ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ମାହାଙ୍ଗା ରାଜନୀତି ନୂଆ ମୋଡ଼ ନେବାକୁ ଯାଉଛି । ଏଠାରୁ ବିଧାୟକ ଥିବା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ୍ ମିଳି ନପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ରାଜନୀତିରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଜଣେ ବିବାଦୀୟ ବ୍ୟକ୍ତିତ୍ୱ ବୋଲି ବିଭିନ୍ନ ଘଟଣାରେ ଆଲୋଚନା ହୋଇ ଆସିଛି । ମାହାଙ୍ଗା ଡବଲ୍ ମର୍ଡର ହେଉ କି ବର୍ତ୍ତମାନ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା ହେଉ, ସବୁଥିରେ ବିଧାୟକଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଛି । ନାବାଳିକା ଛାତ୍ରୀଙ୍କ ବାପା ବିଧାୟକଙ୍କ ଖାସ୍ ଲୋକ ବୋଲି କୁହାଯାଉଛି । ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡରର ମୁଖ୍ୟ ଅଭିଯୁକ୍ତ ବିଧାୟକଙ୍କ ପାଖ ଲୋକ ବୋଲି କୁହାଯାଉଥିଲା ବେଳେ ତାଙ୍କର ଏକ ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତେଣୁ ୩ଟି ହତ୍ୟା ଘଟଣାରେ ବିଧାୟକଙ୍କ ସମ୍ପୃକ୍ତ ନେଇ ଅଭିଯୋଗ ଆସିବା ବେଳେ ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କୁ ମାହାଙ୍ଗାରୁ ବିଜେଡି ଟିକେଟ୍ ମିଳି ନପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ବିଧାୟକ ଶ୍ରୀ ଜେନା ରାଜ୍ୟ କ୍ୟାବିନେଟର ଶେଷ ସମ୍ପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରିମଣ୍ଡଳରେ ବାଦ ଦେଇଥିଲେ । ସେବେଠାରୁ ମାହାଙ୍ଗା ବିଧାୟକଙ୍କ ଉପରେ ଡେମୋକ୍ଲିସ୍ ଖଣ୍ଡା ଝୁଲିବା ଆରମ୍ଭ ହୋଇଯାଇଥିଲା । ଆସନ୍ତା ୨୦୨୪ ନିର୍ବାଚନରେ ବିଜେଡି ରଣନୀତି ଅନୁଯାୟୀ ବହୁ ପୁରୁଣା ମୁହଁ ବାଦ୍ ପଡ଼ିବା ସହ ନୂଆ ମୁହଁଙ୍କୁ ସୁଯୋଗ ମିଳିବ ।
ଏହି ପରିପ୍ରେକ୍ଷୀରେ ମହାଙ୍ଗାରୁ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ଶରତ କରଙ୍କ ପୁତ୍ର ଶୋଭନ କରଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି । ମାହାଙ୍ଗାରେ ଶରତ କରଙ୍କ ପ୍ରତି ଲୋକଙ୍କର ଏକ ଭିନ୍ନ ଭାବାବେଗ ଯୋଡ଼ି ହୋଇରହିଛି । ଏହି ଭାବାବେଗକୁ ଭୋଟରେ ପରିଣତ କରିବା ପାଇଁ ସ୍ୱର୍ଗତ କରଙ୍କ ପୁତ୍ର ଶୋଭନ କର ଭାରତୀୟ ରାଜସ୍ୱ ସେବା(ଆଇଆରଏସ୍)ରୁ ସ୍ୱେଚ୍ଛାକୃତ ଅବସର ନେଇ ଏବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ନିଜର ସଂଗଠନ ତିଆରି କରିବାରେ ଲାଗିଛନ୍ତି । ପ୍ରାୟ ବର୍ଷାଧିକ କାଳ ସେ ମହାଙ୍ଗାରେ ‘ଶରତ କର ଓ ଅନିମା କର ଫାଉଣ୍ଡେସନ୍’ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ତରଫରୁ ଟିକେଟ୍ ମିଳିପାରେ ବୋଲି ମାହାଙ୍ଗା ଅଞ୍ଚଳରେ ଚର୍ଚ୍ଚା ହେଉଛି । ବିଜେପିର କିଛି ନେତା ମଧ୍ୟ ତାଙ୍କ ଯୋଗାଯୋଗରେ ରହିଛନ୍ତି । ତେଣୁ ଶ୍ରୀ କର ଆସନ୍ତା ନିର୍ବାଚନରେ ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ ବୋଲି କୁହାଯାଉଛି ।
ତେବେ ଶାନ୍ତିସେନା ନ୍ୟୁଜ୍କୁ ନିଜର ପ୍ରତିକ୍ରିୟା ଦେଇ ଶ୍ରୀଯୁକ୍ତ କର କହିଛନ୍ତି, ବାପା ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଥିଲେ । ଉଭୟ ବିଜୁବାବୁ ଓ ନବୀନ ବାବୁଙ୍କ ସହ ବାପା କାର୍ଯ୍ୟ କରିଛନ୍ତି । ଜଣେ ରାଜନୈତିକ ପରିବାରର ସଦସ୍ୟ ଭାବରେ ପିଲାଦିନରୁ ରାଜନୀତିକୁ ବେଶ୍ ପାଖରୁ ଦେଖି ଆସିଛି । ଭାରତୀୟ ରାଜସ୍ୱ ସେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଏବେ ସ୍ୱେଚ୍ଛାକୃତ ଅବସର ନେଇ ନିଜ ଅଞ୍ଚଳରେ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛି । ବାପାଙ୍କ ଦେହାନ୍ତ ପରେ ତାଙ୍କର ଅନେକ ଶୁଭେଚ୍ଛୁ ଓ ରାଜନୀତିକ କର୍ମୀ ଚାହୁଁଥିଲେ ଯେ ବାପାଙ୍କ ପ୍ରତିଷ୍ଠା ଓ ସୁନାମ ମାହାଙ୍ଗା ଅଞ୍ଚଳରେ ବଜାୟ ରହୁ । ସେମାନଙ୍କ ସହାୟତାରେ ମାହାଙ୍ଗ ଅଞ୍ଚଳରେ ଶରତ କର ଓ ଅନିମା କର ଫାଉଣ୍ଡେସନ୍ ମାଧ୍ୟମରେ ବେଶ୍ କିଛି ସାମାଜିକ କାର୍ଯ୍ୟକ୍ରମ ଜାରି ରହିଛି । ବିଜୁ ଜନତା ଦଳରେ ନବୀନ ପଟ୍ଟନାୟକ ହେଉଛନ୍ତି ସର୍ବମାନ୍ୟ ନେତା । ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶାର ପ୍ରଗତି ତ୍ୱରାନ୍ୱିତ ହୋଇଛି । ଭୋଟ କେବଳ ନବୀନ ପଟ୍ଟନାୟକଙ୍କ ନାମରେ ଅଛି । ସେ ଯାହାକୁ ଚାହିଁବେ, ତାଙ୍କୁ ଟିକେଟ୍ ଦେବେ । ତେବେ ମାହାଙ୍ଗା ଅଞ୍ଚଳବାସୀଙ୍କ ଭାବାବେଗକୁ ବିଚାର କରି ବିଜେଡି ସୁପ୍ରିମୋ ଉଚିତ ନିଷ୍ପତ୍ତି ନେବେ ବୋଲି ମୋର ବିଶ୍ୱାସ ରହିଛି ।