ରାଜ୍ୟସଭା ରେସ୍‌: ସସ୍ମିତଙ୍କୁ ଦ୍ୱିତୀୟ ଥର ସୁଯୋଗ

0 388

🔸 ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ଖୁସ୍‌

🔸 କନ୍ଧମାଳ ଦଙ୍ଗା ପ୍ରସଙ୍ଗରେ କଂଗ୍ରେସକୁ ନବୀନଙ୍କ ଜବାବ


ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ତରଫରୁ ଚାରୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରାଯାଇଛି । ଯାଜପୁରର ବିଜେଡି ନେତ୍ରୀ ସୁଲତା ଦେଓ, ବିଜେଡି ଗଣମାଧ୍ୟମ ସେଲ୍‌ ପ୍ରମୁଖ ମାନସ ମଙ୍ଗରାଜ, ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ନେତା ସସ୍ମିତ ପାତ୍ର ଓ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ଟିକେଟ୍‌ ଦେଇଛି । ରାଜ୍ୟସଭା ଟିକେଟ୍‌ ପାଇଁ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ବାରମ୍ବାର ବିଜେଡି ରାଜ୍ୟ ସଭାପତିଙ୍କ ପ୍ରତିଶ୍ରୁତି କଥା ବିଭିନ୍ନ ମଞ୍ଚରେ ଉଠାଉଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।
ତେବେ ସସ୍ମିତଙ୍କ ପୁନଃ ମନୋନୟନ କେବଳ ଖ୍ରୀଷ୍ଟିୟାନ ସମ୍ପ୍ରଦାୟକୁ ଖୁସି କରିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ନିକଟରେ ଓଡ଼ିଶା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଅଭିଯୋଗ କରିଥିଲା ଯେ ୨୦୦୮ ମସିହାରେ କନ୍ଧମାଳ ଦଙ୍ଗା ପଛରେ ଶ୍ରୀ ପାତ୍ରଙ୍କ ପରିବାରର ହାତ ଥିଲା । ତେବେ ବିଜେଡି ହାଇକମାଣ୍ଡ୍‌ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଖୁସି କରିବାକୁ ଯାଇ ଏସବୁକୁ ଅଣଦେଖା କରି ଦେଇଛନ୍ତି ବୋଲି କୁହାଯାଉଛି । ଯାହାକି କଂଗ୍ରେସ ପାଇଁ ଏକ ମୁହଁତୋଡ୍‌ ଜବାବ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ସସ୍ମିତ ପୂର୍ବରୁ କଂଗ୍ରେସରେ ଥିଲେ । ପରବର୍ତ୍ତୀ ସୟରେ ସେ ବିଜେଡିରେ ଯୋଗ ଦେଇଥିଲେ । କଂଗ୍ରେସ ସୂତ୍ର ଅନୁଯାୟୀ କନ୍ଧମାଳ ଦଙ୍ଗା ସମ୍ପୃକ୍ତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା ଚାଲିଥିବା ବେଳେ ଶ୍ରୀ ସସ୍ମିତ ଦଳ ଛାଡ଼ିଥିଲେ । କନ୍ଧମାଳ ଦଙ୍ଗା ସମୟରେ ଜୟଦେବ ଜେନା ରାଜ୍ୟ କଂଗ୍ରେସ ସଭାପତି ଥିଲେ । ସସ୍ମିତ ପାତ୍ର ସେତେବେଳେ ଯୁବ କଂଗ୍ରେସର ନେତା ଥିଲେ । ସେହି ସମୟରେ କନ୍ଧମାଳରେ ଘଟିଥିବା ଘଟଣାରେ ସସ୍ମିତ ଏବଂ ତାଙ୍କ ପିତାଙ୍କ ହାତ ଥିବା ଅଭିଯୋଗ ଆସିଥିଲା । ଦୀର୍ଘଦିନ ଧରି ଆରଏସଏସ ଏବଂ ଭିଏଚପି ସସ୍ମିତ ଏବଂ ତାଙ୍କ ପିତାଙ୍କ ବିରୋଧରେ ସମାନ ଅଭିଯୋଗ କରି ଆସୁଥିଲେ ।
ଏହି ଦଙ୍ଗା ସର୍ବଦା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସନ୍ଦେହ କରାଯାଉଥିଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ହିଂସା ଘଟାଇଥିଲା । ସେତେବେଳେ ଶ୍ରୀ ସସ୍ମିତଙ୍କ ପିତା ଡ. ସ୍ୱରୂପାନନ୍ଦ ପାତ୍ର ବିବାଦର କେନ୍ଦ୍ରରେ ଥିଲେ । ସେ କନ୍ଧମାଳ ଜିଲ୍ଲାର ଧର୍ମ ଗ୍ରହଣ କରିଥିବା ଖ୍ରୀଷ୍ଟିଆନମାନଙ୍କର ଜଣେ ପ୍ରମୁଖ ନେତା ଥିଲେ । ସେ କନ୍ଧମାଳରେ ଖ୍ରୀଷ୍ଟିଆନ ମିଶନାରୀ ସଂଗଠନର ପୃଷ୍ଠପୋଷକ ଥିଲେ ।

Leave A Reply

Your email address will not be published.

one × 4 =