ବିଜେପି ସଭାପତି ଦୌଡ଼
ଭୁବନେଶ୍ୱର: ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିରେ ପୂର୍ବତନ ସଭାପତି ସମୀର ମହାନ୍ତି, ବର୍ତ୍ତମାନର ସଭାପତି ମନମୋହନ ସାମଲ ଓ ଉପସଭାପତି ଗୋଲକ ମହାପାତ୍ର ଆଗରେ ରହିଛନ୍ତି । ବର୍ତ୍ତମାନ ସଭାପତି ଦାୟିତ୍ୱରେ ଥିବା ମନମୋହନ ସାମଲ ନିଜର ସାଂଗଠନିକ ଦକ୍ଷତାରେ ୨୦୨୪ ରାଜ୍ୟ ସାଧାରଣ ନିର୍ବାଚନରେ ବିଜେପିକୁ ଅବିଶ୍ୱସନୀୟ ସଫଳତା ଦେଇ ସରକାରକୁ ଆଣିବାରେ ସଫଳ ହୋଇଛନ୍ତି । ସେହିପରି ପୂର୍ବତନ ସଭାପତି ସମୀର ମହାନ୍ତି ବିଜେପିର ଦାୟିତ୍ୱ ବହନ କରିଥିଲା ବେଳେ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା । ୨୦୨୦ ଜାନୁୟାରୀ ୧୬ରୁ ୨୦୨୩ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ଥିଲେ । ଶ୍ରୀ ମହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତ୍ୟନ୍ତ ଅନୁଗତ ହୋଇଥିଲେ ମଧ୍ୟ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଥିବା ତାଙ୍କର ମନୋମାଳିନ୍ୟ ପୂର୍ବରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥିଲା । ଶ୍ରୀ ମହାନ୍ତିଙ୍କ ପରେ ବର୍ତ୍ତମାନ ମନମୋହନ ସାମଲ ସଭାପତି ଦାୟିତ୍ୱ ତୁଲାଉଛନ୍ତି । ଗତ ୨୦୨୪ ନିର୍ବାଚନରେ ରାଜ୍ୟ ବିଜେପିକୁ ଅଭୂତପୂର୍ବ ସଫଳତା ମିଳିଥିଲେ ମଧ୍ୟ ଖୋଦ ଶ୍ରୀ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ଅଳ୍ପକେ ବିଜେଡି ପ୍ରାର୍ଥୀ ବୌମକେଶ ରାୟଙ୍କ ଠାରୁ ହାରି ଯାଇଥିଲେ । ଏହାପରେ ଶ୍ରୀ ସାମଲଙ୍କୁ ରାଜ୍ୟସଭାକୁ ପଠାଇ ବିଜେପି କେନ୍ଦୀୟ ନେତୃତ୍ୱ ପୁରସ୍କୃତ କରିବେ ବୋଲି ସେବେଠାରୁ ଚର୍ଚ୍ଚା ହେଉଛି । ଯଦି ଶ୍ରୀ ସାମଲ ରାଜ୍ୟସଭାକୁ ମନୋନୀତ ହୁଅନ୍ତି ତେବେ ରାଜ୍ୟ ସଭାପତି ନିର୍ବାଚନ ଦୌଡ଼ରେ ବର୍ତ୍ତମାନର ଉପସଭାପତି ଗୋଲକ ମହାପାତ୍ର ସର୍ବାଗ୍ରେ ଅଛନ୍ତି । ସାଂଗଠନିକ ଦୃଷ୍ଟିରୁ ଶ୍ରୀ ମହାପାତ୍ର ବେଶ ଦକ୍ଷ ହୋଇଥିଲା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅତ୍ୟନ୍ତ ଅନୁଗତ ବୋଲି ଜଣାଶୁଣା । ତେଣୁ ବିଜେପି ରାଜ୍ୟ ସଭାପତି ଚୟନରେ ଶ୍ରୀ ମହାପାତ୍ରଙ୍କୁ ସଂଘ ପ୍ରଥମ ପସନ୍ଦରେ ରଖିବ ବୋଲି କୁହାଯାଉଛି । ଶ୍ରୀ ମହାପାତ୍ର ମଧ୍ୟ ରାଜ୍ୟ ବିଜେପିର ବରିଷ୍ଠ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଅତ୍ୟନ୍ତ ନିକଟତର ବୋଲି ଜଣାଶୁଣା । ତେଣୁ ସଂଘ ଓ ଦଳୀୟ ନେତୃବୃନ୍ଦଙ୍କ ସମର୍ଥନରେ ଶ୍ରୀ ମହାପାତ୍ର ରାଜ୍ୟ ବିଜେପି ସଭାପତି ଦୌଡ଼ରେ ସର୍ବାଗ୍ରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।