ବିସମ୍ବର

0 770

ବିସମ୍ବର

ପ୍ରସନ୍ନ କୁମାର ସ୍ୱାଇଁ

ବେଳକାଳ ଉଣ୍ଡି
କାହା ଉପରକୁ ଛେପ କି ଟେକା ଟିଏ
ଫିଙ୍ଗିଦେବା
କି କାହା ପାଦ ଚଲା ରାସ୍ତାରେ
ଛୁରୀର ଚାରା ପୋତିବା
କେବଳ ଆତଙ୍କ ନୁହେଁରେ ବିସମ୍ବର!

ନିଜ ନିଜ ଭିତରେ
ଅହଂକାର ଫିଙ୍ଗିବା ବି ଗୋଟେ
ଭୀଷଣ ଆତଙ୍କ !

କେମିତି ବଞ୍ଚିବ ଦେଶ
କେମିତି ବର୍ତିବ ଦେହ!

ଏବେ ବାହାର ପରି ଭିତରେ ବି
ଗୁଳି ଆଉ ଗୁଳୁଗୁଳି ର ଉଚ୍ଚାଟପଣ।

ଛାତି ଭିତରୁ ଚୋରାଇ ନେଲାଣି କିଏ
ଚୋରା ଚଇତାଳି ସାଙ୍ଗେ
ଯେତେ ସବୁ ନାବାଳକ ହସ
ସାବଳିକା ସ୍ବପ୍ନ।

ଦେଵଦାରୁ ପତ୍ର ଗହଳରୁ
ହଡପ କରିନେଲାଣି କିଏ
ଫାଳିକିଆ ଜହ୍ନର ଦୁର୍ଲଭ ଶିହରଣ।

ନିରୁଦିଷ୍ଟ ଏବେ
ଲଲନା ର ଆଜାନୁଲମ୍ବିତ ଲାଜ!
ପୁରୁଷ ପାଲଟି ଯାଏ
ମ୍ରିୟମାଣ ଅପୁରୁଷ।

ପ୍ରତିଥର ଏରୁଣ୍ଡି ଡେଇଁଲା ପରେ
ସରିଯାଏ ତାଭିତରେ କେମିତି କେଜାଣି
ମହଣ ମହଣ ସବୁ
ମଲ୍ଲିମାଳ ଗନ୍ଧ
ଆଉ ଶାସ୍ତ୍ରୀୟ ସାରାଂଶ।

କେମିତି ବଞ୍ଚିବ ପୃଥୀ
କେମିତି ତିଷ୍ଠିବ ପ୍ରେମ ?

ଚୁକ୍ତିର କ୍ୟାଲେଣ୍ଡର ସାରା
ଖାଲି ରଡ଼ନିଆଁ
ଓଜନିଆ ଦାମୀ ହସ୍ତାକ୍ଷର
କାହିଁ ଭଲା ଆର୍ଦ୍ର ଆଲିଙ୍ଗନ?

ସ୍ମିତହାସ୍ୟ ଶୂନ୍ୟ ଦିଗବଳୟ
ଦିଶେ ଗୋଟେ ନିଆରା ନଅଙ୍କ।

ଦର୍ଜା ବାହାରେ ଯେତିକି ନିଆଁ ହୁଳା
ଘର କାଁଥ ରେ ତାଠୁ ବେଶୀ
କାନ୍ଦ ମାନଙ୍କର ଅପରିଚ୍ଛନ୍ନ ଫୋଟୋ ଚିତ୍ର
ମାନଚିତ୍ର ବାହାରେ ଯେତିକି ଷଡ଼ଯନ୍ତ୍ର
ତାଠୁ ବେଶୀ ଭିତରେ ବୌଦ୍ଧିକ ମାରଣାସ୍ତ୍ର!

ବେଳକାଳ ଦେଖି କାହାକୁ
ପଶାଏ ଦେବା
ଖାଲି ଆତଙ୍କ ନୁହେଁରେ ବିସମ୍ବର!

ନିଜକୁ ନିଜ ଭିତରେ ନପାଇବା ସବୁଠୁ
ବେଶୀ ଭୟଙ୍କର ଆତଙ୍କ।

ବିସମ୍ବର!
ଆ ଥରେ ନିଜକୁ ଖୋଜିବା।

Leave A Reply

Your email address will not be published.

8 + 12 =