ପତ୍ନୀ କର୍କଟ ରୋଗରେ ମରିବା ପରେ ସ୍ୱାମୀଙ୍କ ହୃଦଘାତରେ ପରଲୋକ

0 1,464


କୁଜଙ୍ଗ: ପାରାଦୀପ ବନ୍ଦର ତଥା ବନ୍ଦର ଭିତ୍ତିକ ଶିଳ୍ପ ଏବଂ ପ୍ରଦୂଷଣ କାରଣରୁ କିପରି ଭାବେ ଜନ ଜୀବନ ଅକାଳରେ ଝଡିପଡ଼ୁଛି, ଏହାର ଏକ କରୁଣ ପରିଣତି ଦେଖିବାକୁ ମିଳିଛି କୁଜଙ୍ଗ ବ୍ଳକ ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ । ଏହି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ପତ୍ନୀ କର୍କଟରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ତିନି ମାସ ପରେ ସ୍ୱାମୀ ଆଜି ସକାଳ ସମୟରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେବେ ଏହି ଅଂଚଳରେ ପରିବେଶ ପ୍ରଦୂଷଣ କାରଣରୁ ଅନେକ ଦୂରାରୋଗ୍ୟ ବ୍ୟାଧୀ ଘାତକ ହେଉଥିବାବେଳେ ଅଂଚଳିକ ସୁରକ୍ଷା ସମିତି ପକ୍ଷରୁ ଭୂତମୁଣ୍ଡାଇ ଠାରେ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ ଦାବୀ ଏବେ ଜୋର ଧରିଥିବା ଜଣାପଡ଼ିଛି ।
ପ୍ରକାଶଯେ, କୁଜଙ୍ଗ ବ୍ଳକ ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମର ପ୍ରମିଳା ମହାପାତ୍ର ଲିଭର କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ଗତ ବର୍ଷକ ତଳୁ ସେ ଏହି ରୋଗରେ ପୀଡ଼ିତ ହୋଇଥିବାବେଳେ ତାଙ୍କର ଚିକିତ୍ସାରେ ପରିବାରର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ଶେଷ ହୋଇ ଯାଇଥିଲା । ମାତ୍ର ଏହା ସତ୍ୱେ ସେ ଜୀବନ ଫେରି ପାଇ ପାରିନଥିଲେ । ଫଳରେ ଗତ ତିନିମାସ ତଳେ ତାଙ୍କର ପରଲୋକ ହୋଇ ଯାଇଥିଲା । ତେବେ ଉକ୍ତ ମହିଳାଙ୍କ ସ୍ୱାମୀ ପ୍ରଦୀପ ମହାପାତ୍ର(୫୫) ଆଜି ହୃଦଘାତର ଶିକାର ହେବାପରେ ଭୋର ସମୟରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ପୂର୍ବରୁ ହୃଦରୋଗ ନଥିଲା । କିମ୍ବା ଏଥି ଜନିତ କୋ÷ଣସି ଲକ୍ଷଣ ତାଙ୍କ ଠାରେ ପ୍ରକାଶ ପାଇ ନଥିଲା । ହଠାତ ସେ ଅଣ ନିଶ୍ୱାସୀ ହୋଇ ପଡ଼ିବା ସହିତ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସଜ୍ଞାହୀନ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଶିଳ୍ପ ଜନିତ ପ୍ରଦୂଷଣ କାରଣରୁ ଏହି ପରି ଅକାଳରେ ଜୀବନ ଯାଉଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି । ତେବେ ଅଂଚଳିକ ସୁରକ୍ଷା ସମିତି ପକ୍ଷରୁ ଭୂତମୁଣ୍ଡାଇଠାରେ ତୁରନ୍ତ ଦାବୀ ମୁତାବକ ସୁପରସ୍ପେଶିଆଲିଟି ହସ୍ପିଟାଲ ପାଇଁ ସ୍ଥାନୀୟ ପୂର୍ବତନ ସରପଂଚ ଇଂ. ସଞ୍ଜୟ କୁମାର ସ୍ୱାଇଁ, ଆଂଚଳିକ ସୁରକ୍ଷା ସମିତିର ମୁଖ୍ୟ ଆବାହକ ରଘୁନାଥ ସାହୁ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.

fifteen + 18 =