ଗଛ ଉପୁଡିଲା, ଘର ଭାଙ୍ଗିଲା
ଜଗତସିଂହପୁର/ ପାରାଦୀପ /କୁଜଙ୍ଗ : ସାମୁଦ୍ରିକ ଝଡ଼ ଓ ବାତ୍ୟା ବୁଲବୁଲର ପ୍ରଭାବରେ ଜଗତସିଂହପୁର ଜିଲ୍ଲାର ସମଗ୍ର ଅଞ୍ଚଳରେ ଦୀର୍ଘ ୪୮ ଘଣ୍ଟା ଧରି ଲାଗିରହିଥିବା ମଧ୍ୟମ ଓ ଭାରି ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡି ଥିବା ଜନ ଜୀବନ ଏବେ ଆଶ୍ବସ୍ତ। ବୁଲବୁଲ ପ୍ରଭାବରେ ବର୍ଷା ଯୋଗୁଁ ଜଗତସିଂହପୁର ସଦର ସହିତ ପାରାଦୀପ ପୌରପରିଷଦ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାରାଦ୍ଵୀପ ଗଡ଼, ଭୁଟୁମୁଣ୍ଡାଇ, କୋଠୀ ପଞ୍ଚାୟତ ରେ ବାତ୍ୟାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାତ୍ର ଆଜି ବାତ୍ୟା ଓ ଭାରି ବର୍ଷାର ଭୟ ଜଗତସିଂହପୁର ଜିଲ୍ଲା ଉପରୁ ଟଳି ଯିବାପରେ ଜିଲ୍ଲାବାସୀ ଙ୍କୁ ସାମାନ୍ୟ ଆସ୍ବସ୍ତି ମିଳିଛି।
ବୁଲବୁଲ ତାଣ୍ଡବଲୀଳାରେ ପାରାଦୀପ ବିପର୍ଯ୍ୟସ୍ତ
ପାରାଦୀପ-ସାମୁଦ୍ରିକ ଝଡ଼ ବୁଲବୁଲ ପ୍ରଭାବ ରେ ପାରାଦୀପ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ବଡ଼ ବଡ଼ ଗଛ ଭାଙ୍ଗିଛି, ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଛି। ଅନେକ ଚାଳ ଘର ଭାଙ୍ଗିଛି। ନଦୀକୂଳ ତଥା ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ପାରାଦୀପ ବନ୍ଦର ସମେତ ପିପିଏଲ, ଇଫ୍କୋ ଓ ତୈଳ ବିଶୋଧନାଗାର ରେ କାର୍ଯ୍ୟ ବନ୍ଦ ରହିଛି। ଗଛ ପଡି ରାସ୍ତା ଅବରୋଧ ହୋଇ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। NDRF ଓ ODRF ଟିମ ଗଛ kati ରାସ୍ତା ସଫା କରୁଛନ୍ତି ।ଗତ ୮ ତାରିଖ ରୁ ବର୍ଷା ପବନ ଲାଗି ରହିଛି।
ପାରାଦୀପ ବେଳାଭୂମି ରେ କଳିଙ୍ଗ ବାଲିଯାତ୍ରା ନିମନ୍ତେ ବନ୍ଧା ଯାଇଥିବା ତୋରଣ ଭାଙ୍ଗି ଯାଇଛି। ସମୁଦ୍ର ଜୁଆରିଆ ଥିବାରୁ ବର୍ଷା ପାଣି ନିଷ୍କାସନ ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।
ତେବେ ବୁଲବୁଲକୁ ନେଇ ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ କୌଣସି ସଙ୍କଟ ନାହିଁ ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାରେ ଜିରୋ କାଜୁଆଲିଟି ହେବା ସହ ସ୍ଥାନାନ୍ତରିତ ହୋଇଥିବା ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ସହିତ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇ ଥଇଥାନ କରାଯାଇଛି। (ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣା, ପାରାଦୀପରୁ ଦୀପ୍ତିରଞ୍ଜନ ଦାସ, କୁଜଙ୍ଗରୁ ରଂଜିତ ପଣ୍ଡାଙ୍କ ରିପୋର୍ଟ)