କଥାକିଞ୍ଚିତ

0 620

କବୀ : ମୌସୁମୀ ଦାସ


ମୋର ଅନେକ ପ୍ରଶ୍ନ ପଚାରିବାର ଥିଲା
ଅପଚରା ରହିଗଲା,
ଗୋଟେ କଳକଳ ଛଳଛଳ ନଈକୁ
ଉଜାଣିଆ ପ୍ରେମରେ ବୁଡେଇ ଦେବାର ଥିଲା,
ବାଟ ହୁଡି, ଭିନ୍ନ ମୋଡ଼ରେ ବାଙ୍କି ଗଲା
ମୋ ଅସ୍ପଷ୍ଟ ପାଦଚିହ୍ନ ଖାଲି ରହିଗଲା
ବାଲି ପନ୍ତାରରେ ।

ଜୀବନକୁ ହୁଲିଡଙ୍ଗାର ମଙ୍ଗ ଧରେଇ
ସ୍ଵପ୍ନର ବୋର୍ଣିଓ ଦ୍ଵୀପକୁ ପଠେଇଲି
ବଣିଜ କରି
ଅମେଇସା ଅନ୍ଧାରରେ
ଅରୁନ୍ଧତୀ ତାରା ଖୋଜି
ରାତି-ପକ୍ଷୀ ଗୀତରେ ଭୁଲିଲି।

ସିଲଟରେ ଲେଖିବାର ଥିଲା
ଗୋଟେ ନାଁ, ଅଲିଭା ଅକ୍ଷରରେ,
ଠୋପାଏ ଲୁହରେ ଧୋଇଗଲା;
କାହାଣୀର ଗାଁରେ ଘର ତୋଳିବାର ଥିଲା
ନିଅଁ ଗଢୁ ଗଢୁ ଥରିଗଲା ଭୂଇଁ,
ୠତୁମାନେ ମୁହଁ ଫେରେଇ ନେଇ
ଝାଞ୍ଜି ଦେଇଗଲେ।

ଅପାଶୋରା ଧୂଳିଖେଳ ଡାକୁଛି ପଛରୁ
ମୁହଁ ଫେରେଇ ଚାହିଁବାର ଥିଲା,
ଠିକ ସେଇବେଳେ ଅଣଚାଶ ପବନ
ଉଡେଇ ନେଲା କୁଟାକାଠିର ଘର
ଉଜାଡି ମୋ ଅଲ୍ୟଳ ପିଲାଦିନ।

ଏ କେଉଁ ଅଦୃଶ୍ୟ ଖଳନାୟକ
ସାଜିଛି ସମୟ,
ରୁନ୍ଧା ନିର୍ଜନ ଉଆସରେ ଏକାନ୍ତ ନିର୍ବାସନ
ପ୍ରଶ୍ବାସର ପବନରେ ବି ଡରର ଭୂତାଣୁ
ମରଣର ଭୟାଚ୍ଛନ୍ନ
ଅହର୍ନିଶ ଜୀବନ।

ଥାଉ, ପ୍ରଶ୍ନସବୁ ଏବେ ଶୋଇପଡ଼ନ୍ତୁ
ଅକାତର ନିଦର କୋଳରେ,
ବାଟହୁଡା ନଈ ବହିଯାଉ ତା ଇଚ୍ଛାର ସୁଅରେ,

କାଲି ସକାଳ ଆସୁ,
ମେଘପକ୍ଷୀ ଚଞ୍ଚୁରେ ନେଇ ଆଶ୍ବସ୍ତି ସନ୍ଦେଶ
ଭଲପାଇବାର ରଙ୍ଗ ବିଞ୍ଚି ପାହାନ୍ତି କିରଣରେ।


ଭୁବନେଶ୍ୱର

Leave A Reply

Your email address will not be published.

3 × five =