ଟୋକିଓରେ ‘ନମସ୍ତେ ଇଣ୍ଡିଆ’: ଓଡ଼ିଆ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

0 599

ଟୋକିଓ(ଏଜେନ୍ସି): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜାପାନର ରାଜଧାନୀ ଟୋକିଓରେ ‘ନମସ୍ତେ ଇଣ୍ଡିଆ’ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି । ଏଥିରେ ଓଡ଼ିଶାର କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ତବଲା ବାଦକ ଲିଙ୍ଗରାଜ ଦାସ ଓ ସୀତାର ବାଦକ ସତ୍ୟବାନ ସେଠୀ ନିଜର ବାଦ୍ୟ ପରିବେଷଣରେ ବିଦେଶୀ ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲେ । ଜାପାନର ଦର୍ଶକମାନେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ବିଷୟରେ ଅବଗତ ହୋଇଥିଲେ । ଜାପାନର ୟୋକହାମା, କୋବେ, ଓସାକା, ନାରା, ୱାକାୟାମା ଓ କ୍ୟୋୟଟୋ ସହରରେ ଏହି ଦୁଇ ଓଡ଼ିଆ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଶ୍ୱ ପର୍ଯ୍ୟଟନ ଦିବସ ପୂର୍ବରୁ ଦୀର୍ଘ ଏକମାସ ଧରି ଜାପାନରେ ଓଡ଼ିଆ କଳା ପରମ୍ପରାକୁ ପରିବେଷଣ କରିଆସୁଥିବା ଏହି ଦୁଇ ଓଡ଼ିଆ କଳାକାରଙ୍କୁ ପ୍ରାୟୋଜକ ଥିଲେ ଇଣ୍ଡିଆ-ଜାପାନ ବନ୍ଧୁତା କେନ୍ଦ୍ରର ସଭାପତି ତଥା ପ୍ରବାସୀ ଓଡ଼ିଆ କୁନା ଦାସ । ଯିଏକି ଦୀର୍ଘ ଧରି ଜାପାନରେ ବାସ କରିଆସୁଥିବା ବେଳେ ଓଡ଼ିଶା ଓ ଜାପାନର ବନ୍ଧୁତା ସୃଷ୍ଟିରେ ସହାୟକ ହୋଇଛନ୍ତି । ପୁରୀ ମେରାଇନ୍ ଡ୍ରାଇଭ୍ରେ ଚନ୍ଦ୍ରଶେଖର ଏକାଡେମୀ ସ୍ଥାପନ କରି ଓଡ଼ିଆ ପିଲାଙ୍କୁ ଜାପାନୀ ଭାଷା ଶିକ୍ଷା ଦେବାରେ ମଧ୍ୟ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ । ଭାରତ ତଥା ଓଡ଼ିଶା ଓ ଜାପାନ ମଧ୍ୟରେ ଅଧିକ ସହଯୋଗ ସୃଷ୍ଟି କରିବା ସହ ସାଂସ୍କୃତିକ ଆଦାନପ୍ରଦାନ ତାଙ୍କର ଲକ୍ଷ୍ୟ ରହିଛି ବୋଲି ଇଣ୍ଡିଆ-ଜାପାନ ବନ୍ଧୁତା କେନ୍ଦ୍ରର ସଭାପତି କୁନା ଦାସ କହିଛନ୍ତି ।

Leave A Reply

Your email address will not be published.

twenty + 14 =