‘ସମ୍ବାଦ’ ଋଣ ମାମଲା: ବର୍ଷାଧିକ କାଳ ଚାଲିପାରେ ଜେରା!

0 330


‘ଇଓଡବ୍ଲୁ’ରେ ହାଜର ହୋଇ ନିଜ ପକ୍ଷ ରଖିଲେ ଓଟିଭି ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ‘ଓଟିଭି’ର ସହଯୋଗୀ ସଂସ୍ଥା ‘ଓଡ଼ିଶା ରିପୋର୍ଟର’ର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟିଙ୍କୁ ଇଓଡବ୍ଲୁ ତରଫରୁ ନୋଟିସ୍‌ ମିଳିବା ପରେ ଶ୍ରୀ ପୃଷ୍ଟି ଆଜି ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଆଜି ସକାଳ ସାଢେ଼ ଦଶଟାରେ ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହୋଇ ଶ୍ରୀ ପୃଷ୍ଟି ନିଜ ମତ ରଖିଥିଲେ । ତେବେ ଦିନ ୩ଟା ପର୍ଯ୍ୟନ୍ତ ଇଓଡବ୍ଲୁ ଏସ୍‌ପି, ଡିଏସ୍‌ପି ଓ ତଦନ୍ତକାରୀ ଅଧିକାରୀ ଶ୍ରୀ ପୃଷ୍ଟିଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଶ୍ରୀ ପୃଷ୍ଟି ‘ସମ୍ବାଦ’ର ପୂର୍ବତନ ସାମ୍ବାଦିକ ହୋଇଥିବାରୁ ସମ୍ବାଦ ଋଣ ମାମଲା ନେଇ ତାଙ୍କୁ ଗୁଡେ଼ଇ ତୁଡେ଼ଇ ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ଏ ସମ୍ପର୍କରେ ଶାନ୍ତିସେନା ନ୍ୟୁଜ୍‌କୁ ଶ୍ରୀ ପୃଷ୍ଟି କହିଛନ୍ତି ଯେ ସମ୍ବାଦରେ ତାଙ୍କ ନାମରେ ରଣ କରାଯାଇଥିଲା କି ନାହିଁ ସେ ସମ୍ପର୍କରେ ଇଓଡବ୍ଲୁ ଅଧିକାରୀ ପ୍ରଶ୍ନ ପଚାରିଥିଲେ । ତାଙ୍କ ନାମରେ ଋଣ ହୋଇଥିଲା ଏବଂ ସେ ଋଣ କମ୍ପାନୀ ଶୁଝି ସାରିଛି । ଦରମା ସମ୍ପର୍କିତ କାଗଜ ପତ୍ର ଜାଲିଆତି ହୋଇଥିଲା କି ନାହିଁ , ସେ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ଏବଂ ସମ୍ବାଦ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କ୍‌ ସେ ସମ୍ପର୍କରେ କହିପାରିବେ ବୋଲି ଶ୍ରୀ ପୃଷ୍ଟି କହିଥିଲେ । ଋଣ ଖିଲାପ ନେଇ ବ୍ୟାଙ୍କ ତରଫରୁ କୌଣସି ନୋଟିସ୍‌ ତାଙ୍କୁ କେବେ ମିଳିନାହିଁ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି । ତେବେ ‘ସମ୍ବାଦ’ର ୪୦୦ କର୍ମଚାରୀଙ୍କ ନାମରେ ଋଣ ହୋଇଥିଲା ବୋଲି ଶୁଣିବାକୁ ମିଳୁଥିଲା ବେଳେ ଯଦି ଇଓଡବ୍ଲୁ ପ୍ରତିଦିନ ଜଣେ ଲେଖାଏଁ କର୍ମଚାରୀଙ୍କୁ ଡାକି ଜେରା କରେ, ତେବେ ଏ ମାମଲା ବର୍ଷାଧିକ କାଳ ଚାଲିବ ବୋଲି କୁହାଯାଉଛି । ସମ୍ବାଦ ଋଣ ମାମଲାର ପରିଣତି କ’ଣ ହେବ, ସେ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି ।

Leave A Reply

Your email address will not be published.

ten − four =