ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଜୀବନ ଦୀପ ଆଜି ସନ୍ଧ୍ୟାରେ ଲିଭିଗଲା। 99 ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି l ସମ୍ଭବତଃ ଓଡ଼ିଶାରେ ଜୀବିତ ଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ଅଧିକ ସକ୍ରିୟ ଓ ଚଳଚଞ୍ଚଳ। ବୟସାଧିକ୍ୟ ସତ୍ତ୍ବେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ଭିତରେ ଥିଲା ଏକ ଯୁବସୁଲଭ ପ୍ରାଣୋଚ୍ଛଳତା।
ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଭବାନୀବାବୁ ସ୍ବାଧୀନତା ପରେ ରାଜନୀତିରେ ମଧ୍ୟ ଖୁବ୍ ସକ୍ରିୟ ଥିଲେ। ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ପରିଚିତ ଏହି ରାଜନେତା ୧୯୬୧, ୧୯୬୬ ଓ ୧୯୭୮ରେ କ୍ରମାଗତ ତିନି ତିନି ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜୁବାବୁଙ୍କ ସହ ଛାଇ ପରି ରହିଥିଲେ।
ତେବେ ଆଜୀବନ ଗାନ୍ଧୀବାଦୀ ଭବାନୀ ବାବୁ ଦୀର୍ଘ ସମୟ ଧରି କ୍ଷମତାରେ ରହିଲେ ମଧ୍ୟ ତାଙ୍କର ବ୍ୟକ୍ତିତ୍ବକୁ ଅହକାଂର ଛୁଇଁ ପାରି ନଥିଲା। ସେ ଥିଲେ ଜଣେ ଅଜାତଶତ୍ରୁ। ଜଣେ ସରଳ, ଅମାୟିକ ଓ ସ୍ନେହଶୀଳ ବ୍ୟକ୍ତି ଭାବେ ସେ ସଭିଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ। ତେବେ ସେ ଅନ୍ୟାୟ ସହ ସାଲିସ୍ କରୁ ନଥିଲେ। ସକ୍ରିୟ ରାଜନୀତିରୁ ବହୁ ଦିନରୁ ଦୂରେଇ ଗଲେ ମଧ୍ୟ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସମସ୍ୟାଠାରୁ ସେ କେବେ ଦୂରେଇ ଯାଇ ନ ଥିଲେ। ତେଣୁ ମଦବିରୋଧୀ ଆନ୍ଦୋଳନ ହେଉ କି ଭାଷା ସୁରକ୍ଷା ଆନ୍ଦୋଳନ, ସବୁଠି ତାଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁଥିଲା। ଜଣେ ଉତ୍ସର୍ଗୀକୃତ ଯୋଦ୍ଧା ଭାବେ ଜିଇଁଥିଲେ ଏକ ପରିପୂର୍ଣ୍ଣ ଜୀବନ।