କବୟିତ୍ରୀ ଚପଳା ତ୍ରିପାଠୀଙ୍କ ପୁସ୍ତକ ‘ଅନୁଭବୀ ଠାକୁର’ ଉନ୍ମୋଚିତ

0 191

ଭୁବନେଶ୍ୱର: କବୟିତ୍ରୀ ଚପଳା ତ୍ରିପାଠୀଙ୍କ ରଚିତ ଓ ଶାନ୍ତିସେନା ପବ୍ଲିକେସନ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନୁଭବୀ ଠାକୁର’ ସ୍ଥାନୀୟ ବୁଦ୍ଧମନ୍ଦିର ଅଡିଟୋରିଅମରେ ଉନ୍ମୋଚିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ତଥା ସ୍ୱତନ୍ତ୍ର ଶାସନ ସଚିବ ଧନଞ୍ଜୟ ସ୍ୱାଇଁ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ ଗୀତି କବିତା , ଛନ୍ଦବଦ୍ଧ କବିତା ଓ ଆଧୁନିକ କବିତା ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ବେଶ ସାବଲୀଳ ଢ଼ଙ୍ଗରେ ଉପସ୍ଥାପନ କରିଥିଲେ । କବିତାର ମୃତ୍ୟୁ ନାହିଁ । କବିତା ସର୍ବଦା ପାଠକଙ୍କ ହୃଦୟରେ ବଞ୍ଚି ରହବି ବୋଲି ଶ୍ରୀଯୁକ୍ତ ସ୍ୱାଇଁ କହିଥିଲେ ।

ଶାନ୍ତିସେନା ପବ୍ଲିକେସନର ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯୋଗ ଦେଇ ସାହିତ୍ୟରେ ନୂତନ ପ୍ରତିଭାଙ୍କ ଆଗମନ ଶୁଭଙ୍କର ବୋଲି କହିଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓଡ଼ିଆ ପ୍ରାଧ୍ୟାପକ ଡ. ଗୋପାଳ କୃଷ୍ଣ ଆଚାର୍ଯ୍ୟ ପୁସ୍ତକଟିର ସମୀକ୍ଷା କରିଥିଲେ । ବିଶିଷ୍ଟ କର୍କଟରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା ଯୋଗ ଦେଇ ଲେଖିକା ତଥା ନିଜ ଝିଆରୀ ଶ୍ରୀମତୀ ତ୍ରିପାଠୀଙ୍କ ଲେଖକୀୟ ପ୍ରତିଭା ସମ୍ପକରେ ଆଲୋକପାତ କରିଥିଲେ ।

କବୟିତ୍ରୀ ତଥା ଅଧ୍ୟାପିକା ପ୍ରଭାତୀ ଜେନା ସଭା ସଂଯୋଜନା କରିଥିଲେ । କବୟିତ୍ରୀ ଶ୍ରୀମତୀ ତ୍ରିପାଠୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ ,ଏହି ପୁସ୍ତକ ଲେଖିବା ପଛରେ ତାଙ୍କ ପରିବାର ପୂର୍ଣ୍ଣ ସହଯୋଗ ଓ ସମର୍ଥନ ରହିଥିବା ବେଳେ ତାଙ୍କ ସ୍ୱାମୀ ଶ୍ରୀଯୁକ୍ତ ସଞ୍ଜୀବ ମହାପାତ୍ରଙ୍କ ବିଶେଷ ଅବଦାନ ଥିଲା । ଏହି ପୁସ୍ତକଟି ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଜାଣିବା ପାଇଁ ଅନେକ ଭାବରେ ସହାୟକ ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କବୀ ରଶ୍ମି ସାମଲ, ପୁଷ୍ପଲତା ମିଶ୍ର ଓ ଇତିଶ୍ରୀ ପତି ଉନ୍ମୋଚିତ ପୁସ୍ତକ ‘ଅନୁଭବୀ ଠାକୁର’ରୁ ତିନିଟି ଲେଖାଏଁ କବିତା ଆବୃତ୍ତି କରିଥିଲେ । ଶେଷରେ କବୟିତ୍ରୀ ଗାୟିକା ତଥା ସ୍ତମ୍ଭକାର ଜୟଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗାଳ୍ପିକ ତଥା ପ୍ରାଣୀଚିକିତ୍ସା ବିଭାଗର ନିର୍ଦ୍ଦେଶକ ମଦନମୋହନ ମହାପାତ୍ର, ଲେଖିକାଙ୍କ ଶ୍ୱଶୁର ତଥା ନଳିନୀ ଦେବୀ ମହିଳା ଶିକ୍ଷକ ଶିକ୍ଷା ତାଲିମ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଭାସ୍କର ଚନ୍ଦ୍ର ମହାପାତ୍ର ଓ ବାପା ଶିକ୍ଷାବିତ୍‌ ଆଦିକନ୍ଦ ତ୍ରିପାଠୀ ଯୋଗ କାର୍ଯ୍ୟକ୍ରମରେ ଦେଇଥିଲେ ।

Leave A Reply

Your email address will not be published.

four × five =