ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ଘଟିଛି। ସେ ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ସ୍ବର୍ଗତ ରାଉତରାୟ ୨୦୧୯ ର ନିର୍ବାଚନ ଲଢ଼ି ନ ଥିଲେ। ସେ କହିଥିଲେ, “ମୁଁ ଗତ ୪୦ ବର୍ଷ ଧରି ରାଜନୀତିରେ ଅଛି। ତେଣୁ ମୁଁ ଆଗାମୀ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି। ତେବେ ଦଳକୁ ମଜବୁତ କରିବା ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବ୍ୟତୀତ ମୁଁ ସବୁକିଛି କରିବି ବୋଲି କହିଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ସ୍କୁଲ ଓ କଲେଜ ଜୀବନରେ ଜଣେ ମେଧାବୀ ଛାତ୍ର ଥିଲେ। ସେ ଭୂଗୋଳରେ ଏମଏ ଗୋଲଡ ମେଡାଲିଷ୍ଟ ଥିଲେ। ପରବର୍ତ୍ତୀ ସମୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ସେ ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟରେ ଏବଂ ବିଜେଡ଼ି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ରାଜସ୍ୱ, ସ୍ୱାସ୍ଥ୍ୟ ଓ ଜଙ୍ଗଲ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ ।
ସ୍ବର୍ଗତ ରାଉତରାୟଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ରାଜନୈତିକ ଜୀବନରେ ସ୍ୱର୍ଗତ ରାଉତରାୟଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।