ଲକ୍ଷ୍ମୀପ୍ରିୟା ଓଝା
୧୨ ମାର୍ଚ୍ଚ ୨0୨୧ ରୁ ୧୫ ଅଗଷ୍ଟ ୨0୨୩ ପର୍ଯ୍ୟନ୍ତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କଲେ | ଅନେକ ମୁଖ୍ୟ ଲକ୍ଷ୍ୟ ମଧ୍ୟରୁ ପ୍ରମୁଖ ଲକ୍ଷ୍ୟ ସ୍ୱାଧୀନତା ସଂଗ୍ରାମର ଅକୁହା କାହାଣୀକୁ ସମସ୍ତଙ୍କ ଜ୍ଞାତସାରକୁ ଆଣିବା ସହ ଆଜିର ଯୁବ ଏବଂ କିଶୋର ଗୋଷ୍ଠୀ ମଧ୍ୟରେ ଜାତୀୟତାର ଭାବ ଉଦ୍ରେକ କରି ଦେଶକୁ ବିକାଶ ପଥରେ ଆଗେଇନେବା | ସେଥିପାଇଁ ସରକାରୀ, ବେସରକାରୀ ସ୍ଥରରେ ବିଭିନ୍ନ କାର୍ଯ୍ୟକ୍ରମମାନ ସମାହିତ ହେଇ ଚାଲିଥିଲେ ମଧ୍ୟ ଦେଶର ପ୍ରତ୍ୟେକ ନାଗରିକ ଏହାର ଭାଗିଦାର ହେଇପାରୁନଥିଲେ | ଅଗଷ୍ଟ ୧୧ ରୁ ୧୫ ପର୍ଯ୍ୟନ୍ତ ପ୍ରତି ଘରେ ଆମ ଦେଶର ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଲେ | ସେଥିପାଇଁ ଅନେକ ବ୍ୟଙ୍ଗ, ଆଲୋଚନା, ସମାଲୋଚନା, ପର୍ଯ୍ୟାଲୋଚନା ଚାଲିଲା ବିଭିନ୍ନ ସୋସିଆଲ ମିଡିଆରେ | କିଏ କହିଲା ଜାତୀୟ ପତାକା ମାଗଣା ବାଣ୍ଟିବା ଠିକ ନୁହେଁ ତ କିଏ କହିଲା ମାଗଣା ପତାକା ମିଳୁନି | ଆଉ କିଏ କହିଲା ପତାକା ତ ବାଣ୍ଟି ଦେଲେ ତାକୁ ଉଡେଇବାର ବିଧି, ସମ୍ଭଳିକି ରଖିବାର ବିଧି ଆଦି ତ କହିଲେନି | ଆଉ ଅନେକ କହିଲେ ଆଜି ମାଗଣାରେ ବଣ୍ଟା ଯାଇଥିବା ପତାକା କାଲିକୁ ନାଳି ବା ରାସ୍ତାକଡ଼ ଡଷ୍ଟବିନରେ ପଡିଥିବ | ଆଉ କେହି କହିଲେ ଆମକୁ ଡିପିରେ ଫଟୋ ରଖି ବା ଜାତୀୟ ପତାକା ଉଡେଇ ନିଜର ଦେଶପ୍ରେମ ଦେଖେଇହେବାର ଆବଶ୍ୟକତା ନାହିଁ | ଏମିତି ଅନେକ କଟାକ୍ଷ ପଢିବାକୁ ଶୁଣିବାକୁ ମିଳିଲା | ଆଉ ଜାତୀୟ ପତାକା ଉଡା ସରିବାପରେ କେହି କେହି ତ ମନ କଷ୍ଟ କଲେ କାହାର ଗେଟ ପାଖରେ, ବାଇକରେ ପତାକା ଲାଗିଥିବା ଦେଖି ଆଉ କେହି ଛାତ ଉପରେ ବା ବାଲକୋନୀରେ ଲାଗିଥିବା ପତାକା ଝୁଙ୍କି ଯାଇଥିବା ଦେଖି ମଧ୍ୟ ମନକଷ୍ଟ କଲେ | ଏମିତି ଅନେକ ଅସନ୍ତୋଷ ସାମ୍ନାକୁ ଆସିଲା |
ଅଗଷ୍ଟ ପନ୍ଦର ଦିନ ବହୁତ ବର୍ଷା | ଖୁବ ଛୋଟ ବେଳୁ ମୁଁ ଆମ ଗାଁରେ ସ୍କୁଲ ସହ ଘରେ ଗାଁ ପିଲାଙ୍କୁ ନେଇ ପତାକା ଉତ୍ତୋଳନ କରୁଥିଲି ଆଉ ବାହାହେଇ ଆସିବା ପରେ ଅଫିସ ଯାଉଥିଲୁ ଉତ୍ସବରେ ଭାଗ ନେବାପାଇଁ | ଏଥର କିନ୍ତୁ ପ୍ରଥମଥର ପାଇଁ କିଣିକି ଆମେ ଆମ ଘରେ ଖୁବ ଲମ୍ବା ବାଉଁଶରେ ପତାକାଟିଏ ବାନ୍ଧି ଉଡେଇଲୁ | ମୋ ପତାକାଟିକୁ ଦେଖିବାକୁ ହେଲେ ମଝିରେ ମଝିରେ ମୋତେ ମୁଣ୍ଡ ଉଠେଇ ଦେଖିବାକୁ ପଡୁଛି | କିନ୍ତୁ ସବୁଠୁ ମୋତେ ଭଲ ଲାଗୁଛି ମୋ ସାମ୍ନା ଘର ଦୋକାନ ଛାତ ଆଉ ପଡୋଶୀ ଘର ବାଲକୋନୀରୁ ଉଡୁଥିବା ପତାକା | ଯାହା କାମ କଲାବେଳେ, ବସିଲା ବେଳେ ବା ଯିବା ଆସିବା କଲାବେଳେ ଆଖିରେ ଆପେ ପଡି ଯାଉଛି | ସେଥିପାଇଁ କନ୍ସସ ହେଇ ମୁଣ୍ଡ ଉଠେଇ ଦେଖିବାକୁ ପଡୁନାହିଁ |
ଅଗଷ୍ଟ ପନ୍ଦର ପରଦିନ ବର୍ଷା ଛାଡ଼ିଯାଇଥିଲା | ମୁଁ ୱାକିଙ୍ଗ କରିବାକୁ ଗଲାବେଳେ ସହରର ପ୍ରତି ଘର ବାଲ୍କୋନି, ଗେଟ, ଛାତ ଆଦିରେ ପତାକା ଉଡୁଥିଲା | ହଁ ଅନେକ ପତାକା ପବନରେ ଝୁଙ୍କି ଯାଇଥିଲା ସତ କିନ୍ତୁ ଦେଖିକି ମନରେ କେମିତି ଗୋଟେ ଉଲ୍ଲାସ ଏବଂ ଜାତୀୟତାର ଭାବ ଉଦ୍ରେକ ହେଉଥିଲା | ତା ଦୁଇଦିନ ପରେ ଗାଁ କୁ ଗଲି ,ଗାଁର ସେ ଚାଳ ଛପର ହେଉ ବା ଟିଣ କି ଏକ ମହଲା ଦି ମହଲା ଛାତ ପ୍ରତ୍ୟେକ ଘର ଉପରେ ଜାତୀୟ ପତାକା ସଗର୍ବେ ଫଡଫଡ଼ ହେଇ ଉଡୁଥିଲା | ସମ୍ପୂର୍ଣ୍ଣ ଗାଁ ଉତ୍ସବ ମୁଖର ଲାଗୁଥିଲା | ଏମିତି ସମାନତାର, ଆନନ୍ଦର ଅନୁଭବ ମୋ ପଚାଶ ବର୍ଷ ଜୀବନକାଳ ଭିତରେ କେବେ ମୁଁ କରିନଥିଲି |
ଏ ଭିତରେ ଅଗଷ୍ଟ ପନ୍ଦରକୁ ପାଞ୍ଚ ଦିନ ବିତି ଗଲାଣି | ଅନେକଙ୍କ ଘରେ ପତାକା ଉଡୁଛି | ରାସ୍ତା ଘାଟରେ, ନାଳ କଡରେ ବା ଡଷ୍ଟବିନରେ ହୁଏତ କିଛି ପତାକା ପଡ଼ିଥାଇ ପାରେ | ( ଏ ପର୍ଯ୍ୟନ୍ତ ମୁଁ ଦେଖିନି |) ଯିଏ ପକେଇଥିବେ ତାଙ୍କ ଭିତରେ ଜାତୀୟତାର ଭାବ ଉଦ୍ରେକ ହେଉ | ଆଉ ଯଦି ପତାକା ପବନରେ ଝୁଙ୍କି ଗଲା, ବାଲ୍କୋନି, ଗେଟ କି ଇଲେକ୍ଟ୍ରି ଖୁଣ୍ଟରେ, ଡଷ୍ଟବିନ ପାଖରେ ବନ୍ଧା ହେଲା ତାକୁ ଦେଖି ଦେଖି ଆମ କୋମଳମତି ପିଲାଙ୍କ ଭିତରେ ଜାତୀୟତାର ଭାବ ଉଦ୍ରେକ ହେଲା , ଆମ ଭିତରେ ଆମେ ଭାରତୀୟ ହେବାର ଅନୁଭବ ଟିକକୁ ଉଜ୍ଜୀବିତ ରଖିଲା ତେବେ ଏମିତି ପତାକା ଉଡ଼ୁଥିଲେ କିଛି ଅସୁବିଧା ନାହିଁ ମୋ ମତରେ | ପୁଣି ଯେଉଁମାନେ ପ୍ରଶ୍ନ କରୁଥିଲେ ଅଗଷ୍ଟ ପନ୍ଦର ପରେ କ’ଣ କରିବେ ସେ ପତାକା ? ମୋର ପ୍ରଶ୍ନ ସେମାନଙ୍କୁ, ଆପଣଙ୍କୁ କୌଣସି ଉତ୍ସବରେ କେହି ଶାଢ଼ୀ ବା ଡ୍ରେସ ଦେଲେ ସେଇଦିନ ପିନ୍ଧିଲା ପରେ ତାକୁ ଫୋପାଡ଼ି ଦିଅନ୍ତି ନା ସାଇତି ରଖନ୍ତି ଅନ୍ୟ ଦିନେ ପିନ୍ଧିବା ପାଇଁ ? ତାହାଲେ ପତାକାକୁ କାହିଁ ସାଇତି ରଖି ପାରିବେନି ଜାନୁୟାରୀ ଛବିସ ବା ଅଗଷ୍ଟ ପନ୍ଦର ପର୍ଯ୍ୟନ୍ତ ? ଯଦି ଆମେ କୌଣସି ବାବା, ମାତାଙ୍କ ନିର୍ଦ୍ଦେଶ ଅନୁସାରେ ବା ନିଜ ଇଛାରେ ଅନ୍ୟ ପତାକା, କପଡା ଆଦି ଘରେ ବର୍ଷ ବର୍ଷ ଧରି ବାନ୍ଧି ପାରୁଛେ, ଜାତୀୟ ପତାକା ଆମ ଛାତ ଉପରେ ବର୍ଷ ସାରା କାହିଁ ଉଡେଇ ପାରିବାନି ? ଏଥିରେ କ୍ଷତି କ’ଣ ?
ଆମ ତ୍ରିରଙ୍ଗା କେତେ ସୁନ୍ଦର ଦିଶେ କହିଲେ ? ଆଉ ଯେବେ ପବନରେ ଫରଫର ହେଇ ଉଡେ ମନକୁ କେତେ ଖୁସି ନଦିଏ ସତେ | ତେଣୁ ମୋ ମତରେ ଏମିତି ବର୍ଷ ସାରା ଆମ ତ୍ରିରଙ୍ଗା ଆମ ଘର ଛାତ ଉପରେ ଉଡୁଥାଉ | ଆମକୁ ସମାନତାର, ଭାଇଚାରାର, ଭାରତୀୟ ହେବାର ଅନୁଭବ ଟିକକ ସଦା ଭୁଲିବାକୁ ନଦେଉ | ସୁପ୍ତ ଦେଶପ୍ରେମକୁ ଜାଗ୍ରତ କରୁଥାଉ | ଭାରତ ମାତାଙ୍କର ଜୟ ହେଉ |
ଭୁବନେଶ୍ୱର
ଫୋନ – 7490996865