୀ ଆନ୍ଦୋଳନ ଆଡକୁ ଢଳିଥିଲେ l ୧୯୧୧ ମସିହାରେ ତାଙ୍କର ଏକ କବିତା ସଂକଳନ ” ଶାନ୍ତିସଖା ” ପ୍ରକାଶିତ ହୋଇଥିଲା ଯେଉଥିରେ ପ୍ରାଣକୃଷ୍ଣ ପଢିହାରୀ ନିଜର ବୈପ୍ଲବିକ ଚିନ୍ତାଧାରା ପ୍ରକାଶ କରିଥିଲେ l ୧୯୦୫ ରୁ ୧୯୨୧ ମସିହା ପର୍ଯ୍ୟନ୍ତ ସେ ସାମନ୍ତରାପୁର, ଦଶରଥପୁର, କବୀରପୁର ଏବଂ ଜଗତସିଂହପୁର ଆଦି ବିଭିନ୍ନ ସ୍କୁଲରେ ଶିକ୍ଷକତା କରିଥିଲେ l
୧୯୨୧ ମସିହାରେ ପ୍ରାଣକୃଷ୍ଣ ପଢିହାରୀ ଶିକ୍ଷକତା କରିବା ସହିତ ମହାତ୍ମା ଗାନ୍ଧିଙ୍କ ଡାକରାରେ ସାରା ଭାରତରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପରୋକ୍ଷ ଭାବରେ ଯୋଗଦେଉଥିଲେ l ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡିଶା ଗ୍ରସ୍ତ ତା୨୨/୦୩/୧୯୨୧ ରିଖରୁ ୮ ଦିନ ଅର୍ଥାତ୍ ତା ୨୯/୦୩/୨୦୨୧ ରିଖ ପର୍ଯ୍ୟନ୍ତ ଥିଲା ଯେଉଁଥିରେ ଗାନ୍ଧି ବିଭିନ୍ନ ଅଞ୍ଚଳ ବୁଲିବା ସହିତ ତା ୨୩/୦୩/୧୯୨୧ ରିଖରେ କଟକ କାଠଯୋଡି ବାଲିରେ ଏକ ବିରାଟ ଜନ ସଭାରେ ଉଦ୍ବୋଧନ ଦେଇଥିଲେ l ଉକ୍ତ ସଭାରେ ପ୍ରାଣକୃଷ୍ଣ ପଢିହାରୀ ମଧ୍ୟ ଯୋଗଦେଇ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ କାମ କରିବାକୁ ଦୃଢ଼ ନିଷ୍ପତି ନେଇଥିଲେ l ଏସବୁ ଭିତରେ ଇଂରେଜ ସରକାର ତାଙ୍କୁ ଯାଜପୁର ବଦଳି କରିଦେଲେ l ଶେଷକୁ ୧୯୨୧ ମସିହା ଜୁନ୍ ୧୩ ତାରିଖରେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ କଂଗ୍ରସ ନେତୃତ୍ୱରେ ଚାଲିଥିବା ଅସହଯୋଗ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ଯୋଗଦେଲେ l
୧୯୨୨ ମସିହା ଶ୍ରୀପଞ୍ଚମୀ ଦିନ ଜଗତସିଂହପୁରରେ ଅଳକାଶ୍ରମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା l ଗୋପବନ୍ଧୁ ଚୌଧୁରୀ, ଭାଗିରଥୀ ମହାପାତ୍ର ଏବଂ ପ୍ରାଣକୃଷ୍ଣ ପଢିହାରୀ ଏହି ଆଶ୍ରମର ପ୍ରତିଷ୍ଠାତା ସଦସ୍ୟ ଥିଲେ l ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏହି ଅଳକାଶ୍ରମର ଭୁମିକା ଇତିହାସରେ ସ୍ୱତନ୍ତ୍ର ସ୍ଥାନ ପାଇଛି l ସ୍ୱାଧୀନତା ଆନ୍ଦୋଳନକୁ ଚାଲୁ ରଖିବାପାଇଁ ପାଣ୍ଠି ସଂଗ୍ରହ କରାଯିବା ଏକାନ୍ତ ଆବଶ୍ଯକ ଥିବା ସମୟରେ ପ୍ରାଣକୃଷ୍ଣ ପଢିହାରୀ ନିଜ ସ୍ତ୍ରୀ ଗୁଣମଣି ଦେବୀ ତାଙ୍କ ବାପଘରୁ ଆଣିଥିବା ସୁନା ଗହଣାକୁ ସ୍ୱାଧୀନତା ସଂଗ୍ରାମ ପାଣ୍ଠିକୁ ଦାନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ l
ମହାତ୍ମା ଗାନ୍ଧି ଓଡିଶାକୁ ତୃତୀୟଥର ପାଇଁ ଆସିଥିଲେ ୧୯୨୭ ମସିହାରେ l ସେତେବେଳେ ପ୍ରାଣକୃଷ୍ଣ ପଢିହାରୀଙ୍କ ଏକ ବିସ୍ତୃତ ଆଲେଖ୍ୟ ” ଉତ୍କଳ ଦୀପିକା ” ରେ ମହାତ୍ମା ଗାନ୍ଧିଙ୍କ ଓଡିଶା ଗ୍ରସ୍ତକୁ ନେଇ ତା ୨୨/୧୦/୧୯୨୭ ରିଖରେ ବାହାରି ଥିଲା l ଏଥିରେ ମହାତ୍ମା ଗାନ୍ଧିଙ୍କ ଗ୍ରସ୍ତର ଗଭୀର ପ୍ରଭାବ ଓଡିଶା ବାସୀଙ୍କ ଉପରେ କିଭଳି ପଡିଥିଲା , କିଭଳି ଓଡିଶାର ସାଧାରଣ ଲୋକଙ୍କ ଭିତରେ ନୂଆ ଜୋସ୍ ଭରି ଯାଇଥିଲା ଏଇ ସମସ୍ତ କଥା ଉକ୍ତ ଆଲେଖ୍ୟରେ ରହିଥିଲା l ସେତେବେଳେ ପଢିହାରୀ ମହାଶୟ ମହାତ୍ମା ଗାନ୍ଧିଙ୍କୁ ସାକ୍ଷାତକରି ଅନୁରୋଧ କରିଥିଲେ ସାବରମତୀ ଆଶ୍ରମକୁ ଛାଡି ଏଠି ଓଡିଶାରେ ରହି ସ୍ୱାଧୀମତାର କାର୍ଯ୍ୟକର୍ମକୁ ଆଗେଇନେବାକୁ l
୧୯୩୦ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ସାରା ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବାର ନିଷ୍ପତି ନିଆଯାଇଥିଲେ l ଓଡିଶାରେ ମଧ୍ୟ ବାଲେଶ୍ୱରର ଇଞ୍ଚୁଡି ଓ ଅନ୍ୟାନ୍ୟ ସ୍ଥାନରେ ଲୁଣମାରି ଆଇନ ଅମାନ୍ୟ କରିବାକୁ ନିଷ୍ପତି କରାଗଲା l ସେଇ ହିସାବରେ କଟକରୁ ବାଲେଶ୍ବର କୌଣସି କଂଗ୍ରସ କର୍ମୀ ସତ୍ୟାଗ୍ରହୀ ସାଜି ଚାଲିଚାଲି ଯିବାପାଇଁ ରାଜି ହେଉନଥାନ୍ତି l ସେତେବେଳେ ପ୍ରାଣକୃଷ୍ଣ ପଢିହାରୀ ଓ ହରେକୃଷ୍ଣ ମହତାବ କଟକର ଗଳିକନ୍ଦି ବୁଲି ଲୋକମାନଙ୍କୁ ବୁଝାଇବାରୁ ତା ୦୬/୦୪/୧୯୩୦ ରିଖରେ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ୨୧ ଜଣିଆ ପ୍ରଥମ ସତ୍ୟାଗ୍ରହୀ ଦଳ ଇଂଚୁଡି ଅଭିମୁଖେ ଯାତ୍ରା କରିଥିଲେ l
ତା ୨୧/୦୮/୧୯୪୦ ରିଖରେ ଓ୍ୱାର୍ଧା ଠାରେ କଂଗ୍ରେସ ଓ୍ୱାର୍କିଙ୍ଗ୍ କମିଟିର ସଭା ବସି ଇଂରେଜ ସରକାର ଦ୍ୱାର ଦିଆଯାଇଥିବା ” ଅଗଷ୍ଟ ଅଫର୍ ” କୁ ପ୍ରତ୍ୟାଖ୍ୟନ କରିବା ସହିତ ଅକ୍ଟୋବର୍ ମାସରୁ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରାଯିବାର ନିଷ୍ପତି ନିଆଯାଇଥିଲା l ଓଡିଶାରେ ମଧ୍ୟ ହରେକୃଷ୍ଣ ମହତାବଙ୍କ ତତ୍ୱାବଧାନରେ ଏହି ସତ୍ୟାଗ୍ରହ ଚାଲିଥିଲା l ତା ୦୨/୧୨/୧୯୪୦ ରିଖରେ ହରେକୃଷ୍ଣ ମହତାବଙ୍କୁ ବାଲେଶ୍ବରରୁ ଆରେଷ୍ଟ୍ କରି କିଛି ଦିନ ବାଲେଶ୍ବର ଜେଲ୍ ରେ ରଖିବା ପରେ ଇଂରେଜ ସରକାର ତାଙ୍କୁ ଜେଲ୍ ର କଇଦି ମାନଙ୍କୁ ପ୍ରଭାବିତ କରିବା ଅଭିଯୋଗ ଆଣି ବହ୍ମପୁର ଜେଲ୍ କୁ ସ୍ଥାନାନ୍ତରିତ କରିଥିଲେ l ବ୍ୟକ୍ତଗତ ସତ୍ୟାଗ୍ରହକୁ ସାରା ଓଡିଶାରେ ବ୍ୟାପକ କରିବା ପାଇଁ ତା ୦୫/୦୫/୧୯୪୧ ରିଖରେ କଟକରେ ଏକ ସତ୍ୟାଗ୍ରହ ଟ୍ରେନିଙ୍ଗ୍ କ୍ୟାମ୍ପ୍ ଚାଲୁକରାଗଲା l ସେତେବେଳକୁ ପ୍ରାଣକୃଷ୍ଣ ପଢିହାରୀ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥାଆନ୍ତି l
କଟକରେ ଚାଲୁ କରାଯାଇଥିବା ଟ୍ରେନିଙ୍ଗ୍ କ୍ୟାମ୍ପକୁ ସୁରୁଖୁରୁରେ ଚଳାଇବା ପାଇଁ ଦାୟିତ୍ୱକୁ ତିନି ଜଣଙ୍କ ମଧ୍ୟରେ ବଣ୍ଟା ଯାଇଥିଲା l ଗୋପବନ୍ଧୁ ଚୌଧୁରୀ ବାହାରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ରାଜନୈତିକ କାର୍ଯ୍ୟକ୍ରମକୁ ଆଗେଇନେବା , ରାଜକିଶୋର ବୋଷ କ୍ୟାମ୍ପ ମ୍ୟାନେଜରର ଦାୟିତ୍ୱରେ ରହିବା ଏବଂ ପ୍ରାଣକୃଷ୍ଣ ପଢିହାରୀ ଟ୍ରେନିଙ୍ଗ୍ କ୍ୟାମ୍ପରେ କର୍ମୀ ମାନଙ୍କୁ ୧୫ ଦିନଧରି ସତ୍ୟାଗ୍ରହୀ କରିବା ପାଇଁ ଟ୍ରେନିଙ୍ଗ୍ ଦେବାର ଦାୟିତ୍ୱ ନେଇଥିଲେ l ସେତେବେଳେ ଏମିତି ଏକ ସମୟ ଆସିଲା ଯେତେବେଳେ କଂଗ୍ରେସର ସବୁ ପ୍ରମୁଖ ନେତାମାନେ ଜେଲ୍ ରେ ଥିଲେ ମଧ୍ୟ ପ୍ରାଣକୃଷ୍ଣ ପଢିହାରୀ ଏକୁଟିଆ ଲୋକମାନଙ୍କୁ ଟ୍ରେନିଙ୍ଗ୍ ଦେଇ ସତ୍ୟାଗ୍ରହୀ ଭାବରେ ଗଢିତୋଳୁଥିଲେ l ୧୯୪୧ ମସିହା ଡିସେମ୍ୱର ୧ ତାରିଖରେ ହରେକୃଷ୍ଣ ମହତାବ ବହ୍ମପୁର ଜେଲ୍ ରୁ ବାହାରିବା ବେଳେ ରାଜ୍ୟ କଂଗ୍ରେସ ସଭାପତି ଭାବରେ ପ୍ରାଣକୃଷ୍ଣ ପଢିହାରୀ ତାଙ୍କୁ ଜେଲ୍ ସମ୍ମୁଖରେ ସ୍ୱାଗତ କରିଥିଲେ l
ପ୍ରାଣକୃଷ୍ଣ ପଢିହାରୀ ସରକାରୀ ଚାକିରି ଛାଡି ୧୯୨୧ ରୁ ୧୯୪୨ ମସିହା ମଧ୍ୟରେ ଦେଶମାତୃକାର ସେବା ପାଇଁ ସେ ଦୀର୍ଘ ୬ବର୍ଷ କାଳ ଜେଲରେ ବିତାଇଥିଲେ l ୧୯୪୭ରେ ଦେଶ ସ୍ୱାଧୀନତା ହେବାପରେ ମଧ୍ୟ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ l ୧୯୪୮ ମସିହା ଅପ୍ରେଲ ୧୧ ତାରିଖରେ ଅବିଭକ୍ତ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ସେ ନିଜ ସାଙ୍ଗରେ ମୋହନ ନାୟକ ଏବଂ ଅନ୍ୟକିଛି ହରିଜନମାନଙ୍କୁ ସାଙ୍ଗରେ ଧରି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ l ୧୯୫୨ ମସିହାରେ ଗୋପବନ୍ଧୁ ଚୌଧୁରୀଙ୍କ ସହିତ ମିଶି ଓଡିଶାର ବିଭିନ୍ନ ଅଞ୍ଚଳରେ ଦୁଇ ହଜାର ମାଇଲ୍ ପଦଯାତ୍ରା କରିଥିଲେ l ୧୯୫୫ ମସିହାରେ ଦଳେଇଘାଇ ଭାଙ୍ଗିବାପରେ ଅସହାୟ ମାନଙ୍କୁ ଦୀର୍ଘ ୬ମାସ ଧରି ବିଭିନ୍ନ ପ୍ରକାରର ସାହାଯ୍ୟ କରିଥିଲେ l ସେଇ ୧୯୫୫ ମସିହାରେ ସର୍ବୋଦୟ ନେତା ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ପଦଯାତ୍ରା କରି ଲୋକଙ୍କୁ ଭୂଦାନ ସପକ୍ଷରେ ବୁଝାଇବା ସହିତ ବିଭିନ୍ନ ଲୋକଙ୍କ ପାଖରୁ ପ୍ରାୟ ଏକ ହଜାର ଏକର ଜମି ସଂଗ୍ରହ କରି ଭୂଦାନ ମେଳା କରିଥିଲେ l
ପ୍ରାଣକୃଷ୍ଣ ପଢିହାରୀ ମଧ୍ୟ ଶିକ୍ଷାର ପ୍ରସାର ପାଇଁ ସବୁବେଳେ ଚିନ୍ତା କରୁଥିଲେ l ନିଜେ ଜମିଦେଇ ଜୟବଡ ପ୍ରଥମିକ ବିଦ୍ୟାଳୟକୁ ସ୍ଥାପନା କରିଥିଲେ l ଜଗତସିଂହପୁରରେ କିଭଳି ଏକ କଲେଜ ପ୍ରତିଷ୍ଠା ହେବ ସେଥିପାଇଁ ସର୍ବଦା ଚିନ୍ତିତ ଥିଲେ l ଜଗତସିଂହପୁରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାରେ ତାଙ୍କର ପ୍ରମୁଖ ଭୁମିକାଥିଲା, ଯାହା ଏବେ ଜିଲ୍ଲାର ମୁଖ୍ୟ ହସ୍ପିଟଲ୍ ହେବାର ମାନ୍ୟତା ପାଇଛି l ସେ ମୃତ୍ଯୁ ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ସମ୍ପାଦକ ଥିଲେ l ସେ ମଧ୍ୟ କଟକ ସି.ଟି. ହସ୍ପିଟଲ୍ ର ସମ୍ପାଦକ ଭାବରେ ବହୁ ବର୍ଷ କାର୍ଯ୍ୟ କରିଛନ୍ତି lପ୍ରାଣକୃଷ୍ଣ ପଢିହାରୀଙ୍କ ମୃତ୍ଯୁ ପରେ ସେଇ ୧୯୫୮ ମସିହାରେ ତାଙ୍କର ସ୍ମୃତି ରକ୍ଷା ପାଇଁ କଟକରେ ପଢିହାରୀ ପାଠାଗାର ଓ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଯାହା ଓଡିଶାର ସବୁଠାରୁ ପୁରୁଣା ଲାଇବ୍ରେରୀର ମାନ୍ୟତା ଲାଭ କରିଛି l
ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କର ଦୀର୍ଘ ୪୦ ବର୍ଷର ନିଷ୍ଠାପର ଓ କର୍ମମୟ ଜୀବନର ଅବସାନ ଘଟିଲା ତା ୦୮/୦୮/୧୯୫୮ ରିଖରେ ତାହାପୁଣି ଏକ ଦୁର୍ଘଟଣାରେ l ପରଦିନ ଅର୍ଥାତ୍ ତା ୦୯/୦୮/୧୯୫୮ ରିଖରେ ଦୈନିକ ଖବର କାଗଜ ” ସମାଜ ” ରେ ମୁଖ୍ୟ ଖବରରେ ଯାହା ବୋଲ୍ଡ ଅକ୍ଷରରେ ବାହାରିଥିଲା ତାକୁ ନିମ୍ନରେ ରଖୁଛି ;-
” ଓଡିଶାରେ ସ୍ୱାଧୀନତା ସଂଗ୍ରାମର ସୁନାମଧନ୍ୟ ନେତା, ଆଜୀବନ ନିରଭିମାନ ଦେଶସେବା ବ୍ରତଧାରୀ , ସଦା ପ୍ରଫୁଲ୍ଲ ସୁଲଭ, ଉତ୍ସାହ ସମ୍ପନ୍ନ ସମାଜ ସେବକ ତଥା ରାଜନୀତିଜ୍ଞ ମହଲରେ ଚିର-ସମାଦୃତ ଓ ସମ୍ନାନାସ୍ପଦ ” ପଢିଆରୀ ମହାଶୟ ” ( ପଣ୍ତିତ ପ୍ରାଣକୃଷ୍ଣ ପଢିଆରୀ ) ଗତକାଲି ସଂଧ୍ୟାରେ ଚୌଧୁରୀ ବଜାରର ଏକ କୋଠା ଭୁଷୁଡି ପଡିବା ଫଳରେ ଅତି ମରମନ୍ତୁଦ ଅବସ୍ଥାରେ ପ୍ରାଣ ହରାଇଛନ୍ତି । “
ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ଉତ୍କଳକେଶରୀ ଶ୍ରୀ ହରେକୃଷ୍ଣ ମହତାବ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରରେ ତା ୦୯/୦୮/୧୯୫୮ ରିଖରେ ” ସତେ ପଣ୍ତିତ ମହାଶୟ ଛାଡିଗଲେ …” ଶିର୍ଷକ ଲେଖାରେ ଯାହା ଲେଖିଥିଲେ ସେଥିରୁ କିଛି ନିମ୍ନରେ ରଖୁଛି :-
” ……… ପଣ୍ତିତ ମହାଶୟ ଆମର ବିଗତ ସଇଁତିରିଶ ବର୍ଷର ସାଥି – ଦୁଃଖରେ , କଷ୍ଟରେ , କିନ୍ତୁ ବିଭବରେ ନୁହେଁ l ସେ ଉତ୍କଟ ଦରିଦ୍ରକୁ ପଦାଘାତ କରି, ଇଂରାଜି ଶିକ୍ଷା ଅଭିମାନୀ ଲୋକଙ୍କର ବ୍ୟଙ୍ଗ ବିଦୃପକୁ ଧିକ୍କାର ଲରି ନିଜର ବିଶ୍ୱାସ ଓ କର୍ମନିଷ୍ଠା ଉପରେ ଛିଡା ହୋଇ ଆସିଥିଲେ ସମସ୍ତ ଜୀବନ, ଉନ୍ନତ ଶିର, ସ୍ପୀତବକ୍ଷ ଓ ପ୍ରଶାନ୍ତ ବଦନ l ଟ୍ରେନିଙ୍ଗ୍ ସ୍କୁଲର ହେଡପଣ୍ଡିତ କାମ ଛାଡିଲା ଦିନୁ ୧୯୨୧ ସାଲରୁ ସେ ଜୀବିକା ନିର୍ବାହ କରୁଥିଲେ ବଂଧୁମାନଙ୍କ ସାହାଯ୍ୟ ଓ ସହାନୁଭୁତି ଉପରେ ନିର୍ଭର କରି l ଦାନ ଉପରେ ନିର୍ଭର କରି ମଧ୍ୟ ସେ କେବେ ଧନ ଓ ଧନୀ ଆଗରେ ମୁଣ୍ତ ନୁଆଇଁ ନାହାନ୍ତି l ବରଂ ସେ ପଦାଘାତ କରି ଆସିଛନ୍ତି ଧନର ଗର୍ବକୁ l ଇଂରାଜି ଜାଣି ନଥିଲେ ବୋଲି ସେ ନିଜକୁ କେବେ ଅନ୍ୟ କାହାଠାରୁ ସାନ ବୋଲି ମନେ କରି ନାହାନ୍ତି l ଯେକୌଣସି ବ୍ୟକ୍ତିଙ୍କୁ ସେ ଆହ୍ୱାନ କରିପାରିଥିଲେ କେବଳ ନିଜର ବିଶ୍ୱାସ ଓ ନିଷ୍ଠା ବଳରେ l
ମୁଁ କଅଣ କହିବି ମୋର ବ୍ୟକ୍ତିଗତ କଥା, ଯଦି ମୋର ନିଜର କେହି ବ୍ୟକ୍ତି ଥିଲେ, ତେବେ ସେ ଥିଲେ ପଣ୍ତିତ ମହାଶୟ …… “
ଏବେ ଆଲୋଚନା କରିବା ତାଙ୍କର ଜଗତସିଂହପୁର କଲେଜ ପ୍ରତିଷ୍ଠା ହେବାରେ ଥିବା ପ୍ରାରମ୍ଭିକ ପ୍ରଚେଷ୍ଟା ବିଷୟରେ : —
ଜଗତସୁଂହପୁର କଲେଜ କରିବା ଉପଲକ୍ଷେ ତା ୧୦/୦୮/୧୯୫୭ ରିଖରେ ଜୟବଡ ଜଗନ୍ନାଥ ମନ୍ଦିର ବେଢାରେ ପ୍ରାଣକୃଷ୍ଣ ପଢିହାରୀଙ୍କ ସଭାପତିତ୍ବରେ ପ୍ରଥମ ସଭା କରାଯାଇଥିଲା ଯେଉଁଥିରେ ଜଗତସିଂହପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l ପରେ ପରେ ତା ୧୫/୦୯/୧୯୫୭ ରିଖରେ ବଡ ବଜାରସ୍ଥ ଜନତା କ୍ଲବରେ ବଳଭଦ୍ର ମିଶ୍ରଙ୍କ ସଭାପତିତ୍ବରେ କଲେଜ ବିଷୟରେ ଆଲୋଚନା କରିବା ପାଇଁ ଏକ ସଭା ଡକାଯାଇଥିଲା l
ଶେଷରେ ତା ୨୭/୧୦/୧୯୫୭ ତାରିଖରେ ଶ୍ରୀକୃଷ୍ଣ ଏକାଡେମୀ ପଡିଆରେ ଭାଗୀରଥି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରାଣକୃଷ୍ଣ ପରିଜାଙ୍କୁ ସଭାପତି , ଶ୍ରୀପତି ନନ୍ଦଙ୍କୁ ସଂପାଦକ ଏବଂ ସଦସ୍ୟ ଭାବରେ ପ୍ରାଣକୃଷ୍ଣ ପଢିହାରୀ, ବଳଭଦ୍ର ମିଶ୍ର, ଭାଗୀରଥି ମହାପାତ୍ର, ଶ୍ୟାମା ଚରଣ ମହାପାତ୍ର ଓ ବନମାଳୀ ସାହୁଙ୍କୁ ନେଇ କଲେଜ କମିଟି ଗଠନ ହେଲା l କିନ୍ତୁ କଲେଜ ତିଆରି ପାଇଁ ପାଣ୍ଠି ସଂଗ୍ରହର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଥିଲା l ସେଇ ଏକା ସମୟରେ କେନ୍ଦ୍ରାପଡ଼ା କଲେଜ ପ୍ରତିଷ୍ଠା କରିବାକୁ ସେତେବେଳେ ଓଡିଶାର ଶିଳ୍ପ, ଖଣି ଓ ଜିଓଲୋଜୀ ବିଭାଗର ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାନସଭା ଆସନର ସଦସ୍ୟଥିବା ଶ୍ରୀଯୁକ୍ତ ଦୀନବନ୍ଧୁ ସାହୁ ଅଣ୍ଟା ଭିଡିଥାନ୍ତି l ଶ୍ରୀଯୁକ୍ତ ସାହୁ ପୂର୍ବରୁ ଆଇନ, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ମନ୍ତ୍ରୀ ମଧ୍ୟ ରହିସାରିଥାନ୍ତି l ଏସବୁକୁ ବିଚାରକୁ ନେଇ ଦେଖିଲେ କହିହେବ ଯେ, ଦୀନବନ୍ଧୁ ସାହୁ ସେତେବେଳେ ଖୁବ୍ ପାଓ୍ୱାରଫୁଲ୍ ଥିଲେ ଏବଂ କେନ୍ଦ୍ରାପଡ଼ା କଲେଜପାଇଁ ସୁରୁଖୁରୁରେ ପାଣ୍ଠି ଯୋଗାଡ କରୁଥିଲେ l ଏଠି ଜଗତସିଂହପୁର କଲେଜ ପାଇଁ ଶ୍ରୀପତି ନନ୍ଦଙ୍କ ନେତୃତ୍ୱରେ ମଧ୍ୟ ପାଣ୍ଠି ଯୋଗାଡ କରିବାକୁ ପ୍ରସ୍ତାବିତ କଲେଜ କମିଟିର ସଭ୍ୟମାନେ ବାହାରିଥିଲେ l
୧୯୫୮ ମସିହାରେ ଆମ କଲେଜ ପାଇଁ ପାଣ୍ଠି ସଂଗ୍ରହ ପାଇଁ ନାନା ଉଦ୍ୟମ ଚାଲିଥିଲେ ମଧ୍ୟ ଦୀନବନ୍ଧୁ ସାହୁଙ୍କ ପରାମର୍ଶ କ୍ରମେ କଟକର ତତ୍କାଳୀନ କଲେକ୍ଟର ଅମର ସିଂଙ୍କର ଏକ ଅଜବ ମୌଖିକ ଆଦେଶ ବଳରେ କଟକ ମୋଟର ଆସୋସିଏସନ୍ କେନ୍ଦ୍ରାପଡ଼ା କଲେଜର ପାଣ୍ଠି ନିମନ୍ତେ କେନ୍ଦ୍ରାପଡ଼ା ପାସେଞ୍ଜରଙ୍କ ସହିତ ଜଗତସିଂହପୁର ପାସେଞ୍ଜରଙ୍କ ଠାରୁ ଏକପ୍ରକାର ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ l ଶ୍ରୀପତି ନନ୍ଦଙ୍କୁ କଟକ ମୋଟର ଆସୋସିଏସନର ଉକ୍ତ କାର୍ଯ୍ୟ ଆଦୌ ପସନ୍ଦ ହେଉ ନଥିଲେ ମଧ୍ୟ ତା ବିରୁଦ୍ଧରେ କିଛି ପ୍ରତିକାର କରିବା ପାଇଁ ସମ୍ପୂର୍ଣ୍ଣ ଅସହାୟ ବୋଧ କରୁଥିଲେ l
ତେଣୁ ଉକ୍ତ ବିଷୟରେ ଶ୍ରୀପତି ନନ୍ଦ କଲେଜ କମିଟର ସଭ୍ୟଥିବା ପ୍ରାଣକୃଷ୍ଣ ପଢିହାରୀଙ୍କ ସହିତ ଆଲୋଚନା କରି କଣ ପ୍ରତିକାର କରାଯାଇ ପାରିବ ସେଥି ପାଇଁ ବାଟ କାଢିବାକୁ ଅନୁରୋଧ କରିଥିଲେ l ଯେହେତୁ ପ୍ରାଣକୃଷ୍ଣ ପଢିହାରୀ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ କଂଗେସ ଦଳର ଜଣେ ଆଗଧାଡିର ନେତାଥିଲେ ସେଇ ହିସାବରେ ସେ ନିଶ୍ଚୟ କିଛି ବାଟ ବାହାରକରିବେ ବୋଲି ଶ୍ରୀପତି ନନ୍ଦ ସ୍ଥିର ନିଶ୍ଚିତ ଥିଲେ l ତେଣେ ସେଇ ସମୟରେ ଜଗତସିଂହପୁରର ପ୍ରତିପତ୍ତି ଥିବା ସ୍ୱର୍ଗତ ଦେଓ୍ୱାନ ବାହାଦୂର ଶ୍ରୀକୃଷ୍ଣ ମହାପାତ୍ରଙ୍କ ପରିବାରର ସଦସ୍ୟ ତଥା କଲେଜ ପରିଚାଳନା କମିଟିର ସଦସ୍ୟଥିବା ଶ୍ରୀଯୁକ୍ତ ଶ୍ୟାମା ଚରଣ ମହାପାତ୍ରଙ୍କ ସୁପୁତ୍ର ଆଡ୍ଭୋକେଟ୍ ଶ୍ରୀଯୁକ୍ତ ସୋମନାଥ ମହାପାତ୍ର ( ଯିଏ କି ସେତେବେଳେ କଟକରେ ରହି ଓକିଲାତି କରୁଥିଲେ ) ମଧ୍ୟ ସମ୍ୱାଦ ପତ୍ର ଜରିଆରେ କେନ୍ଦ୍ରାପଡ଼ା କଲେଜ ପାଣ୍ଠି ପାଇଁ ଜଗତସିଂହପୁର ପାସେଞ୍ଜରଙ୍କ ଠାରୁ ଜବରଦସ୍ତ ଚାନ୍ଦା ଆଦାୟ ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରୁଥିଲେ l
ଜଗତସିଂହପୁର କଲେଜ କମିଟି କର୍ମକର୍ତ୍ତାଙ୍କ କଡା ବିରୋଧର ସ୍ୱରକୁ ଦେଖି ଶେଷରେ ତା ୦୮/୦୮/୧୯୫୮ ରିଖରେ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା କଲେଜର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦୀନବନ୍ଧୁ ସାହୁଙ୍କ କଟକସ୍ଥିତ ବାସଭବନରେ ଏକ ଘରୋଇ ଆଲୋଚନା ସଭା ହେଲା l ଉକ୍ତ ସଭାରେ କେନ୍ଦ୍ରାପଡ଼ା କଲେଜର କର୍ମକର୍ତ୍ତା ଓ ଜଗତସିଂହପୁର କଲେଜ କମିଟରି ସମ୍ପାଦକ ଥିବା ଶ୍ରୀପତି ନନ୍ଦଙ୍କ ସହିତ କଲେଜ କମିଟିର ସଭ୍ୟଥିବା ପଣ୍ତିତ ପ୍ରାଣକୃଷ୍ଣ ପଢିହାରୀ, ଭାଗୀରଥି ମହାପାତ୍ର ଏବଂ ସଭ୍ୟଥିବା ଶ୍ୟାମା ଚରଣ ମହାପାତ୍ରଙ୍କ ତରଫରୁ ତାଙ୍କ ପୁଅ ସୋମନାଥ ମହାପାତ୍ର ଉକ୍ତ ବୈଠକରେ ଯୋଗ ଦେଇଥିଲେ l
ଉକ୍ତ ସଭାରେ ଶ୍ରୀପତି ନନ୍ଦ ଓ ସୋମନାଥ ମହାପାତ୍ର ଜଗତସିଂହପୁର ପାସେଞ୍ଜରଙ୍କ ଠାରୁ କେନ୍ଦ୍ରାପଡ଼ା କଲେଜ ପାଇଁ ଆଦାୟ ହେଉଥିବା ବେଆଇନ୍ ଚାନ୍ଦାକୁ ତୁରନ୍ତ ବନ୍ଦ କରିବାପାଇଁ ଦୃଢ଼ ଭାବରେ ମତବ୍ୟକ୍ତ କରିଥିବା ବେଳେ, ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ପଢିହାରୀ ମହୋଦୟ ଚାନ୍ଦା ଆଦାୟ ବନ୍ଦ ନକରି ଉଭୟ କଲେଜକୁ ବାଣ୍ଟିଦେବାପାଇଁ ମତ ଦେଇଥିଲେ l
କିନ୍ତୁ ଉଭୟ ଦୀନବନ୍ଧୁ ବାବୁ ଏବଂ କଟକ କଲେକ୍ଟର ଅମର ସିଂ ଅଦ୍ଭୁତ ଯୁକ୍ତି ଉପସ୍ଥାପନ କରି କହଲେ, କେନ୍ଦ୍ରାପଡ଼ା କଲେଜ ପାଇଁ ପ୍ରଥମେ ଉଭୟ ପାସେଞ୍ଜରଙ୍କ ଠାରୁ ପାଣ୍ଠି ସଂଗ୍ରହ ହୋଇଯାଉ, ତାପରେ ଜଗତସିଂହପୁର କଲେଜ ପାଇଁ ପାଣ୍ଠି ସଂଗ୍ରହ ହେବ । କିନ୍ତୁ ଏକଥାରେ ଜଗତସିଂହପୁର କଲେଜ କର୍ମକର୍ତ୍ତା ରାଜି ହେଉ ନଥାନ୍ତି l ସେଦିନ ଦୀନବନ୍ଧୁ ସାହୁଙ୍କର ଏକ ସଭା ଭୁବନେଶ୍ବରରେ ଥିବାରୁ ଆଲୋଚନା ବନ୍ଦରଖି ସେ ଚାଲିଗଲେ ଏବଂ କଥା ହେଲା ସେଇଦିନ ଅପରାହ୍ନ ୪ଟା ବେଳେ ପୁଣିଥରେ ଦୀନବନ୍ଧୁ ବାବୁଙ୍କ ଘରେ ସମସ୍ତେ ଏକାଠି ହୋଇ ନିଷ୍ପତି ନିଆଯିବ l
ସେଦିନ ସକାଳ ଆଲୋଚନା ଅନୁଯାୟୀ ଶ୍ରୀପତି ନନ୍ଦ ଓ ସୋମନାଥ ମହାପାତ୍ର ଠିକ୍ ଅପରାହ୍ନ ୪ଟା ବେଳେ ଦୀନବନ୍ଧୁ ବାବୁଙ୍କ ଘରେ ପହଞ୍ଚିଲେ l ପ୍ରାଣକୃଷ୍ଣ ପଢିହାରୀ ସ୍ୱରାଜ ଆଶ୍ରମରୁ ବାହାରି ଚାଲି ଚାଲି ଦୀନବନ୍ଧୁ ସାହୁଙ୍କ ଘରକୁ ଆସୁଥିବା ସମୟରେ ଚୌଧୁରୀ ବଜାର ଠାରେ ଗିରିଧାରୀ ପ୍ରଦାଦ ମୋଡାଙ୍କ ପୁରୁଣା ଦୋତାଲା ଛାତ କାନୁସ୍ ଓ ଉପର ବାଡା ତାଙ୍କ ଉପରେ ଭୁଷୁଡି ପଡିବାରୁ ସେଇ ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଗଲା l ଦୀନବନ୍ଧୁ ବାବୁଙ୍କ ଘରେ ଅପେକ୍ଷାରତ ଥିବା ଶ୍ରୀପତି ବାବୁ ଓ ସୋମନାଥ ବାବୁ ଏ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଆସି ପହଞ୍ଚିଲେ l ସେଦିନ ଆଉ ବୈଠକ ହୋଇ ପାରିଲା ନାହିଁ। କିନ୍ତୁ କଟକ ମୋଟର ଆସୋସିଏସନ୍ ଜଗତସିଂହପୁର ପାସେଞ୍ଜରଙ୍କ ଠାରୁ କେନ୍ଦ୍ରାପଡ଼ା କଲେଜ ପାଇଁ ଆଦାୟ କରୁଥିବା ଚାନ୍ଦାକୁ ସେହିଦିନ ଠାରୁ ବନ୍ଦ କଲେ l
ଶେଷରେ ଏତିକି କୁହାଯାଇ ପାରେ ଯେ, କଲେଜ ପ୍ରତିଷ୍ଠା ହେବାର ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ କଲେଜ କାମରେ ଯାଉଥିବା ବେଳେ ପଣ୍ତିତ ପ୍ରାଣକୃଷ୍ଣ ପଢିହାରୀ ନିଜର ଜୀବନ ହରାଇଥିଲେ l ଆଜି ସ୍ୱର୍ଗରେ ଥାଇ ନିଶ୍ଚୟ ଖୁସି ହେଉଥିବେ ଯେ, ୧୯୫୭ ମସିହାରେ ଜଗତସିଂହପୁର କଲେଜ କରିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି l କଞ୍ଚା ମଶାଣି – ଗୋଖରା କଣ୍ଟା ପରିପୂର୍ଣ୍ଣ , ବୃକ୍ଷଲତା ବିହୀନ ସେଇ ୨୬ ଏକର ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରରେ ସ୍ୱାମୀ ବିବେକାନନ୍ଦ ସ୍ମାରକ କଲେଜ ଗର୍ବରେ ଛାତି ଫୁଲେଇ ଠିଆ ହୋଇଛି l ସେତେବେଳେ ନିଶାର୍ଦ୍ଧତ ଭିନ୍ନ କଥା, ଏପରିକି ମଧ୍ୟାହ୍ନରେ ମଧ୍ୟ ମଣିଷ ମନରେ ଭୌତିକ ଭୟର ସଞ୍ଚାର କରୁଥିବା ସେଇ ଶୁଷ୍କ ମରୁଭୂମି ଆଜି ସାରସ୍ୱତ ସାଧନାର ପୀଠସ୍ଥଳୀ l ସତରେ ଏକଦା ଜଗତସିଂହପୁରର ସାହାରା ପାଲଟିଥିବା ଅଳକା ନଦୀର ବାଲୁକା ଶଯ୍ୟାରେ ଗଢି ଉଠିଲା ଏଇ ବିରାଟ ନନ୍ଦନକାନନ l ବର୍ତ୍ତମାନ ପାଞ୍ଚ ହଜାରରୁ ଅଧିକ ପାରିଜାତ ପୁଷ୍ପର କଳିକାରେ ତାହା ଉନ୍ମୁଖ l ପ୍ରତିବର୍ଷ ଏହିପରି ସହସ୍ର ସହସ୍ର କଳିକା ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର ପାଣି ପବନରେ ପସ୍ପୁଟିତ ହୋଇ ଏ ଦୁନିଆକୁ ମହକାଇ ଦେବେ, ନୂଆ ରୂପରେ ଝଲସାଇ ଦେବେ, ନୂଆ ଗାନ ଓ ନୂଆ ତାନରେ ମତାଇ ଦେବେ, ଏହା ନିଃସନ୍ଦେହ l
ତେଣୁ ହେ ମହାନୁଭବ ! ଆପଣଙ୍କର ବଳିଦାନ ଅଦୌ ବ୍ୟର୍ଥ ଯାଇନି l ଆପଣଙ୍କ ପରି ଜଣେ କର୍ମନିଷ୍ଠ ମଣିଷ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଅଗ୍ରଗଣ୍ଯ ସମାଜସେବୀ ତଥା ମହାନ୍ ଅତ୍ମାଙ୍କ ଉଦ୍ଦେଶ୍ୟରେ ମୁଁ ଏଇ ଆଲେଖ୍ୟଟିକୁ ପ୍ରସ୍ତୁତ କରିବା ସହିତ ଅନ୍ତରର ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜକୁ ଧନ୍ୟ ମନେ କରୁଛି l
ଆପଣଙ୍କୁ କୋଟି ପ୍ରଣାମ l
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ – ୯୪୩୭୧୩୫୯୧୬
ସହାୟତା ନେଇଥିବା ଆଲଖ୍ୟ :-
୧ – ଆଡ୍ଭୋକେଟ୍ ସୋମନାଥ ମହାପାତ୍ର
୨ – ଶ୍ରୀପତି ବାବୁ – ଶ୍ରୀ ଉଦୟ ନାଥ ଷଡଙ୍ଗୀ
୩ – ଓଡିଶା ରିଭିୟୁ – ଡକ୍ଟର କୌଳାସ ଚନ୍ଦ୍ର ଦାଶ
୪ – ଦିନଯାଏ ଚିହ୍ନ ରହେ – ଶ୍ରୀ ମାଧବାନନ୍ଦ ମନୋହାରୀ
୫ – ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ପ୍ରାଥମିକ
ଇତିକଥା – ଶ୍ରୀ ବନମାଳୀ ସାହୁ l
୬ – ସମାଜ ତା ୦୯/୦୮/୧୯୫୮ ରିଖ
୭ – ପ୍ରଜାତନ୍ତ୍ର ତା ୦୯/୦୮/୧୯୫୮ ରିଖ
୮ – Famous Gandhian Leader Pandit
Pranakrushna Padhihari –
Dr. Kailash Chandra Dash