ଜଗତସିଂହପୁର: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ନିର୍ବାଚନ ପ୍ରଚାର ଜୋରଦାର୍ ହୋଇ ଉଠୁଛି । ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ସାରା ଓଡ଼ିଶାରେ ଭଲ ପ୍ରଦର୍ଶନ କରିଥିବା ବେଳେ ଚଳିତ ଥର ଏହାକୁ ବଜାୟ ରଖିବ କି ନାହିଁ, ତାହାକୁ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଉପକୂଳ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଏକ ଶିକ୍ଷିତ ଓ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା । ଏହି ଜିଲ୍ଲାର ଏକମାତ୍ର ମନ୍ତ୍ରୀ ହେଉଛନ୍ତି ବାଲିକୁଦା-ଏରସମାର ବିଧାୟକ ରଘୁନନ୍ଦନ ଦାସ । ଶ୍ରୀ ଦାସ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇ ପ୍ରଥମ ଥର ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି । ତେଣୁ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ଫଳାଫଳକୁ ସମସ୍ତଙ୍କର ନଜର ରହିଛି। ବାଲିକୁଦା-ଏରସମାର ଜୋନ୍ ନଂ-୪ରୁ ଏଥର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଶଶାଙ୍କ ସାହାଣୀ । ବିଜେଡିରୁ ତଟିନା ସ୍ୱାଇଁ ଓ କଂଗ୍ରେସରୁ ନୃସିଂହ ମହାନ୍ତି(ଛବି) । ତେବେ ଲଢେ଼ଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବ ବୋଲି କୁହାଯାଉଛି । କଂଗ୍ରେସ ଦୌଡ଼ରେ ନଥିଲା ଭଳି ଲାଗୁଛି ।
ବିଜେଡିର ପାରମ୍ପରିକ ଭୋଟ୍ ବ୍ୟାଙ୍କ ଥିଲା ବେଳେ କଂଗ୍ରେସ ଭୋଟକୁ ଉଭୟ ବିଜେପି ଓ ବିଜେଡି ଆଖି ଆଗରେ ରଖିଛନ୍ତି । କଂଗ୍ରେସର ଭୋଟ ଯଦି ବିଜେପି ଆଡକୁ ଢ଼ଳେ, ବିଜେପି ଅପେକ୍ଷାକୃତ ଭଲ ସ୍ଥିତିରେ ରହିବ । କାରଣ କଂଗ୍ରେସ ଓ ବିଜେଡି ମଧ୍ୟରେ ବହୁଦିନରୁ ଛକାପଞ୍ଝା ଲାଗି ଆସିଛି । କଂଗ୍ରେସ କର୍ମୀ ସିଧାସଳଖ ବିଜେଡି ଆଡ଼କୁ ଢ଼ଳି ନପାରନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ପ୍ରତ୍ୟେକ ପଞ୍ଚାୟତରେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ଥିବା ଦେଖାଯାଉଛି । ଯାହା ବିଜେଡି ପାଇଁ କାଳ ହେବ । ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଆଣିଛନ୍ତି । ଏହା ବିଜେପିକୁ ଫାଇଦା ଦେବ ବୋଲି କୁହାଯାଉଛି ।
ତିନିଟି ଦଳରେ ପ୍ରାର୍ଥୀଙ୍କୁ ଯଦି ତୁଳନା କରାଯାଏ , ତେବେ ବିଜେପି ପ୍ରାର୍ଥୀ ସବା ଆଗରେ ରହିବେ । ସେ ଜଣେ ଡାକ୍ତର ଓ ବିଜେପିରେ ଯୋଗ ଦେବା ପୂର୍ବରୁ ତଳମାଳ ବିକାଶ ମଞ୍ଚ ଗଠନ କରି ନହରଣା-ମରିଚପୁର ଅଞ୍ଚଳଟି ଉପକୂଳ ଜାତୀୟ ରାଜପଥ ମାନଚିତ୍ରରୁ ବାଦ ପଡ଼ିବା ନେଇ ସେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପ୍ରସଙ୍ଗ ବାଲିକୁଦା ୪ ନଂ ଜୋନ୍ ପାଇଁ ଏକ ସ୍ପର୍ଶକାତର ପ୍ରସଙ୍ଗ । ଏହା ଉପରେ ବିଜେଡି ସର୍ବଦା ଚୁପ୍ ରହି ଆସିଛି । ଏହି ଜୋନର ଯୁବ ଭୋଟର୍ ମଧ୍ୟ ଏହି ପ୍ରସଙ୍ଗ ପାଇଁ ବେଶ୍ ଚିନ୍ତିତ ଥିବା ସୋସିଆଲ୍ ମିଡିଆରୁ ଜଣାପଡୁଛି । ପାରମ୍ପରିକ ଭାବେ ବିଜେଡିର ଭୋଟ ଅଧିକ ଥିଲା ବେଳେ ଚଳିତ ଥର ବିଭିନ୍ନ କାରଣରୁ ଏହା ବିଜେପି ପଟକୁ ଢ଼ଳିପାରେ ବୋଲି ଗାଁ ଗହଳିରେ ଚର୍ଚ୍ଚା ହେଉଛି ।