ବିଜେପୁର ପାଇଁ ରୀତା ବିଜେଡି ପ୍ରାର୍ଥୀ, ଆସନ୍ତାକାଲି ବିଜେପିର ପ୍ରାର୍ଥୀ ଘୋଷଣା

0 694

ଭୁବନେଶ୍ବର (ମାନସ ବସ୍ତିଆ) : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି। ନବୀନ ରୀତା ସାହୁଙ୍କ ନାମ ଆଜି ଘୋଷଣା କରିଛନ୍ତି। ଆସନ୍ତା ୩୦ରେ ସେ ମନୋନୟନ ପତ୍ର ଦାଖଲ କରିବେ ।

ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରୀତା ବିଜେଡିରେ ସାମିଲ ହୋଇଥିଲେ। ୨୦୧୮ର ହାଇଭୋଲଟେଜ ଉପନିର୍ବାଚନରେ ରୀତା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ୨୦୧୯ରେ ବି ସେ ବିଜେପୁରରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିଜେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଅବଶ୍ୟ ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ନବୀନ ଏଭଳି ନିଷ୍ପତି ନେଇଥିଲେ। ନିର୍ବାଚନରେ ପ୍ରାୟ ୫୬ ହଜାର ଭୋଟରେ ଜିତିବା ପରେ ନବୀନ ବିଜେପୁରରୁ ଇସ୍ତଫା ଦେଇଥିଲେ। ଫଳରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି। ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନାଁ ଘୋଷଣା କରିଥିଲେ । ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା ରିପୁନାଥ ସେଠ୍ ଓ ତାଙ୍କ ପୁଅ ଅଭିଷେକ ସେଠଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ଆସନ୍ତାକାଲି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଆସନ୍ତାକାଲି ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ବିଜେପୁର ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.

16 + 18 =