ବିଶ୍ବ ଓଡିଆଙ୍କୁ ଯୋଡ଼ିଲା ନବମ ପ୍ରବାସୀ ରଜ ମହୋତ୍ସବ

0 469

ସୁପ୍ରସିଦ୍ଧ ମହିଳା କଳାକାରମାନଙ୍କ ହୃଦୟର ଅଭିବ୍ୟକ୍ତିରେ ଆତ୍ମବିଭୋର ହେଲେ ଦର୍ଶକ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଆନୁକୂଲ୍ୟରେ ନବମ ପ୍ରବାସୀ ରଜ ମହୋତ୍ସବ ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡିଆ ମାନଙ୍କ ଉପସ୍ଥିତିରେ ଗତକାଲି ପହିଲି ରଜ ଅବସରରେ ପାଳିତ ହୋଇ ଯାଇଛି| ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବ ସାଂସ୍କୃତିକ ସମାରୋହରେ ଓଡ଼ିଶାର ବିଶିଷ୍ଟ ମହିଳା କଳାକାରମାନେ ଅଂଶଗ୍ରହଣ କରି ରଜପର୍ବ ଉପରେ ନିଜର ମତ ରଖିବା ସହିତ ମନ ମୁଗଧକର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ| ମାତୃଜାତି ଓ ମା ମାଟିର ସମ୍ମାନାର୍ଥେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧ୍ୟକ୍ଷା ପଦ୍ମଶ୍ରୀ ଅରୁଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଜ ପର୍ବର ଗୁରୁତ୍ବ ବିଷୟରେ ଅଭିବ୍ୟକ୍ତି ରଖିବା ସହିତ ତାଙ୍କ ପିଲାଦିନର ରଜ ସ୍ମୃତିକୁ ରୋମନ୍ଥନ କରି ଭାବୁକ ହୋଇ ଉଠିଥିଲେ| ସମ୍ମାନୀତ ଅତିଥି ଭାବରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ନିର୍ଦେଶୀକା ଡଃ ସଂଗୀତା ଗୋସାଇଁ ରଜପର୍ବର ପ୍ରଭାବ କିଶୋରୀ ଜୀବନ ଉପରେ କିପରି ପଡିଥାଏ ତାହା ବର୍ଣ୍ଣନା କରିଥିଲେ| କବି ତଥା ରାଜନେତା ଡଃ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ରଜପର୍ବର ଆଧ୍ୟାତ୍ମିକ ଦିଗ ଉପରେ ଆଲୋକପାତ କରିଥିଲେ| ଇତ୍ୟ ଅବସରରେ ସଂଗଠନ ତରଫରୁ ପ୍ରଦାନ କରାଯାଉଥିବା ମହକ ମୋ ମାଟିର ସମ୍ମାନ ୨୦୨୧ ଦୁଇ ଜଣ ବିଶିଷ୍ଟ ଓଡିଆ ମହିଳା ବ୍ଯକ୍ତିତ୍ବଙ୍କୁ ପ୍ରଦାନ କରାଯାଇଥିଲା| ବିଶିଷ୍ଟ ଗାନ୍ଧୀ ଅନୁଗାମିନୀ, ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କୁ ମହିଳା ଉତ୍ଥାନ ପାଇଁ ତାଙ୍କର ଜୀବନ ବ୍ଯାପୀ ତ୍ୟାଗ ନିମିତ ପ୍ରଦାନ କରାଯାଇଥିଲା| ସାମ୍ପ୍ରତିକ କରୋନା ମହାମାରୀ ସମୟରେ ଅବିଶ୍ଵାସନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ପ୍ରଶାସିକା କଲ୍ୟାଣୀ ସଂଘମିତ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା| ନିଜ ହୁର୍ଦୟରୁ ମୁକ୍ତ ଅଭିବ୍ୟକ୍ତି ରଖିବା ସହିତ ରଜ ଉପରେ ଆଧାରିତ ମନ ମୁଗ୍ଧକର ସଙ୍ଗୀତ ଓ ନୃତ୍ୟ ଦ୍ବାରା ରଜ ପର୍ବର ଆସରକୁ ଅତ୍ୟନ୍ତ ଚିତାକର୍ଷକ କରିଥିବା ବିଶିଷ୍ଟ କଳାକାର ମାନଙ୍କ ମଧ୍ୟରେ ସଙ୍ଗୀତ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଅନିନ୍ଦିତା ଦାସ, ଆଦ୍ୟାଶା ଦାସ, ପ୍ରୀତିନନ୍ଦା ରାଉତରାୟ ଓ ସୁପ୍ରସିଦ୍ଧ ନୃତ୍ୟ ଶିଳ୍ପୀ କବିତା ଦ୍ଵିବେଦୀ, କସ୍ତୁରୀ ପଟ୍ଟନାୟକ, ଗାୟତ୍ରୀ ମିଶ୍ର ଯୋଶୀ, କବିତା ମିଶ୍ର ଓ ସିମରନ ଜମାନ ପ୍ରମୁଖ ଅଟନ୍ତି| ଏହି ସାଂସ୍କୃତିକ ମହାକୁମ୍ଭରେ ଓଡ଼ିଶା ତଥା ଭାରତର ବିଭିନ୍ନ ସହର ସହିତ ଆମେରିକା, ଇଂଲଣ୍ଡ, କାନାଡା, କତ୍ତାର, ଦୁବାଇ, ମାଲେସିୟା, ସିଙ୍ଗାପୁର, ଋଷିଆ, ଜର୍ମାନ, ଜାପାନ, ଓମାନ, ସାଉଦି ଆରବ ପ୍ରଭୁତି ଅନେକ ଦେଶରୁ ଓଡିଆ ମାନେ ଯୋଗଦେଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରଜ ପର୍ବର ମଜା ନେଇଥିଲେ|

କାର୍ଯ୍ୟକ୍ରମର ପ୍ରାରମ୍ଭିକ ଅଭିଭାଷଣ ପରମବ୍ରହ୍ମ ତ୍ରିପାଠୀ ରଖିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୀଣାପାଣି ପ୍ରଧାନ ସଂଯୋଜନା କରିଥିଲେ| ଅଧକ୍ଷ ଶ୍ରୀ ରାଉତ ଅତିଥି ତଥା ସମସ୍ତ କଳାକାର ଓ ଦର୍ଶକ ମାନଙ୍କୁ ସ୍ବାଗତ କରିବା ସହିତ ଏହି ପର୍ବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ ଏବଂ ଉପାଧ୍ୟକ୍ଷା ପଙ୍କଜମାଳା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ| ଅନଲାଇନ ମାଧ୍ୟମରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ୟାମନୁଜ ଦାସ, ସୋନାଲୀ ସ୍ବାଇଁ, ସ୍ମୃତି ରଞ୍ଜନ ମିଶ୍ର, ଆର୍ଯ୍ୟାନ ରାଉତ, ରବିନାରାୟଣ ଷଡଙ୍ଗୀ,ନଗେନ୍ଦ୍ର ନାଥ ସ୍ବାଇଁ ତଥା ଅନ୍ୟ ସଦସ୍ୟମାନେ ସମ୍ପାଦନ କରିଥିଲେ|

Leave A Reply

Your email address will not be published.

two × 1 =