🔸ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ନାରୀ ସଶକ୍ତିକରଣର ଡିଣ୍ଡିମ ସବୁଆଡେ ପିଟା ଚାଲିଛି l ନାରୀମାନେ କିଛି କରିବାକୁ ଇଚ୍ଛା କଲେ, ପ୍ରଥମେ ଘରୁ ପାଦ କାଢ଼ିବା ଆବଶ୍ୟକ l ସେଥିପାଇଁ ପରିବାର ଏବଂ ଆତ୍ମୀୟଙ୍କ ତରଫରୁ ସେମାନଙ୍କୁ ଦରକାର ଟିକେ ସହଯୋଗ ଏବଂ ସ୍ୱାଧୀନତା l କିଛି ଦଶନ୍ଧି ପୂର୍ବେ ମହିଳାମାନଙ୍କ ଅବସ୍ଥା ଯାହା ଥିଲା, ସେଥିରେ ଏବେ ଢ଼େର ପରିବର୍ତ୍ତନ ଆସିଛି l ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହିବା, ଘରଲୋକ ଏବଂ ପିଲାଛୁଆଙ୍କ ଯତ୍ନ ନେବା, ନିଜ ଇଚ୍ଛାକୁ ମାରି ନାନାଦି କଟକଣା ଭିତରେ ହିଁ ସମୟ ଅତିବାହିତ କରିବା ଭଳି ପରିସ୍ଥିତି ଆଉ ନାହିଁ l ନିଜ ଗୋଡ଼ରେ ନିଜେ ଛିଡା ହେବା, ସ୍ୱାବଲମ୍ବୀ ହେବା, ରୋଜଗାର କରିବା, ପରିବାରର ଭରଣ ପୋଷଣର ଦାୟିତ୍ୱ ନେବା ଆଦି ଅନେକ କାମ କରି ସେ ନିଜର ଦକ୍ଷତା, ଯୋଗ୍ୟତା ଏବଂ ପାରିବାପଣିଆ ର ପରିଚୟ ଦେଇସାରିଛି l ହେଲେ ଆଧୁନିକତା କୁହାଯାଇପାରେ କିମ୍ବା ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ମହିଳାମାନେ ଧୀରେ ଧୀରେ ନିଜର ଶାଳୀନତା, ସଂଯମ, ନମ୍ରତା ଏବଂ ଧୈର୍ଯ୍ୟ ହରାଇ ବସିଲେଣି l ପୁରୁଷ ସହିତ ସମାନ ହେବାକୁ ଯାଇ ନାରୀ ତାର ପ୍ରକୃତି ବିପରୀତ କାର୍ଯ୍ୟାବଳୀ ସବୁ କରିବା ଆରମ୍ଭ କରିଛି l ବେଶପୋଷାକ, ଚାଲିଚଳଣ ଏପରିକି ମାନସିକତାରେ ମଧ୍ୟ ବିକୃତ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି l ସ୍ୱାଧୀନତାର ବାସ୍ତବିକ ଅର୍ଥ ନାରୀ ବୁଝିବାକୁ ନାରାଜ ! ତାକୁ କେବଳ ଏହି ସମାଜରେ ପୁରୁଷଙ୍କ ସହ ପ୍ରତିଯୋଗିତା କରିବାର ଅଛି l
ଶିକ୍ଷାଗ୍ରହଣ କରିବା ନାରୀର ଅଧିକାର, ଏହାକୁ ସେ ପୂର୍ଣ୍ଣମାତ୍ରାରେ ସାବ୍ୟସ୍ତ କରୁ l ତାର ଯେତେ ଇଚ୍ଛା ପାଠ ପଢୁ, ମାତ୍ର ଶିକ୍ଷାଗ୍ରହଣ ପରେ ତାକୁ ଉଚିତ ମାର୍ଗରେ ବ୍ୟବହାର କରୁ l ନିଜେ ଶିକ୍ଷିତ ହୋଇ ଗୋଟିଏ ଶିକ୍ଷିତ ପରିବାର ଏବଂ ଆଗକୁ ଯାଇ ଏକ ଶିକ୍ଷିତ ସମାଜ ଗଠନରେ ସହାୟକ ହଉ l ହେଲେ ଘଟୁଛି କଣ, ନାରୀ କେତେକାଂଶରେ ଡିଗ୍ରୀଧାରୀ ବ୍ୟକ୍ତି ଟିଏ ପାଲଟି ଯାଉଛି l ଯିଏ ସମାଜରେ ଥରେ ଗୋଟିଏ ପଦ ପଦବୀରେ ଅଧିଷ୍ଠିତ ହେଲା ପରେ ଉଦ୍ଧତ ଏବଂ ନିୟନ୍ତ୍ରଣହୀନ ହୋଇଯାଉଛି l ଛୋଟବଡ଼ କାହାକୁ ଯଥେଷ୍ଟ ସମ୍ମାନ ନ ଦେଇ ସେମାନଙ୍କୁ ଅବହେଳା କରୁଛି l ଚାକିରୀ କିମ୍ବା ବ୍ୟବସାୟ କରିଦେଲା ବୋଲି ଯେ ଘର ଓ ପିଲାଙ୍କ ଦାୟିତ୍ୱର ଭାର ତାର ନେବାର ଆବଶ୍ୟକତା ନାହିଁ ବୋଲି ଭାବିବା ଉଚିତ ନୁହେଁ l ନାରୀ ସର୍ବଗୁଣ ସମ୍ପର୍ଣ୍ଣI, ସେ ଚାହିଁଲେ ଏକାବେଳକେ ସବୁ କାମ କରିପାରିବ l ତା ପାଇଁ ନିଷ୍ଠା ଓ ଚେଷ୍ଟା ଟିକେ ଲୋଡ଼ପଡେ l ଉତ୍ତମ ବୁଝାମଣା ଓ ଯତ୍ନଶୀଳ ମନୋବୃତ୍ତି ନେଇ ଟିକେ ଭାବିଲେ ସେ ସବୁ କରିପାରିବ l
ନାରୀ ମାନେ ପାଶ୍ଚତ୍ୟ ସଂସ୍କୃତିର ଅନୁକରଣ କରି ବିଦେଶିନୀ ମହିଳାଙ୍କ ଭଳି ହେବାକୁ ଚେଷ୍ଟା ନ କରନ୍ତୁ l କଥନଶୈଳୀ, ବେଶ ପରିପାଟୀ ରେ ସଂଯମ ଓ ଲଜ୍ଜ୍ୟା ଆମ ଭାରତୀୟ ନାରୀଙ୍କ ସ୍ୱତନ୍ତ୍ରତା l ଆଧୁନିକତା ଏବଂ ଲୋକପ୍ରିୟତା ପାଇଁ ସେମାନଙ୍କ ଭଳି ହେବାରେ କିଛି ଭବିଷ୍ୟତ ନାହିଁ l ଯେତେ ଯେତେ ସେମାନେ ଏହି ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହେଉଛନ୍ତି, ସେତେ ସେତେ ନିଜର ଅସଲ ପରିଚୟ ଠାରୁ ଦୂରେଇ ଯାଉଛନ୍ତି l ଫଳରେ ଲୋଭ, ସ୍ୱାର୍ଥ, ପରଶ୍ରୀକାତରତା ଭଳି ଅଵଗୁଣ ତାଙ୍କ ଭିତରେ ଭର୍ତ୍ତି ହୋଇ ଯାଉଛି l ପରିଣାମ ଆମ ସଂସ୍କାର, ପରମ୍ପରା, ମର୍ଯ୍ୟାଦାକୁ ଭଙ୍ଗ କରିବାକୁ ସୁଦ୍ଧା ତାଙ୍କର ଦ୍ଵିଧା ରହୁନାହିଁ l ଏହାର ସୁଯୋଗ ନେଇ ଘଟି ଯାଉଛି କେତେ ଅମାନୁଷିକ, ଘୃଣିତ କାର୍ଯ୍ୟ l ଶୋଷଣ, ଅହିଂସା, ଅପରାଧର ଲେଲିହାନ ଶିଖାରେ କେତେ ଯେ ମହିଳା ନିତିଦିନ ମଉଳି ଯାଉଛନ୍ତି l
ଉପରୋକ୍ତ ବିଷୟ ଉପରେ ଆଲୋଚନା କରିବା ପରେ ପ୍ରଶ୍ନ ଉଠେ, ଏହା ପାଇଁ ଦାୟୀ କିଏ ? ଅଭିଭାବକ, ପରିବାର ନା ସମାଜ ? ଉତ୍ତର ଟି କିନ୍ତୁ ଜଟିଳ l ଆମେ ଯେତେ ଯାହାକୁ ଦୋଷ ଦେଲେ କଣ ହବ, ଏହି କ୍ରମବର୍ଦ୍ଧିଷ୍ଣୁ ସମସ୍ୟାର ସମାଧାନ କଷ୍ଟକର l ଆମେ ବସବାସ କରୁଥିବା ସମାଜ ଧୀରେ ଧୀରେ ଉତଶୃଙ୍ଖଳ ହେବାକୁ ଲାଗିଲାଣି l କେହି ଆଉ କାହାକୁ ମାନି ଚାଲିବାକୁ ନାରାଜ l ଗୋଟିଏ ଜିଦ୍, ଗୋଟିଏ ନୀରବ ପ୍ରତିଯୋଗିତା ଚାଲିଛି ସମସ୍ତଙ୍କ ଭିତରେ l ପ୍ରତିଟି ବ୍ୟକ୍ତି ଅନ୍ୟଜଣକୁ ପଛରେ ପକେଇ ଆଗେଇ ଯିବାକୁ ଚାହୁଁଛି l ସହଯୋଗର ହାତ ଟିଏ ବଢ଼େଇ, କେହି କାହାକୁ ସାଙ୍ଗରେ ନେଇ ଯିବାକୁ ଉଦ୍ୟତ ହଉ ନାହାନ୍ତି l ଗୋଟିଏ ଅନିଶ୍ଚିତ ପରିଣାମ ଜନିତ ସ୍ପର୍ଦ୍ଧା ସଭିଙ୍କୁ ଆବୋରି ବସିଛି l ଯାହାର ଭବିଷ୍ୟତ ଆକଳନ କରିବା ଏକ ଦୁରୂହ ବ୍ୟାପାର ହେଲାଣି l
ସବୁ ମହିଳା ଏକା ପ୍ରକାର ନୁହଁନ୍ତି, ଏବେବି ଆମ ସମାଜ ଅନେକ ମହିୟସୀ, ନୀତିବାନ, କର୍ମଠ, ନିଃସ୍ୱାର୍ଥପର ମହିଳାଙ୍କ ବଳରେ ତିଷ୍ଠିଛି l ସତକଥା ହେଲା, ସବୁଠି ଭଲ ଓ ଖରାପର ମିଶ୍ରଣ ରହିଥାଏ l କିନ୍ତୁ ତା ମଧ୍ୟରେ ଏକ ସନ୍ତୁଳନ ରହିବା ଦରକାର l ଭୁଲ ଧୀରେ ଧୀରେ ଭଲ ରେ ପରିଣତ ହେବା ପାଇଁ ଆମେ ଆଶାୟୀ ହେବା l ପରସ୍ପର ସହିତ ବୁଝାମଣା ଏବଂ ଏକତା ଭାବ ରଖିବା l ପୁରୁଷ ମାନଙ୍କ ସହଯୋଗ ମଧ୍ୟ ଏହାପାଇଁ ଅତ୍ୟନ୍ତ ଆବଶ୍ୟକ l
ମହିଳାମାନେ ନିଜେ ନିଜକୁ ଆକଳନ କରନ୍ତୁ l କେଉଁ ପରିବର୍ତ୍ତନ ଆଡକୁ ମୁହେଇଛନ୍ତି ସେମାନେ, ସମୟ ଥାଇ ତାକୁ ଚିହ୍ନନ୍ତୁ l ଏଭଳି ଧାରାବାହିକତା ଚାଲିଲେ କ୍ରମେ ସେମାନଙ୍କର ବିକାଶ ହେବ, ନା ଉତଶୃଙ୍ଖଳ ଏବଂ ଉଦ୍ଧତ ପରିଚୟ ଯୋଗୁଁ ସମାଜର ପତନ ହେବ l ସମସ୍ତେ ଜାଣନ୍ତି ନାରୀ ହେଉଛି ସୃଷ୍ଟିକାରିଣୀ ଏବଂ ତାରି ହାତରେ ଅଛି ସେ କେମିତି ଏହି ସୃଷ୍ଟିକୁ ପାଳନ କରିବ l ନିଜର ଧୈର୍ଯ୍ୟ, ସଂଯମ, ସହନଶୀଳତା କୁ ଅସ୍ତ୍ର କରି ଏକ ସୁନ୍ଦର ସଂସାର ଗଢ଼ିବ ନା ଅମାନିଆ, ଅସହିଷ୍ଣୁ ଏବଂ ନିର୍ଲଜ ହୋଇ ସୃଷ୍ଟିର ପତନ ଧାରାରେ ନିଜକୁ ସାମିଲ କରିବ l ନିର୍ଣ୍ଣୟ ଏବେ ସ୍ୱୟଂ ନାରୀ ହାତରେ l
🔸ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸