ଜହ୍ନଖୋଜା

0 550


#ଜହ୍ନଖୋଜା, #ମଝିଆକାଶ ଓ #ଭାତୁଡି

ଡ. ମୌସୁମୀ ପରିଡା

ଜହ୍ନ ଦେଖିବାର ଥିଲା ..ମନେନଥିଲା ଜହ୍ନ ଦେଖିବା କେବେଠୁ ସ୍ୱପ୍ନ ହୋଇଯାଇଥିଲା।
ଆଠ ମହଲା ଆପାର୍ଟମେଂଟ୍ ରୁ ଜହ୍ନ ଦିଶିବା ମୁସ୍କିଲ..ଏଠୁ ଦିଶେ ଜ୍ୱଳନ୍ତ ସଂସାରର ଧୂସର ମଲାଟରେ ସବୁଜ ପୁଟ ଦିଆ ଚିତ୍ର,
ମଲା ଆନାକୋଣ୍ଡା ଉପରେ ଧାଉଁଥିବା କେତେ କିସମର କୀଟ ।
ଖାଲି ଯାହା ବଦଳିଯାଏ ରଂଗ,
ସାପ କିନ୍ତୁ ସେମିତି ପଡିଥାଏ..।
ପଡିବାଟା ହିଁ ତା ଭାଗ୍ୟ! କଂକ୍ରିଟ ଜଂଗଲରେ ଗଛମାନେ ଜଗୁଆଳି ପରି କି ଚୁକ୍ତି ପାଳୁଥାନ୍ତି ଯେ ..ବର୍ଷତମାମ ମଣିମାଂକ “ଜୀ ହଜୁରି”
କରିକରି ଅଚଳ ମୁଦ୍ରାରେ।
କେବେକେବେ ରଂଗ-ପଖଳା ଚିତ୍ରପଟ ଛାଇ ହୋଇ ଗୋଡାଏ ତ କେବେ ଅନ୍ଧାର ହୋଇ ଡରାଏ..।
ଭୟ ବି ଅତଡା ଖାଏ ଅନ୍ଧାର ବେଶରେ..
ନିଅନ ଆଲୁଅ ରାତିସାରା ଝୁରି ମରୁଥାଏ ।
ଆଗେ ବାଲକୋନିରୁ ଟିକେ ଯାହା ଦିଶୁଥିଲା ଜହ୍ନ, ସେଠି ଏବେ ଅଟ୍ଟାଳିକାମାନଂକ ଶକ୍ତି ପ୍ରଦର୍ଶନ!
ଅସଂଖ୍ୟ ତ୍ୟାଗ ଭିତରୁ
ଜହ୍ନ ଦେଖିବାକୁ ଟିକେ ତ୍ୟାଗ ଲୋଡାଯାଇପାରେ !

ବାର ମହଲା ଛାତର ଶିଡିଘରେ ଜଗିଥିବା ଦରୁଓ୍ୱାନ୍ କହିଲା- ଛାତକୁ ଯିଵା ମନା…
ଅପରାହ୍ଣରେ ଜଣେ ଏଠୁ ଡେଇଁ ଆତ୍ମହତ୍ୟା କରିଛି..ଛାତ ଏବେ ପୋଲିସ୍ ବାବୁ୍ଂକ ରିସର୍ଚ୍ଚ ପେପର୍ !
ଜହ୍ନ ନଥିଲା ବୋଧେ ଆକାଶରେ,
ସେ ଲୋକକୁ ଆତ୍ମହତ୍ୟାରୁ ରୋକିବାକୁ !
ସେ ହୁଏତ ଜହ୍ନ ଦେଖିବାକୁ ଆସିନଥିଲା..
ଆତ୍ମହତ୍ୟା କରିବାକୁ ଆସିଥିବା ଲୋକର ଜହ୍ନ ସାଥେ ସଂପର୍କ କଣ ଯେ !
ଜହ୍ନ ଆଖି ଆଗେ ସମସ୍ତେ ମରନ୍ତି…ସେ ହିଁ ଯାହା ରୋକେନା..କାଇଁ ରୋକେନା ?
ପଚାରାଯାଇପାରେ ତାକୁ ? ହେଲେ କେମିତି..?
ତା ସହ ଯେ ଦେଖା ହୁଏନି ଆଜିକାଲି ।

ହଁ ତଳକୁ ଆସି ଜହ୍ନ ଦେଖାଯାଇପାରେ…
ସେଠି ବି ଧାଉଁଛନ୍ତି ରାକ୍ଷସ..
ଲହୁଲୁହାଣ ହେବାଟା ବଡକଥା ନୁହଁ ।
ପକ୍ଷୀପଣ ଭଲ ଲାଗେ ଆଜିକାଲି..
ମଝି ଆକାଶଟା ଭାରି ପ୍ରିୟ। ଆକାଶ ଓ ମାଟି ଉଭୟଂକ ଦୁଃଖସୁଖରେ ଜଳିହୁଏ, ଝୁମିହୁଏ !

ସେଦିନ ଆକାଶ ଭର୍ତ୍ତି ମେଘ ଜହ୍ନକୁ ଲୁଚେଇ ଦେଇଥିଲା… ଅହଂକାରୀ ନିଅନ ଲାଇଟ ସେଯାଏଁ ପହଂଚିବା ସ୍ୱପ୍ନ ଥିଲା..ତେବେ ବି ରାସ୍ତାକଡରେ ଶୁଖିଲା ଫୁଟାଣି ମାରୁଥିଲା !

ଖୁବ୍ ଚେଷ୍ଟା କରି ଯାହାକୁ ଭେଟିଲି ସେ ଜହ୍ନ ନଥିଲା, ଥିଲା ତାର ପାଣିଚିଆ ଛାଇ..। କଣ ହଜାଇଥିଲା ସେ କେଜାଣି!
ଆଜିକାଲି ସେ ବି ବିବର୍ଣ୍ଣ..କୋଉ ଦୁଃଖ ତା ଭିତରେ ନିଆଁ ପୁଅାଁଉଛି ଜଣାନଥିଲା ।
ମନ ଭିତରେ କେହି ଜଣେ କହିଲା – ଆଜିକାଲି ଜହ୍ନ ଆକାଶରେ ଉଏଁନି..
ଉଏଁ ରାତି, ପ୍ରତାରଣା ଓ ଅବିଶ୍ୱାସ।

ସେ ବି ହଜାଇଛି ତା ମୌଳିକତା । ଯାହାକୁ ତୁମେ ଜହ୍ନ କହୁଛ ସେ ଧଳା ଭାତୁଡିଟେ ଆକାଶର..!! ପଚାର ଆକାଶକୁ ସେ କଣ ନିଜ ଦେହରୁ କାଟି ସେ ଭାତୁଡିକୁ ତଳକୁ ଫିଂଗିଦେଇ ପାରିବ !!


ମାର୍ଫତ/ ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର, କ୍ୱା.ନଂ- ୩ଆର/୪। ଜଗତସିଂହପୁର

Leave A Reply

Your email address will not be published.

five + nine =