ପାରାଦୀପ ବନ୍ଦରକୁ ବିଜୁଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭା ସାଂସଦଙ୍କ ଦାବି : କଂଗ୍ରେସ, ସମାଜବାଦୀ ପାର୍ଟି ଓ ଡିଏମକେର ସମର୍ଥନ

0 1,134

ନୂଆଦିଲ୍ଲୀ : ଜଗତସିଂହପୁର ଜିଲ୍ଲା ର ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି କରିଥିବା ବେଳେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଛନ୍ତି।

ସୋମବାର ରାଜ୍ୟସଭାର ଶୂନ୍ୟକାଳରେ ଶ୍ରୀ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କହିଲେ ନବ ଉତ୍କଳର ନିର୍ମାତା ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦର ନାମିତ ହେବା ଉଚିତ୍। ବିଜୁ ପଟ୍ଟନାୟକ ନବ ଉତ୍କଳର ନିର୍ମାଣ, ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଓ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ। ଜଣେ ବିଚକ୍ଷଣ ପାଇଲଟ ଭାବେ ଇଣ୍ଡୋନେସିଆର ସ୍ଵାଧିନତା ସଂଗ୍ରାମୀଙ୍କୁ ସାହସର ସହ ସେ ଉଦ୍ଧାର କରିଥିଲେ। ଆଉ ସେ ଥିଲେ ପାରାଦୀପ ବନ୍ଦରର ପ୍ରତିଷ୍ଠାତା। ଯାହା ଏବେ ଭାରତର ବଡ଼ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ ହୋଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଆଖି ଆଗରେ ରଖି ତାଙ୍କ ସ୍ମୃତିରେ ପାରାଦୀପ ବନ୍ଦରକୁ ତାଙ୍କ ନାମରେ ନାମିତ କରାଯାଇ ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ ରଖିବାକୁ ଶ୍ରୀ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏହି ଦାବିକୁ ଗୃହରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଥିବା ଜଣାପଡ଼ିଛି। ୨୦୧୧ରେ ତାମିଲନାଡୁର ତୁତିକୋରିନ ବନ୍ଦରକୁ କଂଗ୍ରେସ ନେତା ତଥା ସ୍ଵାଧିନତା ସଂଗ୍ରାମୀ ଭି. ଓ ଚିଦାମ୍ବରନାର ବନ୍ଦର ନାମରେ ନାମିତ କରାଯାଇଥିଲା। ୨୦୧୪ରେ ଏନ୍ନୋର ବନ୍ଦର ଲିମିଟେଡକୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ କାମରାଜଙ୍କ ନାମରେ ନାମିତ କରାଯାଇଥିଲା। ୨୦୧୭ରେ ଗୁଜୁରାଟରେ ଥିବ‌େ କନ୍ନଡ ବନ୍ଦରକୁ ଦୀନଦୟାଲ ଉପାଧ୍ୟାୟ ବନ୍ଦର ନାମରେ ନାମିତ କରାଯାଇଥିବା ବେଳେ କୋଲକାତା ବନ୍ଦରକୁ ଶ୍ୟାମ ପ୍ରସାଦ ମୁଖାର୍ଜୀ ବନ୍ଦର ନାମରେ ନାମିତ କରାଯାଇଛି। ତେଣୁ ପାରାଦୀପ ବନ୍ଦର‌ର ନାମ ପରିବର୍ତ୍ତନ କରି ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ ରଖିବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Leave A Reply

Your email address will not be published.

8 + 17 =