ମହାଲକ୍ଷ୍ମୀ

0 572


ଗାଳ୍ପିକା: ସୁମିତା ବେହେରା

ବର୍ଷେ ପରେ ବଡ଼ପୁଅର ଘରକୁ ଯାଉଥିବାରୁ ମନେ ମନେ ଖୁସି ହେଉଥିଲେ ମହାଲକ୍ଷ୍ମୀ। ଗାଡ଼ି ଆସି ପହଁଚିଗଲା ସୁନ୍ଦର ଏକ ଆପାର୍ଟମେଂଟ୍ ତଳେ। ତିନିପୁଅଙ୍କୁ ଏକତ୍ର ଦେଖି ଖୁସି ଆକାଶ ଛୁଉଁଥିଲା ତାଙ୍କର।

ମୁହଁଟି ତାଙ୍କର ବଙ୍କା ହୋଇଯାଇଥିବାରୁ କଥା ଏତେ ସ୍ପଷ୍ଟ ହେଉ ନ ଥିଲା। ସେ କ’ଣ ସବୁ କହୁଥିଲେ ପାଖରେ ଠିଆ ହୋଇଥିବା ପୁଅମାନେ ଶୁଣୁଥିଲେ କି ନାହିଁ ଜଣା ପଡୁ ନ ଥିଲା। ସେ କିନ୍ତୁ କହି ଚାଲିଥିଲେ।

ଷ୍ଟ୍ରେଚର୍ ରେ ତାଙ୍କୁ ନିଆହେଲା ଗୋଟିଏ ରୁମ୍ ଭିତରକୁ। ବେଡ଼୍ ଟିଏ ପଡିଥିଲା। ଅକ୍ସିଜେନ୍ ଠାରୁ ଆରମ୍ଭ କରି ସକ୍ସନ୍ ମେସିନ୍ ପର୍ଯ୍ୟନ୍ତ ସବୁକିଛି ସଜା ହୋଇ ରଖା ଯାଇଥିଲା ରୁମ୍ ଭିତରେ।

ବଲବଲ କରି ଚାହୁଁଥିଲେ ମହାଲକ୍ଷ୍ମୀ। ଏଇଟା ତ ବଡ଼ପୁଅର ଘର ନୁହେଁ! ନୂଆ ଘର ନେଇଛି କି ? କ’ଣ ଏଇଟା ହସ୍ପିଟାଲ୍ କି ଆଉ ? ବାହାରୁ ତ ହସ୍ପିଟାଲ୍ ପରି ଲାଗୁ ନ ଥିଲା!

ଗାଉଁ ଗାଉଁ ହୋଇ ପଚାରିଲେ,” ଆରେ ମୋତେ କୋଉଠିକୁ ଆଣିଛ? ”

ବଡ଼ ପୁଅ ମୁଣ୍ଡ ଆଉଁଶି ଦେଇ କହିଲା,” ବୋଉ! ଦେଖ କେତେ ସୁନ୍ଦର ରୁମ୍ ଟିଏ ନିଆ ଯାଇଛି ତୋ ପାଇଁ। ତୁ ଏଇଠି ରହିବୁ। କିଛି ଅସୁବିଧା ହେବନି ତୋର। ଦୁଇ ଦୁଇଟି ଆୟା ପାଳି କରି ରାତିଦିନ ରହିବେ ତୋ ସେବାରେ।”

” ମୁଁ ତ ତୋ ଘରେ ବୋହୂ ଆଉ ନାତି ନାତୁଣୀ ସହିତ ରହିବାକୁ ଆସିଥିଲି। ଏଠି..”

ସାନପୁଅ କହିଲା,” ଭାଉଜଙ୍କୁ ବୟସ ହେଲାଣି, ସିଏ କ’ଣ ଆଉ ତୋ ସେବା କରି ପାରିବେ? ତା’ଛଡା ଅବସର ନେବା ପରେ ସରକାରୀ କ୍ୱାର୍ଟର୍ସ୍ କି ଚାକର ବାକର ତ ଆଉ ନାହାଁନ୍ତି ନା?”

ହେଲେ..ତମେ ଦୁଇଜଣ? ସେଠି ରହିବି ମୁଁ। ଏଠି ଏକେଲା ରହିବିନି।”

ମଝିଆ ପୁଅ ବୁଝେଇ ଦେଲା ଯେ, ଥ୍ରୀ ବି.ଏଚ୍.କେ. ଘରେ ଜାଗା କାହିଁ ବୋଉ ରହିବା ପାଇଁ? ପୁଅ ବୋହୂ ଅଛନ୍ତି ସମସ୍ତଙ୍କର। ଘରେ ଆଉ ଅଲଗା ରୁମ୍ ବି ତ ନାହିଁ। ବୋହୂମାନଙ୍କର ଆଉ କ’ଣ ବଳ ଅଛି ରୋଗୀସେବା କରିବା ପାଇଁ?

ଏଇ ପିଲାମାନଙ୍କ ପାଇଁ ଜୀବନରେ ସିଏ କେତେ ତ୍ୟାଗ ନ କରିଛନ୍ତି! ସ୍ୱାମୀଙ୍କ ଠାରୁ ଜୀବନ ସାରା ଅଲଗା ରହିଛନ୍ତି। ନିଜ ସୁଖ ପାଇଁ ଅଲଗା କରି କିଛି ଚିନ୍ତା ମଧ୍ୟ କରିନାହାଁନ୍ତି। ଆଜି ସିଏ ପେନସନ୍ ପାଉଛନ୍ତି ଚାଳିଶ ହଜାର ଟଙ୍କା, ଘରଭଡ଼ା ଆସୁଛି ତିରିଶ ହଜାର ଟଙ୍କା, ତା’ଛଡା କୋଟି କୋଟି ଟଙ୍କାର ସମ୍ପତ୍ତି। କ’ଣ ହେବ ଏତେ ସବୁ ଥାଇ?” ଦୀର୍ଘଶ୍ଵାସ ଛାଡ଼ି ନିରବ ରହିଲେ ମହାଲକ୍ଷ୍ମୀ।

ତାଙ୍କ ଜନ୍ମ ପରେ କୁଆଡେ ଘରେ ତାଙ୍କର ଧନ ଏମିତି ବଢ଼ିଥିଲା ଯେ ସେମାନେ ଗାଁ’ର ମହାଜନ ଘରଠାରୁ ମଧ୍ୟ ଅଧିକ ଧନୀ ହୋଇଯାଇଥିଲେ, ସେଥିପାଇଁ ତାଙ୍କ ନାଁ ଜେଜେ, ‘ମହାଲକ୍ଷ୍ମୀ’ ରଖିଥିଲେ। ବଡ଼ ଦୁଇ ଭାଇଙ୍କର ନୟନତାରା ଥିଲେ ସିଏ।

ବାହାଘର ପରେ ଏକାଠି ଶ୍ୱଶୁର ଓ ସ୍ୱାମୀଙ୍କର ଚାକିରିରେ ପ୍ରମୋଶନ୍ ହେଇଥିଲା। ଶାଶୂ ଖୁସି ହୋଇ ମହାଲକ୍ଷ୍ମୀଙ୍କୁ ଗେହ୍ଲା କରି କହିଥିଲେ,” ବୋହୂମାଆ ମୋର ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ।”

ତିନି ପୁଅ ଆଉ ଦୁଇ ଝିଅର ମାଆ ହେବା ପରେ କୋଳ ପୂରି ଉଠିଥିଲା ମହାଲକ୍ଷ୍ମୀଙ୍କର। ସ୍ୱାମୀଙ୍କର ତ ବଦଳି ବର୍ଷକୁ ବର୍ଷ। ତାଙ୍କ ସହିତ ସେ କେବେ କୁଆଡେ ଯାଇ ନାହାଁନ୍ତି । ଶାଶୂ ଶ୍ୱଶୁରଙ୍କର ସେବା ସହିତ ପିଲାମାନଙ୍କର ପାଠପଢ଼ା ସେ ନିଜେ ବୁଝନ୍ତି। ସେତେବେଳର ଏମ୍. ଏ. ପାସ୍ ସିଏ।

କେତେଥର ସ୍ୱାମୀ ସୌମେନ୍ଦ୍ର କହିଥିବେ,” ଲକ୍ଷ୍ମୀ! ମୋ ସହିତ ବହୁତ ଅନ୍ୟାୟ ହେଉଛି। ସବୁବେଳେ ଏକୁଟିଆ ରହିଲି। ସ୍ତ୍ରୀର ସାହଚର୍ଯ୍ୟ କ’ଣ ମୋତେ ଦରକାର ହୁଏନି? ଏଥର ତ ସାଙ୍ଗରେ ଚାଲ।”

ହସି ହସି ଟାଳି ଦିଅନ୍ତି ଲକ୍ଷ୍ମୀ। କୁହନ୍ତି,” ବାପା ମାଆ ହେବା କ’ଣ ଏତେ ସହଜ କଥା? ସେଇଟା ପରା ଗୋଟିଏ ତପସ୍ୟା। ପିଲାମାନେ ମଣିଷ ହେଇଯାଆନ୍ତୁ ଆଗ, ତା’ପରେ ମୁଁ ତମ ସାଙ୍ଗରେ ଯିବିନି କି? ବାପାବୋଉଙ୍କର ଦେଖାଶୁଣା କିଏ କରିବ ଏଠି?” ବୁଝି ଯାଆନ୍ତି ସୌମେନ୍ଦ୍ର।

ଭଲ ସ୍କୁଲ୍ ରେ ଶିକ୍ଷା ଦେଇଥିଲେ ପିଲାମାନଙ୍କୁ। ପରୀକ୍ଷା ସମୟରେ ପିଲାଙ୍କ ସହ ରାତି ଅନିଦ୍ରା ହୋଇ ବସି ରୁହନ୍ତି । କାହାକୁ ଚାହା କାହାକୁ କଫି କାହାକୁ କ୍ଷୀର,ଯେମିତି ଯାହାକୁ ଦରକାର ଦିଅନ୍ତି। ନିଷ୍ଠାର ସହିତ ପ୍ରତ୍ୟେକଙ୍କର ସମସ୍ତ ଚାହିଦା ଭଲରେ ତୁଲେଇଛନ୍ତି ସେ।

ପିଲାମାନଙ୍କର ପ୍ରଗତି ଦେଖି କେଉଁ ବାପା ମାଆ ଖୁସି ନ ହେବେ! ଗର୍ବରେ ଛାତି ଫୁଲିଯାଏ ଯେତେବେଳେ ଲୋକେ କୁହାନ୍ତି, ମହାଲକ୍ଷ୍ମୀ ରତ୍ନଗର୍ଭା।ପାଞ୍ଚଟି ଯାକ ସନ୍ତାନ ଆଜି ଉଚ୍ଚପଦସ୍ଥ ଅଫିସର୍।

ପିଲାମାନଙ୍କର ଭବିଷ୍ୟତ ସଜାଉ ସଜାଉ ସୌମେନ୍ଦ୍ରଙ୍କର ଚାକିରି କେତେବେଳେ ସରିଗଲା ବୁଝି ହେଲାନି। ପିଲାମାନେ ସମସ୍ତେ ନିଜ ନିଜର ଜୀବନ ଜୀବିକା ନେଇ ବ୍ୟସ୍ତ। ଶାଶୂ ଶ୍ୱଶୁର ଆରପାରିରେ। ଘରେ କେବଳ ଏବେ ମାମୁଁ ମାଇଁ ଦୁଇ ପ୍ରାଣୀ।

ବଗିଚା କାମରେ ଓ ଘର କାମରେ ସମୟ କଟି ଯାଉଛି ଏବେ ମହାଲକ୍ଷ୍ମୀଙ୍କର। ଭାରି ଖାଲି ଖାଲି ଲାଗୁଛି ଘର ଏବେ। ଶାବକମାନେ ନୀଡ଼ ଛାଡି ଉଡ଼ିଗଲେଣି କେବେଠୁ। ଆଉ ଫେରିବେନି ସେ ଜାଣନ୍ତି। ତଥାପି ଆଶାଟିଏ ଜାଗି ଉଠେ ମନରେ, କାଳେ ଫେରି ଆସିବେ!

ସାରାଜୀବନ ପାଇଁ ହାତ ଧରି ଚାଲିବାର ପ୍ରତିଶ୍ରୁତି ଦେଇଥିବା ସ୍ୱାମୀ ମଧ୍ୟ ଠକିଦେଇ ଚାଲିଗଲେ। ପିଲାମାନେ ଆସିଥିଲେ ସେତେବେଳେ। କେହି ବି କହିଲେନି,” ବୋଉ! ବାପା ତ ଆଉ ନାହାଁନ୍ତି। ଏଡ଼େ ବଡ଼ ଘରେ ଏକଲା କେମିତି ରହିବୁ? ତୁ ଏଥର ଆମ ସାଙ୍ଗେ ଚାଲେ।”

ନଟମାଆକୁ ପଇସା ପତ୍ର ଦେଇ ପିଲାମାନେ ବୁଝେଇ ଦେଇ ଯାଇଛନ୍ତି ବୋଉ ସେବାରେ ହେଳା ନ କରିବା ପାଇଁ। ଟଙ୍କା ପଇସା ସବୁ କ’ଣ ଦେଇ ପାରେ ମନ ଯାହା ଚାହେଁ?

ସୌମେନ୍ଦ୍ର ଯିବା ବାଇଶ ବର୍ଷ ହେଇଗଲାଣି। ନଟମାଆ ଆଉ କାମକୁ ପାରୁନି। ତା’ ବୋହୂ ରୁବି ଆସୁଛି। ସିଏ ଆଉ ତା’ ଶାଶୂ ପରି ମନ ବୁଝି କାମ କରି ପାରୁଚି ନା ତା’ ସାଙ୍ଗେ ମନକଥା ଗପି ମହାଲକ୍ଷ୍ମୀ ମନ ହାଲୁକା କରି ପାରୁଛନ୍ତି?

ଅଶୀ ପାରି ହେଇଗଲେଣି ମହାଲକ୍ଷ୍ମୀ। କାଲି ଜନ୍ମଦିନ ଥିଲା। ପିଲାମାନେ କେକ୍,ଫୁଲ ସବୁ ପଠେଇଥିଲେ। ଏଇ ଫୁଲର ସୁଗନ୍ଧ କ’ଣ ତାଙ୍କ ହୃଦୟରେ ପିଲାମାନଙ୍କ ଦେହର ଝାଳମିଶା ପାଉଡର୍ ଗନ୍ଧର ପୁଲକ ଦେଇ ପାରେ!

ପାରାଲିଟିକ୍ ଆଟାକ୍ ମହାଲକ୍ଷ୍ମୀଙ୍କର ଚଳଚଞ୍ଚଳ ଶରୀରଟାକୁ ଅବଶ କରି ଏବେ ବିଛଣାରେ ପକେଇ ଦେଇଛି। ଖବର ଶୁଣି ପିଲାମାନେ ଆସିଥିଲେ। ଝିଅ ଦୁଇଜଣ ତ ନିଜ ନିଜ ଜଞ୍ଜାଳରେ। ବୋଉକୁ ଆଉ ପାଖକୁ ନେବେ କେମିତି?

ପୁଅ ତିନିଜଣ ଆସିଛନ୍ତି। ଆଲୋଚନା ଚାଲିଛି ବୋଉକୁ କିଏ ନବ। ପାଖ ରୁମ୍ ରେ ଶୋଇ ଶୋଇ ମହାଲକ୍ଷ୍ମୀ ସବୁ ଶୁଣୁଛନ୍ତି। ଖୁସି ହେଲେ ମନେ ମନେ। ଯାହା ହେଉ ଏବେ ପିଲାଙ୍କ ପାଖକୁ ଯିବେ। ନାତି ନାତୁଣୀଙ୍କ ମୁହଁ ଦେଖିବେ। କିଛି ନ ହେଲେ ମରିଗଲେ ନିଜ ପୁଅମାନଙ୍କ କାନ୍ଧରେ ତ ଟିକେ ମଶାଣିକୁ ଯାଇ ପାରିବେ!

ମହାଲକ୍ଷ୍ମୀଙ୍କର ପୁଅ ତିନିଜଣ ଗୋଟିଏ ସହରରେ ରହନ୍ତି। ନିଷ୍ପତ୍ତି ହେଲା ବୋଉ ସମସ୍ତଙ୍କ ଘରେ ଚାରି ଚାରି ମାସ କରି ରହିବେ। ହାଏ ରେ… ଏତେ ବଡ଼ ବଡ଼ ପଦବୀରେ ଥିବା ପୁଅମାନେ ମାଆକୁ ଏମିତି ବାଣ୍ଟିଦେଲେ! ଜଣେ କେହି କହି ପାରିଲେନି,” ବୋଉ ମୋ ପାଖଗେ ରହିବ। ଏମିତି ଅବସ୍ଥାରେ କେତେ ଉଠାପକା କରିବା?”

ପ୍ରଥମ ବର୍ଷ ଚାଲିଗଲା ତିନିପୁଅଙ୍କ ଘରେ। ସମସ୍ତେ ମାଆ ପାଇଁ ନିଜ ନିଜର ସର୍ଭ୍ଯାଣ୍ଟ୍ କ୍ୱାର୍ଟର୍ସ୍ ବାଛିଥିଲେ ରଖିବା ପାଇଁ। ବିଛଣାରେ ଝାଡ଼ା ପରିଶ୍ରା କଲେ ଘର ଗନ୍ଧେଇଯିବନି କି ନ ହେଲେ!

ବଡ଼ପୁଅର ପାଳି ପୁଣି ବର୍ଷେ ପରେ ଆସିଲା। ସାନବୋହୂ ଖୁସି। ଯାହା ହେଉ କିଛିଦିନ ଆରାମ ମିଳିବ( ଯଦିଓ ଶାଶୂ ସେବା ଆୟା କରୁଥିଲେ )। ସାନପୁଅ ଫୋନ୍ କରି ଜଣେଇଦେଲା ସମୟ ହେଇଗଲାଣି ଏଥର ବୋଉକୁ ନେଇଯିବାକୁ ପଡ଼ିବ।

ଯିବା ସମୟ ବୋଲି ସାନପୁଅ ବୋହୂ ଏତେ ଭକ୍ତି ସ୍ନେହ ଅଜାଡ଼ିଦେଲେ ମହାଲକ୍ଷ୍ମୀଙ୍କର ଅନୁଭବୀ ମନ ବି ବୁଝି ପାରିଲାନି ଏତେ ଭଲ ପାଇବାର କାରଣ କ’ଣ ହୋଇପାରେ।

ଏବେ ବୁଝିପାରିଲେ ମହାଲକ୍ଷ୍ମୀ। ପିଲାମାନେ ତାଙ୍କର ମାଆକୁ ନିର୍ବାସିତା କରି ଦେଇଛନ୍ତି ସବୁଦିନ ପାଇଁ। ସେ ଏବେ ତାଙ୍କ ପାଇଁ ଅଲୋଡ଼ା। ମୁଣ୍ଡକୁ ହାତ ପାଇଗଲାଣି ଯେ!

ଘଣ୍ଟାକୁ ଚାହିଁଲେ ମହାଲକ୍ଷ୍ମୀ। ବାରଟା ବାଜିଛି। ଦିନ ବାରଟା କି ରାତି ବାରଟା ବୁଝି ପାରିଲେନି।ରୁମ୍ ଭିତରେ ସବୁବେଳେ ଲାଇଟ୍ ଲାଗିଥାଏ। ନଅ ମାସ ହେଇଗଲା ସୂର୍ଯ୍ୟ ଆଲୁଅ ଦେଖି ନାହାଁନ୍ତି। ଦୁଇଜଣ ଆୟା ବ୍ୟତୀତ ଆଉ କାହାକୁ ଦେଖି ପାରନ୍ତିନି।

ଯେଉଁମାନଙ୍କୁ ଦେଖିବା ପାଇଁ ଆଖି ସବୁବେଳେ ଦୁଆରବନ୍ଧରେ ଅଟକି ରୁହେ ସେମାନେ ମାସରେ ଥରେ କି ଦୁଇଥର ଆସି ମୁହଁ ଦେଖେଇ ଚାଲି ଯାଆନ୍ତି। ନିଜକୁ ନିଜେ ପଚାରୁଥିଲେ ମହାଲକ୍ଷ୍ମୀ, ପିଲାଙ୍କୁ ପାଳିବାରେ ତାଙ୍କର ଭୁଲ କେଉଁଠି ରହିଗଲା! ଅଜାଣତରେ ବାମ ଆଖିକୋଣରୁ ତତଲା ଲୁହ ଧାରେ ବୋହି ଆସିଲା ମହାଲକ୍ଷ୍ମୀଙ୍କର।

Leave A Reply

Your email address will not be published.

two + 1 =