ଭୁବନେଶ୍ୱର(ପ୍ରିୟବ୍ରତ ତ୍ରିପାଠୀ): ନୟାପଲ୍ଲୀ ଆଇଆଇସି ଅରୁଣ କୁମାର ସ୍ୱାଇଁଙ୍କ କାର୍ଯ୍ୟଦକ୍ଷତା ଓ ସାହସିକତାକୁ ନେଇ ଏବେ ସବୁଆଡେ଼ ଚର୍ଚ୍ଚା । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ ନୟାପଲ୍ଲୀ ଥାନାଧିକାରୀଙ୍କୁ ପ୍ରଶଂସା କରାଯିବା ସହ ଅନ୍ୟମାନେ ତାଙ୍କ ଠାରୁ ଶିଖିବା ଦରକାର ବୋଲି ଟୁଇଟର୍ ଯୋଗେ କୁହାଯାଇଛି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ୍ ସମ୍ମୁଖର ଏକ କ୍ୟାବିନ୍ ଭଙ୍ଗା ଘଟଣାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା । କ୍ୟାବିନ୍ ମାଲିକ ଅଭୟ ନାୟକ ଓରଫ କାହ୍ନାକୁ ସେହିଠାର ସ୍ମୃତିରଂଜନ ସେଠୀ ଓ ତା’ ଭାଇ ବିଜୟ ସେଠୀ ଅତର୍କିତ ଆକ୍ରମଣ କରି ହାଣି ପକାଇଥିଲେ । ଦୁଇ ଭାଇ ରାସ୍ତା ଉପରେ ଗୋଡେ଼ଇ ଗୋଡ଼ଇ କାହ୍ନାକୁ ହାଣୁଥିବା ଖବର ନୟାପଲ୍ଲୀ ଆଇସିସିଙ୍କ ପାଖରେ ପହଞ୍ଚିଥିଲା । ଖବର ପାଇବା ମାତ୍ରେ ଦେବଦୂତ ପରି ସେଠାରେ ପହଂଚିବା ସହ ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେବା ସହିତ ରାସ୍ତାରେ ଦୌଡୁଥିବା ଜଣେ ଅଭିଯୁକ୍ତକୁ ଗୋଡେ଼ଇ ଗୋଡେ଼ଇ ଧରିଥିଲେ । ଅନ୍ୟ ଅଭିଯୁକ୍ତକୁ ମଧ୍ୟ ପରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଖବର ଜଣାପଡ଼ିବା ପରେ ନୟାପଲ୍ଲୀ ଥାନାଧିକାରୀଙ୍କୁ ଶୁଭେଚ୍ଛାର ସୁଅ ସୁଟିଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ ନୟାପଲ୍ଲୀ ଥାନାଧିକାରୀଙ୍କୁ ପ୍ରଶଂସା କରାଯିବା ସହ ଅନ୍ୟମାନେ ତାଙ୍କ ଠାରୁ ଶିଖିବା ଦରକାର ବୋଲି ଟୁଇଟର୍ ଯୋଗେ କୁହାଯାଇଛି । ଏହା ପୂର୍ବରୁ ଆଇଆଇସି ଅରୁଣ ମଙ୍ଗଳବାଗ ଥାନାରେ ଥିଲା ବେଳେ ମଧ୍ୟ କଟକବାସିନ୍ଦାଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ୨୦୧୮ ମସିହାର ସର୍ବାଧିକ ଏନକାଉଂଟର କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ଅପରାଧୀ ଦମନ ସହିତ ଆଇନଶୃଙ୍ଖଳା ରକ୍ଷା ଦିଗରେ ତାଙ୍କର ଦକ୍ଷତା ଯୋଗୁଁ ସାଧାରଣଲୋକଙ୍କର ସେ ନିକଟତର ହୋଇପାରିଛନ୍ତି ।