ଲକ୍ଷ୍ମୀପ୍ରିୟା ଓଝା
ଛାଡ଼ି ଆସିଥିବା
ଗାଁ ଦାଣ୍ଡ, ଧୂଳିଖେଳ
ମାମୁଘର ନଈପଠା
ଆମ୍ବତୋଟା, କାଶତଣ୍ଡୀ
ବାପାଙ୍କର ଗୋଲପ ବଗିଚା
କଲେଜର ଅଙ୍କାବଙ୍କା ରାସ୍ତା
ପ୍ରାପ୍ତ, ଅପ୍ରାପ୍ତ ପ୍ରେମ
ଶାଶୂଘର ସମ୍ପର୍କ,
ଯେତେ ସବୁ ନିକଟରୁ ଦୂର ।
କିଛି ହଜିଯାଏ,
କିଛି ହାରିବାକୁ ପଡ଼େ,
ସମ୍ପର୍କର ସରଳତାରେ
ଏବେ ଲୁଚକାଳି ଖେଳ ।
ବେସୁରା କଣ୍ଠରେ
ଗୀତ ବାନ୍ଧୁ ବାନ୍ଧୁ, ବାଟ ଭୁଲିଛନ୍ତି
ଜୀବନର ଲୟ ଆଉ ଛନ୍ଦ
ଆକାଶମୁହାଁ ଆଖି ଯୋଗୁଁ
କେତେ ଯେ ରକ୍ତାକ୍ତ ହୋଇଛି ପାଦ,
ଦିଶିଯାଏ ଏବେ
ଲିଭିଲଭି ଆସୁଥିବା ଦାଗ ।
ଏବେ ଆଉ ପାହାଡ଼ ଚଢ଼ିବାକୁ
ଇଚ୍ଛା ନାହିଁ,
ସମତଳ ଘାସ ଗାଲିଚାର ମୋହ
ହାତଠାରି ଡ଼ାକେ ।
ଭଲ ଲାଗେ ସକାଳର
ଟୋପା ଟୋପା କାକରରେ
ବତୁରି ଥିବା ଫୁଲର ପାଖୁଡ଼ା
ଆଉ ନିରବରେ ଗୀତ ଗାଉଥିବା
ସେଇ ଏକ୍ଲା ପବନର ସ୍ୱର ।