ଭୁବନେଶ୍ୱର: ଆସନ୍ତା ୨୦୨୪ ନିର୍ବାଚନ ଓଡ଼ିଶା ରାଜନୀତିରେ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଗତ ନିର୍ବାଚନଗୁଡ଼ିକ ଅପେକ୍ଷା ୨୦୨୪ ନିର୍ବାଚନ ଓଡ଼ିଶା ରାଜନୀତିର ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି କୁହାଯାଉଛି । ବହୁ ବରିଷ୍ଠ ନେତା ବୟସାଧିକ୍ୟ ଯୋଗୁଁ ଏଥର ନିର୍ବାଚନୀ ଦୌଡ଼ରୁ ବାଦ ପଡ଼ିବାର ସମ୍ଭାବନା ରହିଛି । ଏଥି ସହିତ ଅନେକ ବିବାଦୀୟ ନେତାଙ୍କୁ ମଧ୍ୟ ବିଜେଡି ସୁପ୍ରିମୋ ବାଦ ଦେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ ମିଳିବ ନାହିଁ ବୋଲି ବିଜେଡି ତରଫରୁ ଏକରକମ ନିଷ୍ପତ୍ତି ନିଆଯାଇ ସାରିଛି । ଲୋକପ୍ରିୟତା ହ୍ରାସ, ବୟସାଧିକ୍ୟ ତଥା ଅସୁସ୍ଥତା କାରଣରୁ ଅନନ୍ତ ଦାସଙ୍କୁ ଟିକେଟ୍ ମିଳିବ ନାହିଁ ବୋଲି କାରଣ ଦର୍ଶାଯାଇଛି । ତେବେ ଶ୍ରୀ ଦାସ ନିଜର ପୁତ୍ରଙ୍କୁ ଟିକେଟ୍ ଦେବାକୁ ଜିଦ୍ ଧରିଥିଲେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କର ପୁତ୍ର ବିଶ୍ୱଜିତ ଦାସ(କୁନା) ସମିତି ସଭ୍ୟ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଛନ୍ତି । ଯାହାକି ଟିକେଟ୍ ପାଇବା ଦିଗରେ ତାଙ୍କ ପାଇଁ ଏହା ମୁଖ୍ୟ ପ୍ରତିବନ୍ଧକ ସାଜିଛି । ଭୋଗରାଇ ନିର୍ବାଚନ ମଣ୍ଡଳୀର ୫୦ ପଞ୍ଚାୟତରେ ବିଜେଡି ସମର୍ଥିତ ଅଧିକାଂଶ ସରପଞ୍ଚ ଓ ସଭ୍ୟ ବିଜୟୀ ହୋଇଥିଲା ବେଳେ ଅନନ୍ତ ଦାସଙ୍କ ପୁତ୍ର ବିଶ୍ୱଜିତ ଦାସ(କୁନା) ଓ ଭାଇ ଅଚ୍ୟୁତ ଦାସ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଛନ୍ତି ।
ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି କଂଗ୍ରେସ ଠାରୁ ୪୨ ହଜାର ଭୋଟ ବ୍ୟବଧାନରେ ଆଗୁଆ ରହିଥିଲା । ଏଥିରୁ ଗତ ପଞ୍ଚାୟତ ନିର୍ବାଚନରେ ବିଧାୟକ ଶ୍ରୀ ଦାସଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ନେଇ ବିଜେଡି ସୁପ୍ରିମୋଙ୍କୁ ସ୍ପଷ୍ଟ ବାର୍ତ୍ତା ମିଳିସାରିଛି । ସେହିପରି ବିଧାୟକ ଶ୍ରୀ ଦାସଙ୍କ ପୁଅ ଓ ପୁତୁରା ନିର୍ବାଚନ ମଣ୍ଡଳୀର ସମସ୍ତ ଠିକାଦରୀ କାମ ନିଜ ମାର୍ଫତରେ ବାଣ୍ଟୁଥିବାରୁ ଏହା ମଧ୍ୟ ସ୍ଥାନୀୟ ବିଜେଡି କର୍ମୀଙ୍କ ମଧ୍ୟରେ ଏକ ଅସନ୍ତୋଷର କାରଣ ପାଲଟିଛି ।
ଭୋଗରାଇରେ ଅନନ୍ତ ଦାସଙ୍କ ବିକଳ୍ପ ପାଇଁ ବିଜେଡି ଅନ୍ୱେଷଣରେ ଥିବାବେଳେ ଯେଉଁ କେତେ ଜଣ ଆଶାୟୀଙ୍କ ନାମ ଚର୍ଚ୍ଚାକୁ ଆସୁଛି, ସେଥିରେ ସର୍ବପ୍ରଥମେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସଙ୍କ ନାମ ଅନ୍ୟତମ । ଦୀର୍ଘଦିନର ସାମ୍ବାଦିକତା ପରେ ଗୌତମବୁଦ୍ଧ ଦାସ ୨୦୨୧ରେ ବିଜେଡିରେ ଯୋଗ ଦେଇଛନ୍ତି । ଶ୍ରୀ ଦାସଙ୍କ ବାପା ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ଦାସ ୬୦ ଦଶକରେ ଭୋଗରାଇରେ କଂଗ୍ରେସ ଦଳରୁ ବିଧାୟକ ଥିଲେ । ଜଣେ ରାଜନୈତିକ ପରିବାରର ସଦସ୍ୟ ଭାବରେ ଗୌତମବୁଦ୍ଧ ଭୋଗରାଇ ଅଞ୍ଚଳବାସୀଙ୍କ ନିକଟରେ ଅତ୍ୟନ୍ତ ପରିଚିତ ଅଟନ୍ତି । ୨୦୧୮ ମସିହାରୁ ଶ୍ରୀ ଦାସ ଭୋଗରାଇ ଅଞ୍ଚଳରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଡ଼ିତ ଅଛନ୍ତି । ତେବେ ବ୍ଲକ୍ସ୍ତରୀୟ ଅନେକ ନେତା ଗୌତମବୁଦ୍ଧଙ୍କୁ ସମର୍ଥନ କରୁଥିବା ନେଇ ଦଳୀୟ ସୁପ୍ରିମୋଙ୍କୁ ଭେଟି ଜଣାଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ଏମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ରମାକାନ୍ତ କରଣ ସାମିଲ୍ ଥିଲେ ବୋଲି ଶୁଣିବାକୁ ମିଳୁଛି । ଯେହେତୁ ଭୋଗରାଇ ନିର୍ବାଚନ ମଣ୍ଡଳୀ ଗୋଟିଏ ବ୍ଲକକୁ ନେଇ ଗଠିତ, ତେଣୁ ବ୍ଲକ ସଭାପତିଙ୍କ ମତାମତ ବେଶ୍ ଗୁରୁତ୍ୱ ବହନ କରୁଛି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପିର ସ୍ଥିତି ଭୋଗରାଇରେ ସେତେଟା ଭଲ ନଥିବା ବେଳେ ବାପାଙ୍କ ପରିଚୟ ଦୃଷ୍ଟିରୁ ପୁରୁଣା କଂଗ୍ରେସ କର୍ମୀ ମଧ୍ୟ ଗୌତମବୁଦ୍ଧଙ୍କୁ ସମର୍ଥନ କରିବେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଜେଡିର ସ୍ଥାନୀୟ ପୁରୁଖା ନେତା ଆଇନଜୀବୀ ଭୁବନାନନ୍ଦ ଦାସ, ଏମ୍ସରେ ଡାକ୍ତର ଥିବା ସରୋଜ ଦାସ ମଜୁମଦାର ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ମଧ୍ୟ ଟିକେଟ୍ ଆଶାୟୀ ଦୌଡ଼ରେ ଅଛନ୍ତି । ତେବେ ବିଜେଡି ରଣନୀତି ଦୃଷ୍ଟିରୁ ଗୌତମବୁଦ୍ଧ ଟିକେଟ୍ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି ବୋଲି କୁହାଯାଇ ପାରିବ ।