କାଳିମାଡ଼ ଘଟଣା: ବିଜୁବାବୁଙ୍କ ପନ୍ଥା ଆପଣାଉଛନ୍ତି ପାଣ୍ଡିୟାନ୍‌

0 711

ବିରୋଧକାରୀକୁ ସାହସୀ ଯୁବକ କହୁଥିଲେ ବିଜୁବାବୁ


ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଖେଇ ଆସୁଛି । ଓଡ଼ିଶାର ରାଜନୀତିକ ପାଣିପାଗ ଚଳଚଞ୍ଚଳ ହୋଇ ଉଠିଛି । ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ୍‌ ସାରା ରାଜ୍ୟ ଏଥିପାଇଁ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ପାଣ୍ଡିୟାନଙ୍କ ନିର୍ବାଚନ ମଣ୍ଡଳୀ ଗସ୍ତକୁ ବିଭିନ୍ନ ସମୟରେ ବିରୋଧୀ ଦଳଗୁଡ଼ିକ ତରଫରୁ ବିରୋଧ କରାଯାଉଛି । କଳାପତାକା ପ୍ରଦର୍ଶନ ସହିତ ଅଣ୍ଡାମାଡ଼ ମଧ୍ୟ ହୋଇଛି ।
ତେବେ ନିକଟରେ ସତ୍ୟବାଦୀ ଗସ୍ତ ବେଳେ ଜଣେ ଯୁବକ ଭାସ୍କର ସାହୁ ପାଣ୍ଡିୟାନଙ୍କୁ କାଳିମାଡ଼ କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳାପତାକା ଦେଖାଉଥିବା ଯୁବକଙ୍କୁ ପୁଲିସ ଧରିବା ପୂର୍ବରୁ ବିଜୁ ଜନତା ଦଳର କର୍ମୀମାନେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରୁଥିଲେ । ମାତ୍ର ଚଳିତ ଥର ଏହା ଦେଖିବାକୁ ମିଳିଲା ନାହିଁ ।
ପାଣ୍ଡିୟାନଙ୍କୁ କାଳିମାଡ଼ କରିଥିବା ଯୁବକ ଭାସ୍କର ସାହୁଙ୍କୁ ଛାଡ଼ି ଦିଆଗଲା ଏବଂ ଭାସ୍କରଙ୍କ ସମସ୍ୟାକୁ ସମାଧାନ କରିବାକୁ ପାଣ୍ଡିୟାନ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ ପାଣ୍ଡିୟାନ ଜଣେ ପୋଖତ ରାଜନେତାର ପରିଧି ଭିତରକୁ ଆସିଗଲେଣି ଏବଂ ପ୍ରକାରନ୍ତରେ ବିଜୁ ପଟ୍ଟନାୟକଙ୍କ ପନ୍ଥାକୁ ଆପଣାଉଛନ୍ତି ବୋଲି କୁହାଯାଇପାରେ ।
ବିଜୁବାବୁଙ୍କ ରାଜନୀତି ସହିତ ଜଡ଼ିତ ପୁରୁଖା ବ୍ୟକ୍ତିମାନେ ଜାଣିଛନ୍ତି ଯେ କୌଣସି ସଭାରେ ବିଜୁବାବୁଙ୍କୁ ବିରୋଧ ହେଲେ ବିଜୁବାବୁ ସିଧାସଳଖ ସେହି ବ୍ୟକ୍ତିକୁ ପାଖକୁ ଡାକି ତାର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତି ଏବଂ ସମାଧାନ ମଧ୍ୟ କରନ୍ତି । ତାର ସାହାସ ପାଇଁ ତାକୁ ବଧାଇ ଦିଅନ୍ତି । କଳିଙ୍ଗର ବୀର ଯୁବକ ବୋଲି ମଧ୍ୟ କୁହନ୍ତି । ପାଣ୍ଡିୟାନଙ୍କ ସତ୍ୟବାଦୀ ଗସ୍ତର କାଳିମାଡ଼ ଘଟଣାର ସମାଧାନକୁ ଦେଖିଲେ ଏହି ଘଟଣା ବିଜୁବାବୁଙ୍କ ଆଚରଣ ସହ ସମ୍ପୂର୍ଣ୍ଣ ମେଳ ଖାଉଛି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ଏହାଦ୍ୱାରା ବିରୋଧୀମାନେ ହତୋତ୍ସାହ ହେବା ସହ ନିରସ୍ତ୍ର ମଧ୍ୟ ହୋଇପଡ଼ିବେ । ତେବେ ଜଣେ ସଚିବସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ପରିଚୟରୁ ବାହାରି ରାଜନେତାର ପରିଚୟ ମଧ୍ୟକୁ ପାଣ୍ଡିୟାନ ଧୀରେ ଧୀରେ ପ୍ରବେଶ କରୁଛନ୍ତି । ପାଣ୍ଡିୟାନଙ୍କ କାର୍ଯ୍ୟଶୈଳୀ ମଧ୍ୟ ପ୍ରଶାସନିକ ଅଧିକାରୀର ପରିସରରୁ ବାହାରି ରାଜନୈତିକ ନେତାଙ୍କ କାର୍ଯ୍ୟଧାରାର ନିକଟବର୍ତ୍ତୀ ହୋଇ ସାରିଲାଣି ।
ତେବେ ପୂର୍ବରୁ ପରଦା ପଛରେ ରହୁଥିବା ପାଣ୍ଡିୟାନ ଏବେ ସମ୍ମୁଖ ଭାଗୁ ଆସି ସାରିଛନ୍ତି ଏବଂ ପୋଖତ ରାଜନେତାଙ୍କ ଭଳି କାର୍ଯ୍ୟ କରୁଛନ୍ତି । ୨୦୨୪ ପୂର୍ବରୁ ପାଣ୍ଡିୟାନ ଏହିପରି ବ୍ୟକ୍ତିଗତ ସଚିବ ରହି କାର୍ଯ୍ୟ ତୁଲାଇବେ କି ସ୍ୱେଚ୍ଛାକୃତ ଅବସର ନେଇ ପ୍ୟାରୀ ମହାପାତ୍ରଙ୍କ ପରି ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ, ତାହା ଦେଖିବାକୁ ବାକି ରହିଛି । ତେବେ ସେ ଯାହା ହେଉନା କାହିଁକି, ୧୪୭ ବିଧାୟକ ଓ ମନ୍ତ୍ରିମଣ୍ଡଳ ଉପରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରେ ପାଣ୍ଡିୟାନ ଓଡ଼ିଶାରେ ‘ନମ୍ବର ଟୁ’ ଶକ୍ତିଶାଳୀ ବ୍ୟକ୍ତିତ୍ୱ ରୂପେ ଉଭା ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.

eight − two =