ଓଡ଼ିଆ ନବବର୍ଷ ବନାମ ଇଂରାଜି ନବବର୍ଷ

0 444
  • ଶ୍ରୁତକୀର୍ତ୍ତି ତ୍ରିପାଠୀ

ଏପ୍ରିଲ ୧୪, ପଣା ସଂକ୍ରାନ୍ତି l ଆମ ଓଡ଼ିଆ ମାନଙ୍କ ପାଇଁ ଶୁଭ ନବବର୍ଷ l ଏହି ଦିନ ଠାରୁ ନୂଆ ପାଞ୍ଜି ପ୍ରଚଳିତ ହୁଏ l କେତେ ବଡ଼ ଦିନଟିଏ, ହେଲେ ଏ ବିଷୟରେ ଆମ ମୁନା କୁ ଖାସ୍ କିଛି ଜଣା ନାହିଁ l ମୁନା, ପଞ୍ଚମ ଶ୍ରେଣୀ ଇଂରାଜୀ ମାଧ୍ୟମର ଜଣେ ଛାତ୍ର l ତାର ବି କଣ ଦୋଷ ଯେ, କେହି ତାକୁ ଏ ବିଷୟରେ କହିଥିଲେ ସିନା ସେ ଜାଣନ୍ତା ! ସ୍କୁଲରେ ତ’ ଖାଲି ଛୁଟିଦିନ ବୋଲି ଘୋଷଣା ହେଉଛି l ପିଲାମାନେ ବି ଗୋଟିଏ ଦିନ ଛୁଟିରେ ସନ୍ତୁଷ୍ଟ l କଣ ରହିଛି ଏ ଦିନର ମହତ୍ତ୍ୱ, କାହିଁକି ଏ ଦିନଟି ବିଶିଷ୍ଟ, ପିଲାଙ୍କୁ ଜଣେଇବାର ଦାୟିତ୍ୱ କାହାର ? ଉତ୍ତର ଆସିବ ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କର ନିଶ୍ଚୟ l ହେଲେ ଏତେ ଧ୍ୟାନ ଦେଉଛି କିଏ ? ବଡ଼ ହେଲେ ପିଲା ବଳେ ଜାଣିଯିବେନି, ପଣା ସଂକ୍ରାନ୍ତି କଣ ପାଇଁ ପାଳନ ହୁଏ ! ତା ପରେ ଖବରକାଗଜ, ଟେଲିଭିଜନରେ ଏତେ ପ୍ରଦର୍ଶନ ହେଉଛି ଏହି ଦିନ ବିଷୟରେ, ଶିକ୍ଷକ / ଶିକ୍ଷୟତ୍ରୀ ଆଉ ଅଲଗା କରି ଅଧିକା କଣ ବା ୟା ବିଷୟରେ ପିଲାଙ୍କୁ ବୁଝେଇବେ l

ସେ ପଟେ ଘରେ ଅଭିଭାବକ ଏବଂ ପରିବାରର ସଦସ୍ୟ ବି ଏ ବିଷୟରେ ପିଲାଙ୍କୁ ଅବଗତ କରେଇବା ଜରୁରୀ ଭାବୁନାହାନ୍ତି l ” ପିଲାଏ ବିଦ୍ୟାଳୟ କଣ ପାଇଁ ଯାଉଛନ୍ତି ଯେ, ସେଇଠି ଶିଖିବେ ନା, ଆମେ କଣ ତାଙ୍କର ମାଷ୍ଟର / ମାଷ୍ଟ୍ରାଣୀ ମାନଙ୍କ ଠାରୁ ଅଧିକା ଜାଣିଛୁ l ସେମାନେ ବତେଇବା କଥା, ଆମ ଓଡ଼ିଆ ପାର୍ବପର୍ବାଣୀ ବିଷୟରେ ପିଲାଙ୍କୁ l ” ଏଭଳି କହି ଭାରି ଚାଲାକି ରେ ବାପା ମାଆ ନିଜ ଦୋଷ ଟିକକ ଲଦି ଦିଅନ୍ତି ପିଲାଙ୍କ ବିଦ୍ୟାଳୟ ଓ ତାଙ୍କ ଶିକ୍ଷକ / ଶିକ୍ଷୟତ୍ରୀ ଙ୍କ ଉପରେ l

କିନ୍ତୁ ପ୍ରସଙ୍ଗ ପଛରେ ଥିବା ମୂଳ ଯୁକ୍ତି ହେଉଛି, ଶିକ୍ଷକ / ଶିକ୍ଷୟତ୍ରୀ ଙ୍କ ବେପରୁଆ ମନୋଭାବ ଯୋଗୁଁ ହେଉ କିମ୍ବା ବାପା ମାଆଙ୍କ ବେଖାତିର ଓ ଦୋଷଲଦା ମନୋବୃତ୍ତି ଯୋଗୁଁ ହେଉ ; ଆମ ଓଡ଼ିଆ ପିଲାମାନେ ଆମ ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ବିଷୟରେ ଯେତିକି ଜାଣିବା କଥା ତାହା ଜଣାନ୍ତି ନାହିଁ ଅଥବା ଜାଣିବା ପାଇଁ ଆଗ୍ରହ ଓ ଉତ୍ସାହ ପ୍ରକାଶ କରନ୍ତି ନାହିଁ l

ମାତ୍ର ଇଂରାଜୀ ନବବର୍ଷ, ଜାନୁଆରୀ ୧ କୁ ପିଲାଠାରୁ ବୁଢ଼ା ସଭିଏଁ ଅନେଇ ବସିଥାନ୍ତି l ନୂଆବର୍ଷ ପାଳନ ପାଇଁ ଢ଼େର ଦିନ ଆଗରୁ ପ୍ରସ୍ତୁତି, କଳ୍ପନା, ଜଳ୍ପନା ଆରମ୍ଭ ହୋଇଯାଏ l ଭୋଜିଭାତ, ସଭା, ସମିତି କେଉଁଥିରେ ହେଲେ ଊଣା ନାହିଁ l ଏମିତିକି ନୂଆବର୍ଷରୁ କିଛି ନୂଆ କରିବାର ସଂକଳ୍ପ ନେଇ ନୂତନ ଆଶା ଓ ଉତ୍ସାହରେ ସମସ୍ତେ ଅପେକ୍ଷାରତ ଥାନ୍ତି l

ଦୁଃଖର ବିଷୟ ଆମର କିଛି ଓଡ଼ିଆ ଭାଇଭଉଣୀଙ୍କୁ ଯଦି ହଠାତ ପଚାରିଦିଆଯାଏ ଯେ, ‘ କେଉଁଦିନ ଓଡ଼ିଆ ନବବର୍ଷ ପାଳନ କରାଯାଏ ?’ ସେମାନେ ଏହାର ଉତ୍ତର ମନେ ପକେଇ ପାରନ୍ତି ନାହିଁ କିମ୍ବା ସାଧାରଣତଃ ଭୁଲ ଉତ୍ତର ମଧ୍ୟ ଦେଇଥାନ୍ତି l ପଣା ସଂକ୍ରାନ୍ତି ର ଯଥାର୍ଥତା, ଏହି ପର୍ବ ପାଳନର ରୀତି ନୀତି, ପ୍ରଣାଳୀ ବିଷୟ ଅନେକଙ୍କୁ ଅଜଣା ! ଏହି ଦିନର ମୁଖ୍ୟ ଆକର୍ଷଣ ” ପଣା ” l ବୈଜ୍ଞାନିକ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟ ପାଇଁ ହିତକାରୀ l ଏହା ଗ୍ରହଣ କରିବା ଦ୍ୱାରା ଅଂଶୁଘାତ ଏବଂ ଗରମ ଯୋଗୁଁ ହେଉଥିବା ଜଳହୀନତାକୁ ରୋକାଯାଇପାରେ l ତଥାପି ଏହାକୁ ପିଇବା ପାଇଁ ଆମ ପିଲାମାନେ ଆଗ୍ରହ ଦେଖାଉନାହାନ୍ତି l ଓଲଟା ଏହାର ସ୍ଥାନ ନେଇଛି ଫ୍ରୁଟି, ପ୍ୟାକେଟ୍ ଜୁସ୍, କୋଲଡ଼ଡ୍ରିଂକ୍ସ ଭଳି ରସାୟନ ମିଶ୍ରିତ ପାନୀୟ l ଆଖିକୁ ଆକର୍ଷଣୀୟ ଓ ଜିଭକୁ ସ୍ୱାଦିଷ୍ଟ ଲାଗୁଥିଲେ ସୁଦ୍ଧା ଏହାର ବହୁତ ନକାରାତ୍ମକ ପ୍ରଭାବ ରହିଛି l ଯାହାକୁ ଆମ ଯୁବା ପିଢ଼ି ସହଜରେ ଏଡାଇ ଦେଉଛନ୍ତି l ପରିଣାମ ସ୍ୱରୂପ ଅସୁସ୍ଥତା ଭୋଗିବା ସହିତ ମୂଳ ଜିନିଷ ଟିର ଚାହିଦା କ୍ରମଶଃ କମି କମି ଯାଉଛି l

ଏବେବି ଡେରି ହୋଇନାହିଁ l ଓଡ଼ିଶାବାସୀ ଇଚ୍ଛା କଲେ ଏହି ଦିନର ସ୍ୱତନ୍ତ୍ରତା ସବୁଦିନ ବଜାୟ ରହିବ l ଇଂରାଜୀ ନବବର୍ଷ ପାଳନ ସମୟରେ ଯେଉଁ ଆଗ୍ରହ ରାଜ୍ୟବାସୀ ଦେଖାଉଛନ୍ତି, ନିଜ ଓଡ଼ିଆ ନବବର୍ଷ ପାଳନ ସମୟରେ ମଧ୍ୟ ଦେଖାନ୍ତୁ l ଗଣମାଧ୍ୟମ ମଧ୍ୟ ଏ ଦିଗରେ ସହାୟତାର ହାତ ବଢ଼େଇ ପାରିବ l କାରଣ ସାମ୍ପ୍ରତିକ ପରିସ୍ଥିତି ରେ ଯାହା ଖୁବ ଶୀଘ୍ର ଓ ସହଜରେ ଲୋକଙ୍କ ପାଖକୁ ପହଞ୍ଚି ପାରୁଛି, ସେମାନଙ୍କୁ ପ୍ରଭାବିତ କରିପାରୁଛି ତାହା ହେଉଛି ଖବରକାଗଜ ଓ ଟେଲିଭିଜନ ରେ ପ୍ରଦର୍ଶିତ ଖବର l ତେଣୁ ଲୋକଙ୍କ ଭିତରେ ଓଡ଼ିଆ ନବବର୍ଷ ପାଳନର ସ୍ପୃହା କୁ ବୃଦ୍ଧି କରାଯାଇପାରିବ l ଏପରି ହେବା ଦ୍ୱାରା କ୍ରମେ ଭୁଲିବାକୁ ଯାଉଥିବା ଆମର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ପୁଣିଥରେ ଆମ ଓଡ଼ିଆଙ୍କୁ ଆବୋରି ବସିବ l ମୁନା ଭଳି ପିଲାମାନେ ଆମର ଆଗାମୀ ଭବିଷ୍ୟତ l ତେଣୁ ସେମାନଙ୍କ କୋମଳମତି ମନ ଓ ହୃଦୟରେ ଓଡ଼ିଶାର ମହାନ ସଂସ୍କାରକୁ ରୋପଣ କରିବାର ଦାୟିତ୍ୱ ଆମ ସମସ୍ତଙ୍କର l ବନ୍ଦେ ଉତ୍କଳ ଜନନୀ……

🔸ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ଫୋନ – 6370516478
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର

Leave A Reply

Your email address will not be published.

eighteen − 13 =