ଭୁବନେଶ୍ୱର: ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଖଣ୍ଡପଡା ଗସ୍ତ ସମୟରେ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଭୁଲିଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଏହାକୁ ନିନ୍ଦା କରିବା ସହ କହିଛନ୍ତି ଯେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ନୟାଗଡ ରୁ କଣ୍ଟିଲୋ ଯିବା ମଝିରେ ବିଶ୍ୱ ବିଖ୍ୟାତ ପଠାଣି ସାମନ୍ତଙ୍କ ଜନ୍ମଭୂମି ଖଣ୍ଡପଡ଼ାଗଡ ରେ ସ୍ଥାପିତ ସାମନ୍ତ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଭୁଲି ଗଲେ। ଏହା ସମସ୍ତ ଖଣ୍ଡପଡା ବସି ଙ୍କୁ ଘୋର ଆଘାତ ଓ ଅପମାନିତ କରିଛି। ଏହା କୁ ଭାଜପା, ଖଣ୍ଡପଡା ଶାଖା ଘୋର ନିନ୍ଦା କରୁଛି। ମନ୍ତ୍ରୀ ମହୋଦୟ କ୍ଷମା ପ୍ରାର୍ଥନା କରନ୍ତୁ , ଭାଜପା ଦାବି କରୁଛି।
ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ତଥା ଲେଖକ କୁଳମଣି ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି, ସାମନ୍ତଙ୍କ ସ୍ମୃତି ପ୍ରତି ସରକାରୀ ଅବହେଳା ଖଣ୍ଡପଡ଼ା ବାସୀଙ୍କ ପ୍ରତି ପ୍ରତ୍ୟକ୍ଷ ଅପମାନ।ଓଡ଼ିଶା ବାସୀଙ୍କ ପାଇଁ ପଠାଣି ସାମନ୍ତ ଜଣେ ଅସାଧାରଣ ଜ୍ୟୋତିର୍ବିଜ୍ଞାନୀ ଏବଂ ସେ ଦୃଷ୍ଟିରୁ ଖଣ୍ଡପଡ଼ା ପର୍ଯ୍ୟଟନ କ୍ଷେତ୍ରରେ ଏକ ତୀର୍ଥ ସ୍ଥାନ ଭାବରେ ହେବା ଉଚିତ।ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ନୀଳମାଧବ ପୀଠ ସହିତ ସାମନ୍ତ ଭୂମି ଦର୍ଶନ କରିପାରନ୍ତେ। ସାମନ୍ତଙ୍କର ବ୍ରୋଞ୍ଜମୂର୍ତ୍ତି ଗଡର ପ୍ରବେଶ ଦ୍ବାରରେ ସ୍ଥାପିତ କରି ତାକୁ ଏକ ଆକର୍ଷଣୀୟ ପୀଠରେ ପରିଣତ କଲେ ଖଣ୍ଡପଡା ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ଅଧିକାର କରନ୍ତା। ଏକଥା ଆମର ମାନନୀୟ ବିଧାୟକ କାହିଁକି ବା ହୃଦୟଙ୍ଗମ କରିବେ।ସେ କଣ ଏହି ମାଟିର ସନ୍ତାନ ? ମନ୍ତ୍ରୀଙ୍କୁ କାହିଁକି ବା ଦୋଷଦେବା;ସେ ହୁଏତ ଜାଣିନାହାନ୍ତି ପଠାଣି ସାମନ୍ତ କିଏ ବୋଲି ଶ୍ରୀ ଷଡ଼ଙ୍ଗୀ କହଛନ୍ତି। ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି।