‘ଶ୍ରୀଜୟଦେବ’ ପୁସ୍ତକ ଲୋକାର୍ପଣ
ଭୁବନେଶ୍ୱର: ସାହିତ୍ୟ ସର୍ଜନା ବ୍ୟକ୍ତିକେନ୍ଦ୍ରିକ ନହୋଇ ସମାଜ କେନ୍ଦ୍ରିକ ହେଉ ବୋଲି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମତପ୍ରକାଶ କରିଛନ୍ତି । ସମକାଳର ସାହିତ୍ୟ ଅଧିକାଂଶ ସ୍ଥଳରେ ବ୍ୟକ୍ତିକେନ୍ଦ୍ରିକ ହୋଇଯାଉଛି । ଏହା ସମାଜ କେନ୍ଦ୍ରିକ ହେଲେ ସମାଜର ପ୍ରଭୂତ ହିତ ସାଧନ ହେବ ତଥା ଓଡ଼ିଆ ସାହିତ୍ୟର ବିଶ୍ୱବ୍ୟାପୀ ପ୍ରସାର ଆବଶ୍ୟକ ବୋଲି ଶ୍ରୀ ବେନହୁର ଓଡ଼ିଶାର ମହାକବି ଶ୍ରୀଜୟଦେବଙ୍କ ଜୀବନୀ ଉପରେ ଲିଖିତ ଇଂରାଜୀ ପୁସ୍ତକ ‘ଶ୍ରୀଜୟଦେବ’ର ଉନ୍ମୋଚନ ଉତ୍ସବରେ ସଭାପତିତ୍ୱ କରି କହିଛନ୍ତି । ଗୀତଗୋବିନ୍ଦ ସଦନରେ ଆୟୋଜିତ କବୀ ବୈଜୟନ୍ତୀମାଳା ବାରିକଙ୍କ ଲିଖିତ ଜୟଦେବଙ୍କ ଜୀବନୀ ଆଧାରିତ ଇଂରାଜୀ ପୁସ୍ତକ ‘ଶ୍ରୀଜୟଦେବ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଥିଲେ, ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ବେଶ୍ ପ୍ରାଚୀନ ଓ ବ୍ୟାପକ । ଓଡ଼ିଶା ବାହାରେ ଓଡ଼ିଆତ୍ୱର ବେଶ୍ ପ୍ରମାଣ ମିଳିଛି । ସୁଦୂର ଆମେରିକାର ମାୟା ସଭ୍ୟତାରେ ମଧ୍ୟ ଓଡ଼ିଆ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ଓଡ଼ିଆମାନେ ନିଜର ଗୌରଦବାଜ୍ୱଳ ଅତୀତର ପୁନରୁଦ୍ଧାର କରିବାକୁ ପ୍ରୟାସ କରିବା ଆବଶ୍ୟକ ତଥା ଓଡ଼ିଆ ପୁସ୍ତକର ଅଧିକରୁ ଅଧିକ ଅନୁବାଦ ହୋଇ ବିଶ୍ୱସ୍ତରରେ ପହଂଚିବା ଉଚିତ ବୋଲି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ । ସମ୍ମାନିତ ଅତିଥି ହଂସନାଥ ସାହୁ ପ୍ରାଚୀ ନଦୀର ଅବବାହିକାର ପୁନରୁଦ୍ଧାର ସହ ଜୟଦେବଙ୍କ ଜନ୍ମପୀଠ କେନ୍ଦୁବିଲ୍ୱର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଲେଖକୀୟ ଅଭିଭାଷଣରେ କବୀ ବୈଜୟନ୍ତୀମାଳା ବାରିକ ଜୟଦେବ ପୁସ୍ତକର ରଚନା ସମ୍ପର୍କିତ ନିଜର ଅନୁଭୂତି ପ୍ରକାଶ କରିବା ସହ ଶ୍ରୀଜୟଦେବଙ୍କ ସାହିତ୍ୟକୁ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ପୁସ୍ତକଟି ଇଂରାଜୀରେ ରଚିତ ହୋଇଛି ବୋଲି କହିଥିଲେ । ଗାଳ୍ପିକ ତଥା ଶାନ୍ତିସେନା ପବ୍ଲିକେଶନ୍ସର ପ୍ରକାଶକ ରଜତ ରଶ୍ୱି ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅଭିମନ୍ୟୁ ବରାଳ, ହଂସନାଥ ସାହୁ, ତୋଫାନ ଚନ୍ଦ୍ର ବାରିକ, ଅଖିଳ ମହାପାତ୍ର, ଲିଙ୍ଗରାଜ ଆଚାର୍ଯ୍ୟ, ଭାଗିରଥୀ ସ୍ୱାଇଁ, ରବିନ୍ଦ୍ର ପାତ୍ର, ବିଜୟ ମିଶ୍ର, ରଘୁନାଥ ମହାପାତ୍ର, ଗୀତିକାର ଅରୁଣ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଜାତା ଦାଶ ଓ ଜନ୍ମେଜୟ ବିଶ୍ୱାଳ ମଂଚ ସଂଯୋଜନା କରିଥିଲା ବେଳେ ଧରିତ୍ର ବିଶ୍ୱାଳ କବିତା ପାଠ କରିଥିଲେ । ଏହି ଅବସରରେ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଲେଖିକା ଶ୍ରୀମତୀ ବାରିକଙ୍କ ସ୍ୱାମୀ ବସନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।