ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ

0 457

ଅଗଷ୍ଟ ୧୬ରୁ ଖୋଲିପାରେ ନବମ ଶ୍ରେଣୀ ପାଇଁ ସ୍କୁଲ

ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଓ ଦଶମ ପିଲାଙ୍କର ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ।

ଭୁବନେଶ୍ୱର : ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି l ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ସେ ସବୁ ସ୍କୁଲ ପରୀକ୍ଷା ପରେ ଖୋଲିବ।

ତେବେ ଗଣଶିକ୍ଷା ସଚିବ କହିଛନ୍ତି, “ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ। ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆସିପାରିବେ ପିଲା। ଦଶମ ଓ ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ନିମନ୍ତେ ଅନଲାଇନ ଶିକ୍ଷା ବ୍ୟବସ୍ଥା ମଧ୍ୟ ଚାଲୁ ରହିବ।”

ଶ୍ରୀଯୁକ୍ତ ସାହୁ ଆହୁରି କହିଛନ୍ତି, ” ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ। ଯଦି କେଉଁଠି କରୋନା ଆକ୍ରାନ୍ତ କେସ ବଢ଼ିବ, ସେଠି ଜିଲ୍ଲାପାଳଙ୍କ ଅନୁସାରେ ସ୍କୁଲ ଖୋଲିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଓ ଦଶମ ପିଲାଙ୍କ ମୂଲ୍ୟାୟନ ହେବ। ନବମ ଓ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍‌ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ସେପ୍ଟେମ୍ୱର ୨ୟ ସପ୍ତାହ ଓ ନଭେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା ହେବ। ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ ପରୀକ୍ଷା। ଆସେସମେଣ୍ଟ ପରୀକ୍ଷା ସରିଲେ ହେବ ଫାଇନାଲ ପରୀକ୍ଷା। ଯଦି ପୁଣି କୋଭିଡ୍‌ ନେଇ ପରୀକ୍ଷା କରି ନହୁଏ, ସେହି ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ।”

ଅଗଷ୍ଟ ୧୬ରୁ ଖୋଲିପାରେ ନବମ ଶ୍ରେଣୀ ପାଇଁ ସ୍କୁଲ। ଏନେଇ ସୂଚନା ମଧ୍ୟ ଦେଇଛନ୍ତି ଗଣଶିକ୍ଷା ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ। ଯଦି ପରିସ୍ଥିତି ଠିକ ରହେ, ତେବେ ଅଗଷ୍ଟ ୧୬ରୁ ନବମ ଖୋଲିବ। ସେପ୍ଟେମ୍ୱର ୧୫ ତାରିଖରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା କରାଯାଉଛି ବୋଲି ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

1 × 1 =