ବାଙ୍କୀ,(ଆଶିଷ କୁମାର ମହାପାତ୍ର) : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ଗ୍ରା.ପ ଗଡ଼ଜିତ୍ ଠାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଜଟଣୀ ତରଫରୁ ଅଗ୍ନିନିରାପତ୍ତା ସପଂର୍କିତ ଗାମ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଟଣୀ ଇଣ୍ଡିଆନ୍ ଅଏଲ୍ ତରଫରୁ ସ୍ଥାନୀୟ ଡମପଡ଼ା ଅଗ୍ନିଶମ ବାହିନୀ ସହାୟତାରେ ଏକ ମକଡ୍ରିଲ୍ କାର୍ଯ୍ୟକ୍ରମ କରାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନା କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜଟଣୀ ଇଣ୍ଡିଆନ୍ ଅଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ପରିଚାଳକ ଉପେନ୍ଦ୍ର କୁମାର ମେହୋତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆକସ୍ମିକ ଅଗ୍ନିକାଣ୍ଡରୁ କିଭଳି ଭାବରେ ଜନସାଧାରଣ ରକ୍ଷା ପାଇପାରିବେ ସେ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ତତ୍ ସହିତ ଉପସ୍ଥିତ ବୁଦ୍ଧି ଖଟାଇ ଅଗ୍ନିକାଣ୍ଡ ସମୟରେ ନିଜ ଧନଜୀବନ ରକ୍ଷା ସହିତ ପାଖ ପଡୋଶୀଙ୍କ ସହାୟତା ମଧ୍ୟ କରାଯାଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥିଭାବେ ସହକାରୀ ଯନ୍ତ୍ରୀ ପରିଚାଳନା ଏବଂ ତଦାରଖ ଜଟଣୀର ସୁର୍ଜୀତ୍ ଗୁପ୍ତା , ପରିବେଶ ବିତ୍ ସୁରେନ୍ଦ୍ର କୁମାର ତ୍ରିପାଠୀ, ଡମପଡ଼ା ଅଗ୍ନିଶମ ଅଧିକାରୀ ବସନ୍ତ କୁମାର ପାତ୍ର, ଡମପଡ଼ା ଉପସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଯଜ୍ଞଦୀପେନ୍ ଦେବ୍ ପାଣି ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କୁ ଅଗ୍ନିକାଣ୍ଡର ଭୟାବହତା ଏବଂ ଏହା ଦ୍ୱାରା ହେଉଥିବା କ୍ଷତି ସଂପର୍କରେ ତଥ୍ୟ ରଖିବା ସହିତ କେବଳ ସଚେତନତା ଏବଂ ସତର୍କତା ମାଧ୍ୟମରେ ଦୁର୍ଘଟଣାକୁ ଏଡାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସୁବେଦାର ସନ୍ତୋଷ କୁମାର ପଟ୍ଟନାୟକ, ଶରତ କୁମାର ଜେନା , ନରେନ୍ଦ୍ର ରାଉତ, ଗଗନ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ନିରେଖ ସାହୁ, ପ୍ରେମାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରଚାଳନା ପୂର୍ବକ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।