କୋରାପୁଟ ଡାଏରୀ

0 1,165

ପ୍ରତିଭା ଘୋଷ

କୋରାପୁଟରୁ ଫେରିବା ଦୁଇ ତିନି ଦିନ ହୋଇଗଲାଣି । ହେଲେ କାମରେ ମନ ଲାଗୁନି । ତୋ ଗାଁ ମାଟିର ସମ୍ମୋହନ କି ତୋ ପ୍ରତି ଆକର୍ଷଣ; ଏସବୁର ପ୍ରତିଫଳନ ସେଇଟା ଭାବୁଛି । ପାହାଡି ନିଶା ବୋଧେ ଘାରିଛି ବୋଲି ତୁ କହିପାରିବୁ… ।

କୋରାପୁଟର ବର୍ଷା ଯିଏ ଦେଖିଛି ସିଏ ତା’ ପ୍ରେମରେ ପଡିଛି । ରେଭେନ୍ସାରେ ପାଠ ପଢ଼ିବା ବେଳୁ ଏମିତି ଢ଼େର କଥା ଶୁଣି ଆସୁଛି ତୋ ଗାଁ ବିଷୟରେ । ଇନ୍‌ଷ୍ଟାଗ୍ରାମ ଆଉ ଫେସ୍‌ବୁକ୍‌ରେ ବି ତୋ ଗାଁକୁ ନିରିଖି ଦେଖିଛି ଅନେକ ଥର । ହେଲେ ଡିଜିଟାଲ୍ ପ୍ଲାଟଫର୍ମରେ ଏଡିଟିଂର ସବୁ ଅପ୍‌ସନ୍‌କୁ ବ୍ୟବହାର କରି ଦେଖିବା ଆଉ ଏମିିତି ଖାଲି ଆଖିରେ ଦେଖିବା ଭିତରେ ଢ଼େର ଫରକ୍ । ସେଦିନ ଦେଓମାଳି ଉପରେ ଛିଡା ହୋଇ ମେଘର ଚାଦର ତଳେ ବର୍ଷାର ଆଲିଙ୍ଗନରେ ମୁଁ ସେଇଆ ଅନୁଭବ କରୁଥିଲି । ତମ ଗାଁ ପାହାଡି ମେଘର ଛିଟା ବି ଠିକ୍ ତମ ଭଳି । ନିଶାଶକ୍ତ କରାଇବନି ସିନା ହେଲେ ହ୍ୟାଙ୍ଗଓଭର ବି ଓହ୍ଲାଇବାକୁ ଦେବନି ।

ଭୁବନେଶ୍ୱରରୁ ଟ୍ରେନ୍‌ରେ ଗଲାବେଳେ ଗୋଟିଏ ମାତ୍ର ଇଚ୍ଛା ନେଇ କୋରାପୁଟ ଯାଇଥିଲି । ଆଉ ସେଇଟା ଥିଲା ମେଘର କୋମଳ ସ୍ପର୍ଶରେ ପାହାଡକୁ ଓଦା ହେବାର ଦେଖିବା । ଆଖି ବନ୍ଦ କରି ଧୂଆଁ ହୋଇ ଉଡିଯାଉଥିବା ବାଦଲକୁ ଚୁମିବା । ତା’ ପ୍ରେମରେ ..ତା ଛୁଆଁରେ ହାଲ୍‌କା ଓଦା ହୋଇ ତା ସ୍ପର୍ଶର ଅନୁଭୂତିକୁ ସବୁଦିନ ପାଇଁ ନିଜ ଭିତରେ ସମାହିତ କରିବା । ହେଲେ ବାସ୍ତବତା ଯେ ତା’ଠୁ ବି ସୁନ୍ଦର ସେକଥା ଦେଓମାଳିର ସବୁଜ ଛାତି ଚିରି ଆଗକୁ ବଢ଼ି ଯାଉଥିବା କଳା ମିଚି ମିଚି ପିଚୁ ରାସ୍ତା ଉପର ଦେଇ ଗଲାବେଳେ ଭାବୁଥିଲି । ଠିକ ତା’ ପରି ତୁମେ ବି ଅଙ୍କାବଙ୍କା ଆଉ ଅନ୍ୟମନସ୍କ । ଅନୁଭବ କରାଇବ ସିନା ଅନୁଭୂତିକୁ ସାଇତି ରଖିବାକୁ ଦେବନି । ପାଖରେ ଛିଡା ହେବ..ହାତ ଧରି ବାଟ କଢ଼ାଇବ…ଆଗକୁ ବଢ଼ିବାକୁ ସାହାସ ବି ଦେବ…ହେଲେ କାଳେ ତମ ପାପୁଲିର ସ୍ପର୍ଶରେ ମୁଁ ଅନ୍ୟ ମନସ୍କ ହୋଇ ପଡିବି ସେଥିପାଇଁ ହାତ ବି ଖସାଇ ନେବ । ଠିକ୍ ତା ପରି.. ତୁମେ ବି ବୋଧେ ରୋକଠୋକ୍‌…ହେଲେ ଚିନ୍ତା କରନି…ଭାବହୀନ ହେବା ଟା ହିଁ ସବୁଠୁ ବଡ ଅନୁଭୂତି ଏକଥା ମୁଁ ତମକୁ ଭେଟିବାର ଢ଼େର ଆଗରୁ ଉପଲବ୍ଧି କରି ସାରିଛି । ତେଣୁ ମୋ ଭାବନା ଉପରେ ମୋର ନିୟନ୍ତ୍ରଣ ଅଛି । ଆଉ ତେଣୁ ତୁମେ ସୁରକ୍ଷିତ!!!!

ହା ହା ହା ହା…….

ଶୁଣ! ପଚାରିଥିଲ ନା କାହିଁକି ମୋ ଆଖି ଆଗରେ ଚଷମାର ପରଦା ଟେ ମୁଁ ଟାଣିଛି । ଯଉଁଟା କି ତମ ଆଖି ଆଉ ମୋ ଆଖି ଭିତରେ ଗୋଟେ ପରଦା ଭଳି ତୁମର ମନେ ହେଉଛି । ଏମିତିରେ ତ ଇଚ୍ଛା କରି ଚଷମାର ଆବରଣଟା ମୋ ଆଖି ଉପରେ ନାହିଁ । ହେଲେ ଆଜି ଭାବୁଛି ହୁଏତ ଈଶ୍ୱର ଭାବିଚିନ୍ତି ସେଇଟା ତୁମର ଏମିତି ଅସମାହିତ ପ୍ରଶ୍ନ ପାଇଁ ମୋ ଆଖି ଉପରେ ଲଗାଇ ଦେଇଛନ୍ତି ।

ହା..ହା..ହା… ।

ଜୀବନରେ ବହି ପଢ଼ିବାର ଅଭ୍ୟାସ ତୁମର ଅଛି କି ନାହିଁ ତ ମୁଁ ଜଣେନି ହେଲେ ବୋଧେ ଆଖିକୁ ପଢ଼ିବାର ଆଦତ ଲାଗିଛି ତମକୁ । ଆଖିରେ ଭରି ରହିଥିବା ଅକୁହା କଥାକୁ ଖୋଳି ବାହାର କରିବାର କଳା ବୋଧେ ତୁମେ ଅଳ୍ପ ବହୁତେ ଶିଖି ଗଲଣି । ସେ କଥାକୁହା କୁହୁକପେଡିରୁ କାଳେ ତମେ ମୋର ଭାବନା, ସମ୍ପର୍କ, ଅନୁଭବ, ଅନୁଭୂତି, କଷ୍ଟ ଆଉ ତମ ମନରେ ଚାଲିଥିବା ପ୍ରଶ୍ନର ଉତ୍ତର ପାଇଯିବ ସେଥିପାଇଁ ବୋଧେ ଆଗୁଆ ଚଷମାର ଆବରଣଟେ ଇଶ୍ୱର ଦେଇକି ତମ ପାଖକୁ ପଠାଇଥିଲେ!!!!

ଜରୁରୀ ନାହିଁ ଯେମିତି ଢ଼ଙ୍ଗରେ ମୁଁ ତୁମକୁ ପସନ୍ଦ କରୁଛି ଠିକ ତୁମେ ସେମିତି ମୋତେ ପସନ୍ଦ କରିବ.. ଜରୁରୀ ଏଇଟା ବି ନାହିଁ ଯେମିତି ଆବିଳତାରେ ମୁଁ ତମ ମେସେଜ୍‌ର ପ୍ରତିକ୍ଷା କରୁଛି ତୁମେ ବି କରିବ.. । ଯେମିତି ତମ ଗୁଡ ମର୍ଣ୍ଣିଂରେ ମୋର ସକାଳର ଆରମ୍ଭ ଆଉ ଗୁଡ ନାଇଟ୍ ଶବ୍ଦରେ ରାତିର ଶେଷ ହେଉଛି ସେମିତି ତମର ବି ହେବ…କୁଆଡେ ବାହାରକୁ ଗଲା ବେଳେ ମୁଁ ଯେମିତି କହିବା ଉଚିତ ମନେ କରୁଛି ସେମିତି ତୁମେ ବି କହିବ..

ବାସ୍ ଖାଲି ଏତିକି ଚାହେଁ ମୋ ନିଶ୍ୱାସର ଶବ୍ଦ ଟିକେ ଶୁଣିବା ପାଇଁ ତୁମେ ମୋତେ ଭଏସ୍ call କର…ଅବା ମୋ ହାତର ସ୍ପର୍ଶ ଟିକେ ବାରିବା ପାଇଁ ତୁମେ ମୋ ମେସେ୍‌ଜର ଅପେକ୍ଷା କର… । ଶିବ ବେଳାରେ ଜନ୍ମ ହୋଇ ପଦ୍ମ ଫୁଲ ବଦଳରେ କାଳୀଙ୍କ ସାନ୍ନିଧ୍ୟ ଆଶାରେ ମୋ ମନ୍ଦାର ଫୁଲର ଉପହାରକୁ ତୁମେ ଅପେକ୍ଷା କର…

ହା…ହା….ହା…!!!!

ଆଉ ହଁ…ତୁମର ସେଇ ‘ଅପେକ୍ଷା’ ଶବ୍ଦର ଆକ୍ଷେପ ପାଇଁ ଏତେସବୁ କଥା କହିଗଲି…

Leave A Reply

Your email address will not be published.

eleven − 5 =