ଆକାଶକୁ ଛୁଉଁଥିବା ସଫଳତା

0 454

 ଶ୍ରୁତକୀର୍ତ୍ତି ତ୍ରିପାଠୀ 

 

ଟିଭିର ଗୋଟିଏ ଵିଜ୍ଞାପନ ଏହି ଲେଖାଟି ପାଇଁ ଇନ୍ଧନ ଯୋଗେଇଥିଲା l ଯେଉଁଥିରେ ଜଣେ ସୁନ୍ଦର ତରୁଣୀ ବିମାନ ବନ୍ଦରରେ ଅପେକ୍ଷାରତ ଥବା ସମୟରେ ଜଣେ ପୁରୁଷ ତାଙ୍କୁ ପ୍ରଶ୍ନ କରିଛନ୍ତି, ଯେ ସେ କଣ ଛୁଟିରେ ବୁଲିବାକୁ ବାହାରିଛନ୍ତି ? ତରୁଣୀ ଜଣକ ଉତ୍ତରରେ କହିଛନ୍ତି, ‘ ନା ‘ l ତା ପରେ ପୁଣିଥରେ ପୁରୁଷ ଜଣକ ପଚାରିଲେ ‘ ତେବେ ମାଆ ଘରକୁ ଯାଉଥିବେ? ‘ ତରୁଣୀ ଜଣକ କହିଲେ, ‘ ନା, ସେ କାମରେ ଯାଉଛନ୍ତି l ତା ପରେ ସେ ବିମାନ ର କକପିଟ ଭିତରକୁ ଯିବେ l ପୁରୁଷ ଜଣକ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନେଇ ରହିଥିଲେ, ଯେତେବେଳେ ସେ ତାଙ୍କ ଅସଲ ପରିଚୟରେ ତାଙ୍କୁ ଜଣେ ପାଇଲଟ୍ ରୂପେ ଦେଖିଥିଲେ l ହଁ ଆଜି ପ୍ରସଙ୍ଗ ଆକାଶରେ ମହିଳାମାନଙ୍କ ଦକ୍ଷତା, ସାହସ ଓ ଯୋଗ୍ୟତା ଉପରେ ପରିବେଷ୍ଟିତ l 
ଏକଦା ମହିଳାମାନଙ୍କୁ ସ୍ୱଭାବରେ ଭୟାଳୁ, ଦୁର୍ବଳମନା ଭାବୁଥିବା ଆମ ସମାଜ, ଆଜି ତାଙ୍କ ବୀରତା, ଦୁଃସାହସ ଓ ଦୃଢ଼ ଇଚ୍ଛାଶକ୍ତିକୁ ଅନୁଭବ କରିପାରୁଛି l ମହିଳାମାନେ ନିଜର ଜାୟା, ଜନନୀ, ଭଗିନୀ, ଦୁହିତା ପରିଚୟ ସହିତ ଏ ଭଳି ଦୁଃସାହସିକ ବ୍ୟକ୍ତିତ୍ୱର ଅଧିକାରିଣୀ ହୋଇପାରିଛନ୍ତି l ଯେଉଁ ଝିଅ ଆଗେ ବାଣ ଫୁଟେଇବାକୁ ଡରିଯାଉଥିଲା, ସେ ଝିଅ ଆଜି ଯୁଦ୍ଧ ବିମାନ ଉଡେଇ ଶତ୍ରୁ ଉପରେ ବିସ୍ଫୋରଣ କରିବାରେ ସକ୍ଷମ ହେଉଛି l ଆମ ଆଗାମୀ ପିଢ଼ି ପାଇଁ ଉଦାହରଣ ସାଜିଥିବା ଏହି ବୀର ରମଣୀ ମାନଙ୍କର ବୀର ଗାଥା ଶୁଣି ସଭିଏଁ ଉତ୍ସାହିତ ଏବଂ ପ୍ରେରିତ ହେଉଛନ୍ତି l ବିଶାଳ ଆକାଶରେ ଯୁଦ୍ଧ ବିମାନ ଦ୍ଵାରା ଶତ୍ରୁଙ୍କ ଆକ୍ରମଣକୁ ବିଫଳ କରି ଭାରତକୁ ସୁରକ୍ଷିତ ରଖିବା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟର ପାଲଟିଛନ୍ତି l ନାରୀ ଯୁଗେ ଯୁଗେ ରକ୍ଷାକାରିଣୀ ସାଜି ଜଗତଉଦ୍ଧାର କରିଆସିଛି l ସେହିପରି ଭାରତୀୟ ମହିଳାଙ୍କ ସାହସ ବାସ୍ତବରେ ଆକାଶକୁ ଛୁଇଁବାର କ୍ଷମତା ରଖୁଛି l
ଏଠାରେ ଆମ ଭାରତୀୟ ବାୟୁସେନା ବିଷୟରେ ସମ୍ୟକ  ଧାରଣା  ପ୍ରାସଙ୍ଗିକ ମନେହୁଏ l ଏହାର ମୂଳଲକ୍ଷ୍ୟ ହେଲା ଭାରତୀୟ ସୈନ୍ୟ ବାହିନୀକୁ ସହାୟତା ପ୍ରଦାନ କରିବା l ୧୫oo ବିମାନ ଏବଂ ୧, ୭o, ooo କର୍ମଚାରୀଙ୍କୁ ନେଇ ଗଠିତ ଭାରତୀୟ ବାୟୁସେନା ଆମେରିକା, ରୁଷିଆ ଏବଂ ଚାଇନା ପରେ ବିଶ୍ୱରେ ଚତୁର୍ଥ ବୃହତ୍ତମ ବାୟୁସେନା ରୂପେ ଜଣାଯାଏ l ଭାରତୀୟ ବାୟୁସେନା ଦ୍ଵାରା ସମ୍ପାଦନ କରାଯାଇଥିବା ଅନେକ ଗୁଡିଏ ଗୁରୁତ୍ୱପୂର୍ଣ ଅପରେସନ ଭିତରେ ‘ଅପରେସନ ବିଜୟ ‘, ‘ ଅପରେସନ ମେଘଦୂତ ‘, ‘ ଅପରେସନ କାକଟସ୍’ ଏବଂ ‘ ଅପରେସନ ପୁମଲାଈ ‘ ଅନ୍ୟତମ l ସ୍ୱାଧୀନତା ପୂର୍ବରୁ ୧୯୩୨ ରେ ଗଠନ ହୋଇଥିବା ଏହି ସଂସ୍ଥା ବିଶାଳ ଭାରତୀୟ ସୈନ୍ୟବାହିନୀର ଏକ ପ୍ରମୁଖ ଅଂଶ l 
ଗତବର୍ଷ ଭାରତୀୟ ବାୟୁସେନାରେ ରାଫେଲ୍ ପରି ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧ ବିମାନ ସାମିଲ କରାଯାଇଛି l ଏହା ଆମ ଦେଶର ବାୟୁସେନାର ଶକ୍ତିକୁ କେଇଗୁଣା ବଢ଼େଇଦେଇଛି l ୟା ପରଠୁ ଆମ ଦେଶକୁ ଯୁଦ୍ଧ ପାଇଁ ଡାକରା ଦେବା ପୂର୍ବରୁ ପଡ଼ୋଶୀ ରାଷ୍ଟ୍ରଗୁଡିକ ଅନେକ ଥର ଭାବିବେ l ଭାରତୀୟ ବାୟୁସେନାର ଶକ୍ତି ବଢ଼ିବା ସହିତ ସମତାଳରେ ବୃଦ୍ଧିପାଇଛି ଆମ ଭାରତୀୟ ନାରୀଙ୍କ ଶକ୍ତି l ଯୁଦ୍ଧ ବିମାନ ଭଳି ଶକ୍ତିଶାଳୀ ବିମାନ ଉଡେଇବାର ଗୌରବ ଅର୍ଜନ କରିଛନ୍ତି ଆମର କିଛି ମହିଳା ସେନା ଅଧିକାରୀ l 
     କିଛିଦିନ ତଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ମହିଳା ଅଧିକାରୀଙ୍କୁ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବଡ଼ ଭୂମିକା ଗ୍ରହଣ କରିବେ ବୋଲି ବିଧିବଦ୍ଧ ଭାବରେ ସରକାରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି l ପ୍ରଥମ ମହିଳା ପାଇଲଟ୍ ଭାବେ ଯୁଦ୍ଧବିମାନ ରାଫେଲ୍ ଉଡ଼େଇବାର ଯୋଗ୍ୟତା ଅର୍ଜନ କରିଛନ୍ତି ଫ୍ଲାଇଟ୍ ଲେଫ୍ଟେନାଣ୍ଟ ଶିବାଙ୍ଗୀ ସିଂ l ଏହା ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆଁ ଫର୍ଦ୍ଦ ହୋଇ ଯୋଡିହବ l ଶିବାଙ୍ଗୀ ୨o୧୭ ରେ ବାୟୁସେନାରେ ଯୋଗ ଦେଇଥିଲେ ଏବଂ ଆରମ୍ଭରୁ ମିଗ – ୨୧ ବାଇସନ ଉଡାଉଥିଲେ l ରାଫେଲ୍ ଉଡ଼େଇବାକୁ ଦଶ ଜଣ ମହିଳା ପାଇଲଟ୍ ଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଥିଲା, ତନ୍ମଧ୍ୟରୁ ଶିବାଙ୍ଗୀ ଜଣେ ଥିଲେ l ପିଲାଟି ଦିନରୁ ଆକାଶରେ ଉଡ଼ିବାର ସ୍ବପ୍ନ ଦେଖୁଥିବା ଶିବାଙ୍ଗୀଙ୍କ ସ୍ବପ୍ନ ଆଜି ସତରେ ସାକାର ହୋଇପାରିଛି l
ସେହିଭଳି ଆକାଶରେ ନିଜର ସ୍ବପ୍ନ ସାକାର କରୁଥିବା ଆଉ ଜଣେ ସାହସୀ ମହିଳା ହେଲେ ଗୁଞ୍ଜନ ସକ୍ସେନା l କାର୍ଗିଲ ଯୁଦ୍ଧରେ ତାଙ୍କର ଅପୂର୍ବ ସାହାସିକତାକୁ ପ୍ରଶଂସା କରି ତାଙ୍କୁ ” କାର୍ଗିଲ ଗାର୍ଲ ” ର ଆଖ୍ୟା ଦିଆଯାଇଛି l ପାକିସ୍ତାନୀ ଆତଙ୍କବାଦୀ ଭାରତ ସୀମାରୁ ପ୍ରବେଶ କରି ଜାତୀୟ ରାଜମାର୍ଗକୁ ଟାର୍ଗେଟ କରିଥିଲେ l ଗୁଞ୍ଜନ ଭାରତୀୟ ବାୟୁସେନାର ‘ଚିତା ‘ ହେଲିକପ୍ଟର ଉଡେଇ ସେମାନଙ୍କ ସହିତ ମୁକାବିଲା ପାଇଁ କାର୍ଗିଲ ପର୍ବତମାଳାରେ ସୈନ୍ୟ ପହଞ୍ଚେଇଥିଲେ l ବିନା କୌଣସି ଅସ୍ତ୍ରରେ ପାକ୍ ଆତଙ୍କବାଦୀଙ୍କ ସହିତ ମୁକାବିଲା କଲେ ଏବଂ ସେଠାରୁ ଭାରତୀୟ ସୈନ୍ୟମାନଙ୍କୁ ସୁରକ୍ଷିତ ପରିବହନ କରିଥିଲେ l ଶୌର୍ଯ୍ୟ ପୁରସ୍କାର ବିଜେତା ଗୁଞ୍ଜନ ସକ୍ସେନା କାର୍ଗିଲ ଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଉଡ଼େଇଥିବା ପ୍ରଥମ ମହିଳା ପାଇଲଟ୍ ଥିଲେ l ତାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ ଗୁଞ୍ଜନ ସକ୍ସେନା : କାର୍ଗିଲ ଗାର୍ଲ ‘ ଦେଖିଲେ ଆମ ଆଗାମୀ ପିଢ଼ି ତାଙ୍କ ଠାରୁ ବହୁତ ପ୍ରେରଣା ପାଇପାରିବେ l 
        କିଛିବର୍ଷ ତଳେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ତିନିଜଣ ମହିଳା ପାଇଲଟ୍ ରାଷ୍ଟ୍ରପତିଙ୍କ ଦ୍ଵାରା ‘ନାରୀ ଶକ୍ତି ‘ ପୁରସ୍କାର ପ୍ରାପ୍ତ କରି ଭାରତ ପାଇଁ ଗୌରବ ଆଣିଛନ୍ତି l ଭାରତ ସରକାର ପରୀକ୍ଷାମୂଳକ ଭାବରେ ବାୟୁସେନାର ମହିଳାମାନଙ୍କ ପ୍ରଶିକ୍ଷଣ ନିଷ୍ପତ୍ତି ନେବାପରେ ମୋହନା ସିଂ ଜିତରୱାଲ, ଭାବନା କାନ୍ତ ଏବଂ ଅବନୀ ଚତୁର୍ବେଦୀ କଠୋର ତାଲିମ୍ ନେଇ ସଫଳତାର ସହିତ ଯୁଦ୍ଧ ବିମାନ ଉଡ଼େଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ l ପୂର୍ବରୁ ନୌସେନାରେ ମହିଳା ଅଧିକାରୀ ମାନେ ସ୍ଥିର ୱିଙ୍ଗ ବିମାନରେ ସୀମିତ ଥିଲେ l ଏବେ କିନ୍ତୁ ମହିଳାମାନଙ୍କୁ ଯୁଦ୍ଧ ଜାହାଜର ପରିଚାଳନା ପାଇଁ ରଖାଯାଉଛି l ଏହିଭଳି ଆହୁରି ଅନେକ ଉଦାହରଣ ଭାରତୀୟ ବାୟୁସେନାରେ ମହିଳାମାନଙ୍କ ସ୍ଥିତିକୁ ଦୃଢ଼ କରିଛି l
ସୁତରାଂ ଆହୁରି ଅଧିକ ମହିଳାଙ୍କୁ ଏହି କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ l ସାମାଜିକ କଟକଣା ଏବଂ ପୁଅ ଝିଅର ଭେଦଭାବକୁ କୁ ଆଡେଇ ଦେଇ ପରିବାର ପକ୍ଷରୁ ଝିଅ ମାନଙ୍କୁ ସେ ଦିଗରେ ଶିକ୍ଷା ଯୋଗେଇବାର ବ୍ୟବସ୍ଥା କରିବାକୁ ହେବ l ସରକାର ତ ତାଙ୍କ କାମ କରିଦେଲେ ମହିଳାଙ୍କୁ ସୁଯୋଗ ଦେଇ, ଏବେ ଦାୟିତ୍ୱ ପିତା ମାତାଙ୍କର, ଯେ ସେମାନେ ଝିଅ ମାନଙ୍କୁ ଉତ୍ସାହିତ ଏବଂ ପ୍ରେରିତ କରନ୍ତୁ ଏଭଳି ଏକ ଦୁଃସାହସିକ କ୍ଷେତ୍ରରେ ନିଜ ପ୍ରତିଭାକୁ ପ୍ରମାଣିତ କରିବା ପାଇଁ l ନୂତନ ନିୟମାବଳୀ ଅନୁଯାୟୀ ବାୟୁସେନାରେ ମହିଳାମାନଙ୍କୁ ପୁରୁଷଙ୍କ ଭଳି ସମାନ ସୁଯୋଗ ଓ ସୁବିଧା ଯୋଗେଇବା ପ୍ରକୃତ ପକ୍ଷେ ଭାରତ ସରକାରଙ୍କ ଏକ ପ୍ରଶଂସନୀୟ ପଦକ୍ଷେପ l

 ଶ୍ରୁତକୀର୍ତ୍ତି ତ୍ରିପାଠୀ 

ଫୋନ – 6370516478ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର 

ReplyForward


Leave A Reply

Your email address will not be published.

four × 5 =