ନାରୀ

0 709

ସୁକାନ୍ତ ଜେନା

ପାଶବିକତାରେ ପୂର୍ଣ୍ଣତା ଥାଏ ବୋଲି
ସେଦିନ ମୁଁ ଅନୁଭବ କଲି
ଯେଉଁ ଦିନ ସରଳତା ଗୋଟେ ଦୀର୍ଘଶ୍ୱାସ ହୋଇ
ତୁମ କ୍ଲୀବତ୍ୱକୁ ପରିହାସ କଲା ।

ତୁମ ଶୁଖିଲା ମୁହଁ ମୋତେ ଜମା ଭଲ ଲାଗେନି
ଯେମିତି ମୋ ଖୋଲା କେଶ ତୁମର ପସନ୍ଦ ନୁହଁ
ତୁମ ଫିସ୍ ଫିସ୍ କଥା ଚିଡ଼ି ଆଣେ
ଆଉ ସୁଆଗିଆ ଡ଼ାକ ଘୃଣା ।

ତୁମ ବଂଶୀସୁର ଅଯଥା ଯନ୍ତ୍ରଣା ଦିଏ
ଶିହରଣ କେବେ ବି ପାରେନି କିଣି,
ଚୋରା କଦମ୍ବର ଛୁଆଁ ଅବା ଅଣ୍ଡିରା ଚଇତାଳି
ମୁଁ ତ ନିଜେ ଗୋଟେ ଶିହରଣ ଅସଂଖ୍ୟ ରିପୁରେ ।

ତୁମ ଚୁମ୍ବନ ମୋ ପାଇଁ ଅତୀତ
ତୁମ ସ୍ପର୍ଶ ମୋ ପାଇଁ ବି ସ୍ମୃତି,
ତୁମ ସ୍ୱର ଅଚିହ୍ନା ଅସ୍ପଷ୍ଟ ଯାହା
ଆଜି ତୁମ ସାନ୍ନିଧ୍ୟ ବି ଅଲୋଡ଼ା
ମୁଁ ଦେହାତୀତ କିନ୍ନରର ଛାତି,
ଅର୍ଦ୍ଧାଙ୍ଗ ଈଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀ
ନା ପୁରୁଷର ଉଦ୍ଧାମତା କି ନାରୀର ପ୍ରଗଳ୍ଭତା
ମତେ ଛୁଏଁ
ମୁଁ ଇନ୍ଦ୍ରିୟାତୀତ ପୁରୁଷକାରର ଆହ୍ୱାନ ।
ମୁଁ ଏକ ଅଘୋଷିତ ଯୁଦ୍ଧର ସ୍ଫୁଲିଙ୍ଗ
ମୋତେ କେବଳ କଳ୍ପନା କରି ହୁଏ ନିଜର ନୁହଁ ।

Leave A Reply

Your email address will not be published.

7 − five =