ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ହିଂସା ଏବଂ ଅରାଜକତାକୁ ଦୃଢ଼ ନିନ୍ଦା କରୁଛି : ଧର୍ମେନ୍ଦ୍ର ପ୍ରଧାନ

0 715

• ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଚିନ୍ତାଜନକ ଓ ଦୁଃଖଦାୟକ
• ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
• ରାଜ୍ୟ ପ୍ରଶାସନ ନିର୍ବାଚନ ସମୟରେ ଠିକ୍ ଭାବରେ ନିଜର କାର୍ଯ୍ୟ କରି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଶାସକ ଦଳର ହିଂସା ଓ ଅରାଜକତାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତୃଣମୂଳ ସ୍ତରରେ ଭୋଟ୍ ଦେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି । ଏହା ଆମର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ । କିନ୍ତୁ ଆଜି ଧର୍ମଶାଳା, ଯାଜପୁର, ବ୍ରହ୍ମଗିରି, ଅନୁଗୋଳ, ହିନ୍ଦୋଳ, ଭଦ୍ରକ, କଣାସ, ଜଳେଶ୍ୱର, ବାଙ୍ଗିରିପୋଷୀ, ଭଟଲି ଓ ପାଟଣାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛି । ଏହା ଚିନ୍ତାଜନକ ଓ ଦୁଃଖଦାୟକ ।

ହିଂସା ଦ୍ୱାରା ଗଣତନ୍ତ୍ରର ଏହି ମହାନ ପର୍ବରେ ବ୍ୟାଘାତ୍ ଆସିବା ଅନୁଚିତ । ଶାସକ ଦଳର ହିଂସା ଓ ଅରାଜକତାକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି । ଓଡ଼ିଶା ପ୍ରଶାସନ ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ରାଜ୍ୟରେ ପଞ୍ଚାୟତ ସ୍ତରରେ ଆହୁରି 4ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଆଗାମୀ ପର୍ଯ୍ୟାୟରେ ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ ସେ ଦିଗରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ : ଅନେକ ସ୍ଥାନରେ ହିଂସାକାଣ୍ଡ
ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଇଥିଲା । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ । ଏଥି ପାଇଁ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । l

ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପୁରୀ ଜିଲ୍ଲା କଣାସ ବ୍ଲକ ବଢାଳ ପଞ୍ଚାୟତରେ ଭୋଟ ଗ୍ରହଣ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ବୈଦ୍ୟୁତିକ ଗଣାମଧ୍ୟମର ୪ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି କେନ୍ଦୁଝରର ଆନନ୍ଦପୁରରେ ମଧ୍ୟ ଗଣ୍ଡଗୋଳ ଘଟିଛି। ସାଲେପୁର ନିର୍ବାଚନ ମଣ୍ଡଳୀ ର ସିଶୁଆ ପଞ୍ଚାୟତ ର ସମିତି ସଭ୍ୟ ପ୍ରାର୍ଥୀ ମାନସ ସାହୁ ଙ୍କୁ ଆକ୍ରମଣ ହୋଇ ଥିବା ଖବର ମିଳିଛି।

Leave A Reply

Your email address will not be published.

twelve + seven =