ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅର୍ନ୍ତଗତ କଟରା ପଂଚାୟତରେ ଥିବା କଟରା କୋଅପରେଟିଭ୍ ସୋସାଇଟି (ମିନି ବ୍ୟାଙ୍କ)ରେ ଜମାକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ ନେଇ ଆଜି ଜମାକାରୀମାନେ ତିର୍ତୋଲ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଥିଲା । ଏହି ମିନିବ୍ୟାଙ୍କରେ ଦୀର୍ଘ ୩ ବର୍ଷ ହେବ ଟଙ୍କା ହଡ଼ପ ଘଟଣା ଚାଲିଥିଲେ ବି ଜମାକାରୀମାନେ ଟେର୍ ପାଊନଥିଲେ । ପରିଚାଳନା କମିଟି, ସମିତିର ସମ୍ପାଦକ, ସଭାପତି ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ତିର୍ତୋଲ ଶାଖାର ପରିଚାଳକ ଏହି ହଡ଼ପ ଜାଣିପାରିନଥିଲେ । ଗତ ୨ ତାରିଖ ଦିନ ବନ୍ଦାଳ ଗ୍ରାମର ସୁନାକର ମଲ୍ଲିକ ଏକ ଲକ୍ଷ ଟଙ୍କା ଫିକ୍ସ ଡ଼ିପୋଜିଟ୍ର ବଣ୍ଡ ପାଇନଥିବା ସମ୍ପର୍କରେ ବ୍ୟାଙ୍କର ସମ୍ପାଦକ ପ୍ରଦୀପ୍ତ ନାୟକଙ୍କୁ ଅଭିଯୋଗ କରିଥିଲେ । ନାୟକ ଏହି ସମ୍ପର୍କରେ ସମିତିର ସହସମ୍ପାଦକ ତଥା କୋଷାଧ୍ୟକ୍ଷଭାବେ କାର୍ଯ୍ୟ କରୁଥିବା ସୁରେନ୍ଦ୍ର ନାଥ ଖଟୁଆଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଏହାପରେ ଜମାକାରୀମାନେ ବ୍ୟାଙ୍କରେ ଟଙ୍କା ହଡ଼ପ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ବ୍ୟାଙ୍କର ସମ୍ପାଦକଙ୍କୁ ମଧ୍ୟ ଅବଗତ କରାଇଥିଲେ । ସମ୍ପାଦକ ଜମାକାରୀଙ୍କ ବହୁଟଙ୍କା ହେର୍ଫେର୍ ହୋଇଥିବା ଜାଣି ତିର୍ତୋଲ ଶାଖା ପରିଚାଳକ ଦୋଳଗୋବିନ୍ଦ ଖଟୁଆଙ୍କୁ ଅବଗତ କରାଇଥିଲେ । ପରେ ଶତାଧିକ ଜମାକାରୀ ତାଙ୍କ ନିଜ ଆକାଉଣ୍ଟ୍ରୁ ତିନିବର୍ଷହେବ ଏହି ଅର୍ଥ ହଡ଼ପ ହେଉଥିବା ଜାଣିବାପରେ ଗତ ୧୦ତାରିଖ ଦିନ ବ୍ୟାଙ୍କ ସମ୍ମୁଖରେ ହୋହାଲା କରିବା ସହ ଟଙ୍କା ଫେରସ୍ତ ପାଇଁ ଦାବି କରି ବ୍ୟାଙ୍କ ଫାଟକରେ ତାଲା ପକାଇଦେଇଥିଲେ । ସମସ୍ତ କର୍ମଚାରୀ ବ୍ୟାଙ୍କ ଭିତରେ ଥିବାବେଳେ ପୋଲିସ ଓ ତିର୍ତୋଲ ତହସିଲଦାର ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ । ହଡ଼ପ ହୋଇଥିବା ଅର୍ଥ ଚଳିତ ମାସ ୨୫ ତାରିଖ ସୁଧା ଜମାକାରୀମାନେ ଫେରସ୍ତ ପାଇବେ ବୋଲି ତହସିଲଦାର ସୁଜାତା ପାତ୍ର ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ପରିସ୍ଥିତକୁ ଆଖିଆଗରେ ରଖି ସମିତି ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ଏକ ବୈଠକ ବସିଥିଲା । ଏଥିରେ କମିଟିର ସହସମ୍ପାଦକ ତଥା କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଖଟୁଆ ଅର୍ଥ ହଡ଼ପରେ ସମ୍ପୃକ୍ତ ବୋଲି ପରିଚାଳନା ବୋଡର଼୍ ଅଭିଯୋଗ କରିଥିଲା । ପରେ ସମ୍ପୃକ୍ତ ସହସମ୍ପାଦକଙ୍କ ନାମରେ ତିର୍ତୋଲ ଥାନାରେ ଏତଲା ଦେବାପାଇଁ ସମ୍ପାଦକ ପ୍ରଦୀପ୍ତ ନାୟକଙ୍କୁ କୁହାଯାଇଥିଲା । ସମ୍ପାଦକ ଶ୍ରୀଯୁକ୍ତ ନାୟକ ତିର୍ତୋଲ ଥାନାରେ ଖଟୁଆଙ୍କ ନାମରେ ଏତଲା ଦେବାପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସହସମ୍ପାଦକ ଖଟୁଆ ୨୦୦୮ମସିହାରେ ଚାକିରିରୁ ଅବସର କରିଥିଲେ ମଧ୍ୟ କିଭଳିଭାବେ ଏହି ବ୍ୟାଙ୍କ୍ରେ କାର୍ଯ୍ୟକରୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୫ ତାରିଖ ସୁଧା ଜମାକାରୀମାନେ ଟଙ୍କା ଫେରସ୍ତ ନପାଇବାରୁ ଶନିବାର ଦିନ ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତିର୍ତୋଲ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୭ ଘଂଟା ଧରି ଜମାକାରୀମାନେ ଭୋକ ଉପାସରେ ତହସିଲ ସମ୍ମୁଖରେ ଧାରଣା ଦେଇଥିବାବେଳେ ସନ୍ଧ୍ୟା ୫ ଟାରେ ତହସିଲଦାର ସୁଜାତା ପାତ୍ର ପହଂଚି ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ତଦନ୍ତ କରାଯାଇ ସମାଧାନ କରାଯିବବୋଲି ଧାରଣାକାରୀମାନଙ୍କୁ କହିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ବ୍ୟାଙ୍କରେ ୩ ହଜାର ୫ ଶହରୁ ଉର୍ଦ୍ଧ ଜମାକାରୀଙ୍କର ୭୮ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡ଼ପ କରାଯାଇଥିବା ପଛରେ କେବଳ ସହସମ୍ପାଦକ ନା ଅନ୍ୟ ସଦସ୍ୟମାନଙ୍କର ସମ୍ପୃକ୍ତି ରହିଛି ତାହାର ବିଧିବଧ ତଦନ୍ତ ପାଇଁ ଦାବି ହେଉଛି । ଏହି ଧାରଣାରେ ଜମାକାରୀ ସୁରେନ୍ଦ୍ର ସ୍ୱାଇଁ, ଆର୍ତ ସ୍ୱାଇଁ, ରବିନ୍ଦ୍ର ସାହୁ, ଗୋପାଳ ଦଳେଇ, ରଞ୍ଜିତା ସ୍ୱାଇଁ, ବବିନା ମହାରଣା, କାବେରୀ ବେହେରା, କଣ୍ଡେଇ ବେହେରା, କାମୁଲା ଗୋଛାୟତ, ଚିନ୍ମୟ ବାରିକ୍, କବିତା ବେଉରା, ପ୍ରଭଞ୍ଜନ ବିଶ୍ୱାଳ, ଦୋଳଗୋବିନ୍ଦ ବେହେରା, ମାଗୁ ମଲିକ, ଧିରେନ୍ଦ୍ର ନାଥ ବିଶ୍ୱାଳ, ଜାନକୀ ଖଟୁଆଙ୍କ ସମେତ ଶତାଧିକ ଜମାକାରୀମାନେ ତିହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଏହି ଅର୍ଥ ହଡ଼ପ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପରିବ ବୋଲି ମତପ୍ରକାଶ ପାଇଛି ।