ପାରାଦୀପ (ଦୀପ୍ତି ରଞ୍ଜନ ଦାସ ) : ପାରାଦ୍ବୀପ ବନ୍ଦରର ୫ ନମ୍ବର ଗେଟ୍ ପିଆଇସିଟି ବର୍ଥରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ପିଆଇସିଟି କମ୍ପାନୀ ପକ୍ଷରୁ ଏଠାରେ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରିଛନ୍ତି ସେମାନେ। ଶ୍ରମିକ ମାନଙ୍କୁ ୨ରୁ ୩ ମାସରେ ଥରେ ଦରମା ମିଳୁଥିବା ବେଳେ ସେମାନଙ୍କ ଇପିଏଫ୍ ଓ ଇଏସ୍ଆଇ କଟୁଥିଲେ ମଧ୍ୟ ସେମାନଙ୍କୁ ଏହାର ରେକର୍ଡ ପତ୍ର ପ୍ରଦାନ କରାଯାଉନାହିଁ। ଫଳରେ ଶ୍ରମିକ ମାନେ ମେଡିକାଲ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି କୌଣସି ଶ୍ରମିକ ଏହାର ପ୍ରତିବାଦ କରୁଛି, ତେବେ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଶ୍ରମିକ ମାନଙ୍କୁ ସେଫ୍ଟି ସାମଗ୍ରୀ ଦିଆଯାଉନାହିଁ। ଯାହାକୁ ନେଇ ଶ୍ରମିକ ମାନେ ଗତକାଲି ଗେଟ ସମ୍ମୁଖରେ ଧାରଣା ଦେବା ସହିତ ପିଆଇସିଟି ବର୍ଥରେ ସମ୍ପୂର୍ଣ୍ଣ ରୂପେ ଅଚଳ କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇନି ଧାରଣା ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି।