କୋଲକାତା: ଆଉ ମାତ୍ର ଦିନ କେଇଟା ପରେ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଆସନ୍ତା ୨୯ରୁ ନବରାତ୍ରୀ ମଧ୍ୟ ଆରମ୍ଭ ହେଇଯାଉଛି। ଦେଶରେ ଅନ୍ୟାନ୍ୟ ସ୍ଥାନ ଭଳି କୋଲକାତାରେ ପ୍ରତିବର୍ଷ ଦୁର୍ଗାପୂଜା ବେଶ୍ ଆଡ଼ମ୍ବରରେ ଓ ଜାକଜମକରେ ପାଳନ କରାଯାଏ। ତେବେ ଏଠାକାର ଦୁର୍ଗାପୂଜାରେ ଏକ ନିଆରାପଣ ଥାଏ। ପ୍ରତିବର୍ଷ ଭଳି ଏଥର ବି ଏବେଠୁ ପୂଜା ପାଇଁ କୋଲକାତା ସହର ଉତ୍ସବମୁଖର ହୋଇଉଠିଲାଣି। ସୂଚନାଯୋଗ୍ୟ, ଚଳିତ ବର୍ଷ କୋଲକାତାର ଏକ ମଣ୍ଡପରେ ମା’ଙ୍କର ସୁନାର ମୂର୍ତ୍ତି ପୂଜା ପାଇବେ, ଯାହାକି ଭାରତ ଇତିହାସରେ ପ୍ରଥମ ଥର ହେବ।
କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର୍ ଦୁର୍ଗାତ୍ସୋବ ସମିତି ଏଥର ପୂଜା ପାଇଁ ମା’ଙ୍କର ୧୩ ମିଟର ଉଚ୍ଚର ସୁନାର ମୂର୍ତ୍ତି ତିଆରି କରୁଛି। ଏହି ମୂର୍ତ୍ତି ପ୍ରାୟ ୫୦ କିଲୋ ସୁନାରେ ତିଆରି ହେଉଛି। ବର୍ତ୍ତମାନର ସୁନା ଦରକୁ ହିସାବକୁ ନେଲେ ଏହାର ମୂଲ୍ୟ ପାଖାପାଖି ୨୦ କୋଟି ଟଙ୍କା ହେବ। ଏହି ମୂର୍ତ୍ତିକୁ ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ ଦିନ ମଣ୍ଡପରେ ସ୍ଥାପନା କରାଯିବ। ଆୟୋଜକମାନେ ଆଶା ରଖିଛନ୍ତି ଯେ ଏହି ମୂର୍ତ୍ତିକୁ ଦେଖିବା ପାଇଁ କେବଳ କୋଲକାତା ନୁହେଁ, ଦେଶବିଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଲୋକମାନେ ଆସିବେ।