ଜଳୁଛି ସହର

0 449

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଗ୍ରୀଷ୍ମଋତୁରେ ଗରମ ଓ ଗୁଳୁଗୁଳି ହେବା ସ୍ୱାଭାବିକ, ମାତ୍ର ବିଗତ କିଛି ବର୍ଷ ହେବ ଗରମର ପ୍ରଭାବ ସମସ୍ତଙ୍କ ପାଇଁ ଅସହ୍ୟ ହେଲାଣି l ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ବିଦ୍ୟାଳୟ, କଲେଜ୍ ଆଦି ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିଲା, ଶିକ୍ଷକ / ଶିକ୍ଷୟିତ୍ରୀ ମାନେ ଆଭାସୀ ମାଧ୍ୟମରେ ଶିକ୍ଷାଦାନ କରୁଥିଲେ ଏବଂ ପିଲାମାନେ ଘରେ ରହି ପାଠ ପଢୁଥିଲେ l ଏବର୍ଷ କରୋନାର ପ୍ରକୋପ କମିଛି, ଜନଜୀବନ ସ୍ଵଚ୍ଛଳ ହୋଇଛି l ସମସ୍ତେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଲେଣି l ପିଲାମାନେ ମଧ୍ୟ ନିୟମିତ ପାଠ ପଢିବା ପାଇଁ ଯାଉଛନ୍ତି l କିନ୍ତୁ ଏପ୍ରିଲ ମଧ୍ୟଭାଗରୁ ବଢୁଥିବା ତାପମାତ୍ରା ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି l ପିଲାମାନେ ସ୍କୁଲ ଯିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ମାତ୍ର ନାହିଁ ନ ଥିବା ଗରମ ଯୋଗୁଁ ଶ୍ରେଣୀକକ୍ଷରେ ପାଠ ପଢିବା, ଖେଳପଡ଼ିଆରେ ଖେଳିବା କଷ୍ଟକର ହୋଇ ପଡୁଛି l ବିଗତ ଦୁଇବର୍ଷର ପାଠପଢ଼ାରେ ହୋଇଥିବା କ୍ଷୟକ୍ଷତିକୁ ଭରଣା କରିବାକୁ ଯାଇ ରାଜ୍ୟ ସରକାର ଏଥର ମାତ୍ର ୧o ଦିନ ଛୁଟି ଦିଆଯିବ ବୋଲି ଘୋଷଣା କରିଛନ୍ତି l ଠିକ ସମୟରେ ସିଲାବସ୍ ସାରିବା ଏବଂ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ନେଇ ଏହା ଠିକ, କିନ୍ତୁ ଗ୍ରୀଷ୍ମପ୍ରବାହ ଜନିତ ସମସ୍ୟା ଆଗରେ ଏହା ଚିନ୍ତାର କାରଣ ସାଜିଛି l

ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଅଂଶୁଘାତ ଏବଂ ଶରୀରରେ ଜଳାଭାବ ଦେଖାଦେଉଛି l ଛୋଟ ଛୋଟ ପିଲାମାନେ ସକାଳ ୬ ରୁ ଖାଲି ପେଟରେ ସ୍କୁଲ ଆସିଲେ, ଛୁଟିବେଳେ ଘରକୁ ଗଲା ବେଳକୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଅଭିଭାବକ ମାନେ ତାଙ୍କୁ ଆଣିବା ପାଇଁ ଗଲାବେଳେ ମଧ୍ୟ ଖରାର ପ୍ରକୋପ କିଛି କମ୍ ରହୁନାହିଁ l ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବିଦ୍ୟାଳୟ ଗୁଡିକରେ ଏତେ ଶୀଘ୍ର ଖାଦ୍ୟ ପ୍ରସ୍ତୁତି ଓ ବିତରଣ ସମ୍ଭବପର ହେଉନାହିଁ l ସକାଳ ୬ ରୁ ୯, ମାତ୍ର ତିନି ଘଣ୍ଟା ସ୍କୁଲ ଖୋଲୁଛି ; ଏହା ଭିତରେ ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି ସତ କିନ୍ତୁ ଠିକ ରୂପେ ପଢିପାରୁନାହାନ୍ତି l ପ୍ରତି ବିଷୟ ପାଇଁ ନିର୍ଦ୍ଧାରିତ ସମୟ ଯଥେଷ୍ଟ ନ ହେବାରୁ ଶିକ୍ଷାଦାନର ମୂଳ ଲକ୍ଷ୍ୟ ପୂରଣ ହଉନାହିଁ l

ଏଭଳି ପରିସ୍ଥିତିରେ ବିକଳ୍ପ ବ୍ୟବସ୍ଥା ରୂପେ ପୁଣିଥରେ ଅନଲାଇନ ପାଠପଢ଼ା କୁ କାର୍ଯ୍ୟକ୍ଷମ କରାଗଲେ ସମସ୍ୟାର ସମାଧାନ ବାହାରି ପାରିବ l ମେ ରୁ ଜୁନ, ଗୋଟିଏ ମାସ ଅନଲାଇନ ପାଠପଢାର ସାହାଯ୍ୟ ନେଲେ ପିଲାମାନେ ଘରେ ରହି ପାଠ ପଢିବା ସହିତ ପ୍ରଚଣ୍ଡ ରୌଦ୍ରତାପ ଜନିତ ସମସ୍ୟା ଗୁଡିକୁ ଏଡାଇ ଦିଆଯାଇ ପାରିବ l କରୋନା ସମୟରେ ଦୀର୍ଘ ଦୁଇବର୍ଷ କାଳ ଆଭାସୀ ମାଧ୍ୟମରେ ଶିକ୍ଷାଦାନ ରୁ ଆମେ ଅନ୍ତତଃ ଏତିକି ଶିଖିଛେ, ଯେ ଅସୁବିଧା ସମୟରେ ଏଥିରୁ ସୁବିଧା ନିଆଯାଇପାରେ l ଆଗାମୀ କିଛି ଦିନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି l ଏହି ପରିସ୍ଥିତିରେ ପିଲାମାନଙ୍କୁ ଅଭିଭାବକ ମାନେ ସ୍କୁଲ ଛାଡ଼ିବେ କି ନାହିଁ ତାହା ପ୍ରଶ୍ନବାଚୀ ସାଜିଛି l

ଉପରୋକ୍ତ ସମସ୍ତ ତଥ୍ୟକୁ ଆଖି ଆଗରେ ରଖି ଆଗକୁ ବିଦ୍ୟାଳୟ ଗୁଡିକରେ ଗ୍ରୀଷ୍ମଛୁଟି ର ଅନୁମତି ମିଳିବ ବୋଲି ଆଶା କରାଯାଏ l କରୋନାରେ ସମ୍ପୂର୍ଣ୍ଣ ରୂପେ ବିଦ୍ୟାଳୟ ବନ୍ଦ ହୋଇ ମଧ୍ୟ ପିଲାମାନେ ଶିକ୍ଷାବର୍ଷ ଶେଷ କରିଛନ୍ତି l ସୁତରାଂ ଏହି ଗୋଟିଏ ମାସ ଗ୍ରୀଷ୍ମପ୍ରବାହର ପ୍ରକୋପକୁ ଦେଖି ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେଲେ, ଏହା ସେମାନଙ୍କ ଉପରେ ବେଶି କିଛି ପ୍ରଭାବ ପକେଇବ ନାହିଁ l ସେମାନେ ଘରେ ରହି ଅନଲାଇନ ପାଠପଢ଼ାର ସୁବିଧା ପାଇଲେ ଶିକ୍ଷକ / ଶିକ୍ଷୟତ୍ରୀ ପିଲାଙ୍କୁ ସବୁ ବିଷୟ ବୁଝେଇବାକୁ ଯଥେଷ୍ଟ ସମୟ ପାଇବେ l

ବର୍ତ୍ତମାନ ପରିବେଶରେ ଦେଖାଯାଉଥିବା ବର୍ଦ୍ଧିତ ତାପମାତ୍ରା ଯୋଗୁଁ ସମଗ୍ର ମାନବ ସମାଜ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛି ବୋଲି ଚିକିତ୍ସକ ମାନେ ମତ ରଖିଛନ୍ତି l ଏହା ଉପରେ ରୋକ ଲଗେଇବା ପାଇଁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ l ବୃକ୍ଷରୋପଣ, କୃତ୍ରିମ ଜଙ୍ଗଲ ସୃଷ୍ଟି ସହିତ ପ୍ରଦୂଷଣକୁ ରୋକିବାର ନିରନ୍ତର ପ୍ରୟାସ ଜାରି ରଖିବାକୁ ହେବ l ପ୍ରତ୍ୟକ ବ୍ୟକ୍ତି ଏବେଠାରୁ ଏ ଦିଗରେ ସଜାଗ ହେଲେ, ପରିବେଶକୁ ରକ୍ଷା କରିବାର ଶପଥ ନେଇ ଉଦ୍ୟମ କଲେ ହିଁ ଆଗକୁ ପୃଥିବୀ ତାର ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବ l ଯାହା ସମଗ୍ର ମାନବ ସମାଜର ହିତ ସାଧନ କରିବ l

🔸
ଫୋନ – 6370516478

Leave A Reply

Your email address will not be published.

2 × 1 =