ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ: ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଜଗତସିଂହପୁର ମାଟି

0 815

ଭୁବନେଶ୍ୱର : ଓଡିଶାର ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ (୮୧) ଙ୍କ ଭୁବନେଶ୍ୱରର କିମସ ହସ୍ପିଟାଲରେ କୋଭିଡରେ ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ବାଇଶି ମୌଜା ନିକଟସ୍ଥ ମଇଁନ୍ଦିପୁର ଗ୍ରାମରେ ୨ ଜାନୁଆରୀ ୧୯୪୦ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ।

ତାଙ୍କର ସାମ୍ପ୍ରତିକ ପୁସ୍ତକ ‘ଆଧୁନିକ ଓଡ଼ିଶାର ରାଜନୀତିକ ଇତିହାସ’ ପାଇଁ ଜଣାଶୁଣା। ମୋଟ ୧୪ ଟି ପୁସ୍ତକ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ରଚନା କରିଥବା ଏହି ସାହିତ୍ଯିକଙ୍କର କୃତି ମଧ୍ଯରେ ” Footprints of Eventful Days ” , ” Odisha Politics ” , ” ଅକୁହା କଥା ” , ” କଟକ ନଗର ଧବଳ ଟଗର “, ଆଦି ଖୁବ୍ ଜନପ୍ରିୟ ପୁସ୍ତକ l ମୋଟ ୨୮ ଟି ଦେଶ ଭ୍ରମଣ କରି ସାରିବା ପରେ ଲେଖିଥିବା ଭ୍ରମଣ କାହାଣୀ ” ଯେ ଦେଶ ଯାଇ ସେ ଫଳ ଖାଇ ” ପାଇଁ ସେ ମର୍ଯ୍ୟାଦାଜନକ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୦ ମସିହାରେ ପାଇଥିଲେ l

ଅମୃତ ବଜାର ପତ୍ରିକା, କଟକ ସଂସ୍କରଣରେ ସେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ସେ କଂଗ୍ରେସର ଛାତ୍ର ୟୁନିଅନ ସହ ସମ୍ପୃକ୍ତ ଥିଲେ ଏବଂ କଟକ କୁକୁରିଆପଡା ଠାରେ ୟୁନିଅନର କାର୍ଯ୍ୟାଳୟ ପରିଚାଳନା କରୁଥିଲେ। ସ୍ବର୍ଗତ ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି, ବରିଷ୍ଠ ସାମ୍ବାଦିକ, ରାଜନୈତିକ ବିଶ୍ଳେଷକ ବସନ୍ତ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀ ଦାସ ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ । ଓଡ଼ିଶା ରାଜନୀତିକୁ ନେଇ ତାଙ୍କର ଲମ୍ବା ଅନୁଭୂତି ଆଧାରରେ ସେ ଲେଖିଥିବା ପୁସ୍ତକ ସର୍ବଜନ ଗ୍ରହଣୀୟ ହୋଇଥିଲା । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରଵୋଧ କୁମାର ରାଉତ ଶୋକ ପ୍ରକାଶ କରି କହିଛନ୍ତି, ଓଡି଼ଆ ସମାଲୋଚନା ସାହିତ୍ୟର ପ୍ରତିଷ୍ଠବାନ ଲେଖକ ବସନ୍ତ ଦାସଙ୍କ ଆକସ୍ମିକ ବିୟୋଗରେ ଆମେ ବ୍ୟଥିତ। ସେ ସମାଲୋଚନା ସାହିତ୍ୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ। ଜଣେ ରାଜନୀତି ସମୀକ୍ଷକ ଭାବେ ସେ ସର୍ବଜନ ବିଦିତ। ଓଡ଼ିଆ ସାହିତ୍ୟର ଏହି ବରିଷ୍ଠ ସାରସ୍ୱତ ସାଧକଙ୍କ ପ୍ରୟାଣରେ ଏକାଡେମୀ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି।

Leave A Reply

Your email address will not be published.

17 − 11 =