ତିର୍ତ୍ତୋଲ/ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ପଞ୍ଚାୟତ ର ଜଜାଙ୍ଗ ଗ୍ରାମର ବନମାଳୀ ସ୍ବାଇଁଙ୍କ ପୁଅ ରଶ୍ମିରଞ୍ଜନ ସ୍ବାଇଁ ଓରଫ ଦୀପା (୩୩ବର୍ଷ) ଙ୍କ ମୃତଦେହ କଟରା ପୋଖରୀରୁ ଉଦ୍ଧାର କରାଯାଇଛି।ପ୍ରକାଶ ଥାଉ କି ଦୀପା ଗତ ମଙ୍ଗଳବାର ଦିନ ଠାରୁ ନିଖୋଜ ଥିଲେ।ତେବେ ଆଜି ସକାଳେ କଟରା ଗ୍ରାମର ବୀରକିଶୋର ବାରିକ ଉକ୍ତ ପୋଖରୀକୁ ଶୌଚ ପାଇଁ ଯାଇଥିବା ସମୟରେ ଦୀପା ର ମୃତଦେହ କୁ ଦେଖି ସ୍ଥାନୀୟ ସରପଞ୍ଚ ଶିତିକଣ୍ଠ ସ୍ବାଇଁ ଏବଂ ପଞ୍ଚାୟତ ସମିତି ସଭ୍ୟ ବାଇଧର ବଳ ଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ସରପଞ୍ଚ ସଙ୍ଗେ ସଙ୍ଗେ ତିର୍ତ୍ତୋଲ ଥାନାକୁ ଖବର ଦେବାପରେ ତିର୍ତ୍ତୋଲ ଥାନା ଅଧିକାରୀ ଓ କନକପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ଯୁବକ ଦୀପା ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ଘରକୁ ଫେରନ୍ତି।ମଙ୍ଗଳବାର ସନ୍ଧ୍ୟା ସମୟରେ ଯୁବକ ଜଣକ ଘରେ ଥିବା ସମୟରେ ତାଙ୍କ ପାଖକୁ ଏକ ଫୋନ କଲ ଆସିବାରୁ ଦୀପା ତାଙ୍କ ମା ଙ୍କୁ ମୋର ସାଙ୍ଗ ଜଣେ ଡାକୁଛି ମୁଁ ତାକୁ ଦେଖା କରିବାକୁ ଯାଉଛି କହି ଘରୁ ବାହାରି ଯାଇଥିଲା।ପ୍ରତ୍ୟେକ ଦିନ ଦୀପା ବିଳମ୍ବିତ ରାତିରେ ଫେରୁଥିବା ରୁ ତାଙ୍କ ପରିବାର ଲୋକେ କେହି ସନ୍ଦେହ କରିନଥିଲେ।ତା ପରଦିନ ପର୍ଯ୍ୟନ୍ତ ଦୀପା ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ଦୀପା ଙ୍କର କୌଣସି ଖବର ମିଳୁନଥିଲା।ଆଜି ଦୀପା ର ଗଳା କଟା ହୋଇଥିବା ର ମୃତ ଦେହ କଟରା ପୋଖରୀରୁ ମିଳିଛି।ତେବେ ଗ୍ରାମବାସୀ ଙ୍କ କହିବା ଅନୁସାରେ ସମ୍ପୃକ୍ତ ପୋଖରୀ ମଦ୍ୟପଙ୍କ ଆଡା ସ୍ଥଳ ପାଲଟିଛି।ପୋଖରୀ ନିକଟରେ ଏକ ମଦ ଦୋକାନ ରହିଥିବାରୁ ମଦ୍ୟପ ମାନେ ପୋଖରୀ ନିକଟ ନିକାଞ୍ଚନ ଦେଖି ଆଡା ଜମାଉ ଥିବା ଅଭିଯୋଗ ହୋଇଛି।ତେବେ ତିର୍ତ୍ତୋଲ ପୋଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।