ଭୁବନେଶ୍ୱର,୨୨।୯: କବିକନ୍ୟା ସ୍ମୃତି ପରିଷଦ ପକ୍ଷରୁ ରେଡକ୍ରସ ଭବନରେ ରବିବାର ଦିବଂଗତ କବୟିତ୍ରୀ ଓଁ ଈଶ୍ୱରୀ କବିକନ୍ୟାଙ୍କ ସ୍ମୃତିରେ କବିକନ୍ୟା ସ୍ମୃତି ସମାରୋହ ୨୦୧୯ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଯୋଗ ଦେଇ କହିଛନ୍ତି, ସାହିତ୍ୟ ଓ ସଂସ୍କୃତିର ଆଲୋକ ଜାଳିଛନ୍ତି କବିକନ୍ୟା। ସମାଜକୁ ଆଦର୍ଶ ଓ ଦିଗଦର୍ଶନ ଦେଇଛନ୍ତି। ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ତଥା କବି ଧନଞ୍ଜୟ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ କବି ଅନ୍ନପୂର୍ଣ୍ଣା ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ କବି ବିରଞ୍ଚି ମହାପାତ୍ରଙ୍କ ‘ବଧୂ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସେହିପରି ଦିବଂଗତ ଓଁ ଈଶ୍ୱରୀ କବିକନ୍ୟାଙ୍କ ‘ଅବ୍ୟୟୀଭାବ’ର ୨ୟ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ସମାରୋହରେ କବିକନ୍ୟା ଆସେସ ଆୱାର୍ଡ ପ୍ରଦୀପ୍ତ କୁମାର ମହାନ୍ତି, ଡ. ଆଲୋକ କୁମାର ରାୟ ଓ ବବି ଜୈନଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଗାଳ୍ପିକ ହେମନ୍ତ କୁମାର ଘୋଷାଲଙ୍କୁ କବିକନ୍ୟା ଗଳ୍ପ କଳ୍ପ ସମ୍ମାନ, ଅଜିତ କୁମାର ସାବତଙ୍କୁ କବିକନ୍ୟା କବିତା କଳ୍ପ ସମ୍ମାନ, ସଞ୍ଜୟ ଭଟ୍ଟଙ୍କୁ କବିକନ୍ୟା କଳା କଳ୍ପ ସମ୍ମାନ, ନିହାର ରଞ୍ଜନ ପରିଡ଼ାଙ୍କୁ କବିକନ୍ୟା ତରୁଣ କବିତା କଳ୍ପ ସମ୍ମାନ, ଅର୍ଚ୍ଚନାଙ୍କୁ କବିକନ୍ୟା ତରୁଣ ଗଳ୍ପ କଳ୍ପ ସମ୍ମାନ, କବି ଚିତ୍ତରଞ୍ଜନ ନାୟକ ଓ ଇପ୍ସିତା ଷଡ଼ଙ୍ଗୀଙ୍କୁ କବିକନ୍ୟା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। କବିକନ୍ୟା ସ୍ମୃତି ପରିଷଦର ଉପସଭାପତି କବି ରମେଶ ପତି ସଭା ପରିଚାଳନା ଏବଂ ସମ୍ପାଦକ ଅୟସକାନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସହ ସମ୍ପାଦିକା ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଖଗେଶ୍ୱର ମହତାବଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଅଙ୍ଗୁରବାଳା ପରିଡ଼ା ଓ ଚନ୍ଦ୍ରବିଜୟୀ ମିଶ୍ର ସଂଯୋଜନା କରିଥିଲେ।
ସ୍ମୃତି ପରିଷଦ ତରଫରୁ କବିକନ୍ୟା ସ୍ମୃତି ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି l ଗାଳ୍ପିକ, ଚିତ୍ରଶିଳ୍ପୀ ସଞ୍ଜୟ ଭଟ୍ଟ, ଈପସିତା ଷଡ଼ଙ୍ଗୀ, ହେମନ୍ତ ଘୋସଲା, ଚିତ୍ତରଞ୍ଜନ ନାୟକ ଓ ଅର୍ଚ୍ଚନା ପ୍ରମୁଖଙ୍କୁ କବିକନ୍ୟା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି l