ନୂଆଦିଲ୍ଲୀ : ପାକିସ୍ତାନ ଅଧିନରେ ଥିବା କାଶ୍ମୀରରେ ସନ୍ଧ୍ୟା 4.35 ମିନିଟରେ ଭୂମିକମ୍ପର ବଡ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.3 ଥିବା ରେକର୍ଡ କରାଯାଇଛି । ଏହି ଭୂମିକମ୍ପରେ ସମଗ୍ର ଉତ୍ତର ଭାରତ ଦୋହଲିଛି । ପିଓକେର ଜାଟଲାନା ଅଞ୍ଚଳରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା କୁହାଯାଉଛି, ଯାହା ମୀରପୁର ନିକଟରେ ରହିଛି । ପ୍ରାରମ୍ଭିକ ଖବର ଅନୁସାରେ ପିଓକେର ପ୍ରବଳ କ୍ଷୟକ୍ଷତି ହୋଇଛି । ଏଥିରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ସେହିପରି ରାସ୍ତା ଗୁଡିକରେ ଫାଟ ସୃଷ୍ଟି ହୋଇଛି । ଗାଡି ଗୁଡିକ ମଧ୍ୟ ଭୂମିକମ୍ପରେ ଓଲଟି ଯାଇଛି ।
ପାକିସ୍ତାନର ମୀରପୁରରେ ପ୍ରବଳ କ୍ଷତି ହୋଇଥିବା ଖବର ମିଳିଛି । ଅନେକ ଘର ଏବଂ ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗି ଯାଇଛି । ମୀରପୁରର ଜାଟଲାନର ନଦୀର କୂଳରେ ଛିଡା ହୋଇଥିବା ଗାଡି ଗୁଡିକର ପ୍ରବଳ କ୍ଷତି ହୋଇଛି । ନଦୀରେ ତିଆରି ହୋଇଥିବା ପୋଲ ମଧ୍ୟ ଭାଙ୍ଗି ଚୁରମାର ହୋଇଛି । ପାକିସ୍ତାନର ଜିଓ ନ୍ୟୁଜ ଅନୁସାରେ ନଦୀ କୂଳରେ ପ୍ରାୟ 20ଟି ଗାଁ ରହିଛି, ଯେଉଁଠାରେ ଲୋକମାନେ ଫଶି ରହିଥିବା ଅନୁମାନ କରାଯାଉଛି । 2005 ଅକ୍ଟୋର 8 ତାରିଖରେ ପିଓକେର ଭୂକମ୍ପରେ ପ୍ରବଳ କ୍ଷୟକ୍ଷତି ହୋଇଛି ।
ଜାମ୍ମୁ କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି, ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଖବର ମିଳିଛି । ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂମିକମ୍ପର ବଡ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ପରେ ଲୋକମାନଙ୍କ ମନରେ ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଲୋକମାନେ ନିଜ-ନିଜ ଘର ଏବଂ ଅଫିସରୁ ବାହାରକୁ ପଳି ଆସିଥିଲେ । ଦିଲ୍ଲୀ ସହ କାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ ହୋଇଛି ।