ଭୁବନେଶ୍ୱର : ଇଲୋକ୍ଟ୍ରେନିକ୍ସ ମିଡିଆରେ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଭାବେ କାମ କରୁଥିବା ସୁକାନ୍ତ ପାଣିଗ୍ରାହୀଙ୍କର ମୃତ୍ୟୁ ଘଟିଛି l ସେ ଜଣେ ମେଳାପୀ ବ୍ୟକ୍ତି ଥିଲେ l ବିଭିନ୍ନ ସଭାସମିତିରେ ଦେଖା ହେଲେ ନିଜର ସ୍ମିତହାସ୍ୟରେ ଅନ୍ୟର ମନ ଜିଣି ନେଉଥିଲେ l ସେ ବର୍ଷକ ତଳେ ନିଜ ଚାକିରି ହରାଇଥିଲେ l ସେବେଠାରୁ ସେ ମନସ୍ତାପରେ ରହୁଥିଲେ l ସାମ୍ବାଦିକ ଭାବରେ ତାଙ୍କୁ କଣ କିଛି ସରକାରୀ ସହାୟତା ମିଳିପାରିବ କି ବୋଲି ପ୍ରଶ୍ନ ଉଠିଛି l ସରକାରୀ କର୍ମଚାରୀଙ୍କ ଚାକିରି ଯେପରି ସୁରକ୍ଷିତ, ସାମ୍ବାଦିକଙ୍କ ଚାକିରି ସେପରି ସୁରକ୍ଷିତ ନୁହେଁ l ଦଶ ବର୍ଷ ଧରି ଚାକିରି କରୁଥିବା ସାମ୍ବାଦିକର ଯଦି ଚାକିରି ଚାଲିଯାଏ, ସେ ନିଃସହାୟ l ଏପରିକି ଅନେକ ଗଣମାଧ୍ୟମ ସଂସ୍ଥାରେ ଦେଖାଯାଇଛି ଯେ ପଚିଶି ବର୍ଷ ଧରି ଚାକିରି କରିଥିବା ବରିଷ୍ଠ ସାମ୍ବାଦିକମାନଙ୍କୁ ମାଲିକମାନେ ରାତାରାତି ଚାକିରିରୁ ବାହାର କରି ଦେଇଛନ୍ତି l ସରକାରଙ୍କ ସବୁ ଯୋଜନାର ପ୍ରଚାର ପ୍ରସାର କରୁଛନ୍ତି ସାମ୍ବାଦିକମାନେ l ମାତ୍ର ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ସରକାରୀ ଆଦୌ ଚିନ୍ତିତ ନୁହନ୍ତି l ସାମ୍ବାଦିକଙ୍କ ପାଇଁ ପେନସନ ଯୋଜନା ହୋଇପାରିଲା ନାହିଁ l ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଧର୍ମକୁ ଆଖି ଠାର ଭଳି l ସାମ୍ବାଦିକଙ୍କ ଗଣନା ମଧ୍ୟ ହୋଇପାରୁ ନାହିଁ l ସରକାର କରୋନାରେ ମୃତ୍ୟୁ ବରଣ କଲେ ସରପଞ୍ଚ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି l ମାତ୍ର ସାମ୍ବାଦିକମାନଙ୍କ ପାଇଁ 15 ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଛି l ତେବେ ସୁକାନ୍ତଙ୍କ ମୃତ୍ୟୁ ଯଦି ଏକ ସାଧାରଣ ମୃତ୍ୟୁ, ତେବେ ତାଙ୍କୁ ସରକାରୀ ସହାୟତା ମିଳିପାରିବ କି ନାହିଁ ବୋଲି ପ୍ରଶ୍ନ ଉଠିଛି l ସର୍ବଦା ଜନସାଧାରଣଙ୍କ ସମସ୍ୟା ଲୋକଲୋଚନକୁ ଆଣିବା ଓ ସରକାରଙ୍କ ଯୋଜନାର ପ୍ରଚାର କରୁଥିବା ସାମ୍ବାଦିକମାନେ ନିଜ ଜୀବିକାକୁ ନେଇ ଏତେ ଅସୁରକ୍ଷିତ କାହିଁକି? କେବେ ମିଳିବ ସାମ୍ବାଦିକଙ୍କୁ ଜୀବନ ଓ ଜୀବିକାର ସୁରକ୍ଷା, ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି l