ଭୁବନେଶ୍ଵର: ଜଗତସିଂହପୁର ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ DRDO ଦ୍ୱାରା ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯିବ । ଡ଼ିଆରଡ଼ିଓ ଓଡ଼ିଶାର ବୌଦ୍ଧ ଏବଂ କଟକ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ୍ ସ୍ଥାପନ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ମେଡ଼ିକାଲ ଅକ୍ସିଜେନର ଉପଲବ୍ଧିକୁ ଗତି ଦେବା ପାଇଁ ତଥା ମହାମାରୀ ମୁକବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପି ଏମ୍ କେୟାର ଫଣ୍ଡ ରୁ ଅନୁଗୁଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ।
କୋଭିଡ-19 ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ପେଟ୍ରୋଲିୟମ୍ ବିଭାଗ ଓଡ଼ିଶାର 7ଟି ସ୍ଥାନ ଯଥା ବରଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲପୁର ଏବଂ ରାଉରକେଲାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରୁଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ରାୟଗଡ଼ା ଜିଲ୍ଲାରେ ପିଏସଏ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଧନ୍ୟବାଦ । ମୁଁ ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନା କରିବା ପାଇଁ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲି ।
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ୟାପଟିଭ୍ ମେଡ଼ିକାଲ ଅକ୍ସିଜେନ୍ ଜେନେରେସନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ରାଜ୍ୟର କୋଭିଡ୍-19 ବିରୋଧୀ ଲଢ଼େଇକୁ ସଶକ୍ତ କରିବା ସହ ସ୍ୱାସ୍ଥ୍ୟ ଆହ୍ୱାନ ଗୁଡ଼ିକୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।