କୁଜଙ୍ଗ(ରଂଜିତ କୁମାର ପଣ୍ଡା ): ଗୁରୁବାର ରାତି ଆଠଟା ସମୟରେ କୁଜଙ୍ଗର ମସ୍ଜିଦ ରେ ରାତ୍ରୀ ଯାପନ କରୁଥିବା ମୁସଲିମ ପର୍ଯ୍ୟଟକଙ୍କୁ ସନେ୍ଦହ କରି କୁଜଙ୍ଗ ପୁଲିସ ଛାନ ଭିନ କରିଥିବା ଜଣାପଡ଼ିଛି । ସେମାନେ କୁଜଙ୍ଗ ସ୍ଥିତ ଜମା ମସଜିଦରେ ଆଜି ରାତ୍ରୀ ଯାପନ କରୁଥିବାବେଳେ କୋ÷ଣସି ସୂତ୍ରରୁ ପୁଲିସ ଏହାର ସୁରାକ ପାଇଥିଲା । ତେବେ ସେମାନଙ୍କର ଅସବାବପତ୍ର, ପାସପୋର୍ଟ ଏବଂ ଭିଷା ଯାଂଚ କରାଯିବାପରେ ସେମାନେ ବିଦେଶୀ ପର୍ଯ୍ୟଟକ ବୋଲି ଜଣାପଡ଼ିଥିଲା ।
ପ୍ରକାଶଯେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁଜଙ୍ଗ ପୁଲିସ ନିକଟକୁ ସୂଚନା ଆସିଥିଲା ଯେ କୁଜଙ୍ଗ ଅଂଚଳରେ କିଛି ବିଦେଶୀ ମୁସଲିମ ଲୋକମାନେ ଅବସ୍ଥାନ କରୁଛନ୍ତି । ସେମାନେ ସନେ୍ଦହ ଜନକ ଅବସ୍ତାରେ କୁଜଙ୍ଗ, ଚଟୁଆ ଆଦି ଅଂଚଳରେ ବୁଲାବୁଲି କରୁଥିଲେ । ସେମାନେ ଆଜି ସେମାନେ ସ୍ଥାନୀୟ ଜମା ମସଜିଦରେ ରାତ୍ରୀ ଯାପନ କରିବା ନେଇ ପୁଲିସ ନିକଟରେ ତଥ୍ୟ ରହିଥିଲା । କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ମସଜିଦକୁ ଯାଇ ସମସ୍ତ ବିଦେଶୀ ନାଗରିକଙ୍କର ପାସପୋର୍ଟ, ଭିଷା ଏବଂ ଆସବାବ୍ ପତ୍ର ତନଖି କରିଥିଲେ । ୧୭ ଜଣ ବିଦେଶୀ ନାଗରିକ ପର୍ଯ୍ୟଟକ ଭାବେ ଆସିଥିବାବେଳେ ସେମାନଙ୍କ ମଧ୍ୟରେ ୧୪ ଜଣ ଇଣ୍ଡୋନେସିଆ ଏବଂ ୩ ଜଣ ମାଲେସିଆ ର ନାଗରିକ ବୋଲି ପୁଲିସ ସ୍ପଷ୍ଟ କରିଛି । ଏଠାରେ ପ୍ରକାଶଯେ, ଏହି ୧୭ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଜରିଆରେ ଆସି ଚଳିତ ମାସ ୨୩ ତାରିଖରେ ଜଗତସିଂହପୁର ଜିଲ୍ଲାରେ ପହଂଚି ଥିଲେ । ସେମାନେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ବିଭିନ୍ନ ସ୍ଥାନ ପରିଭ୍ରମଣ କରି ପୁଣି ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଜରିଆରେ ଦିଲ୍ଲୀ ଫେରିଯିବେ । ଆସାମ ପ୍ରଦେଶର ଫରହତ ଜମାନ ଅହମ୍ମଦ ଏହି ଦଳରେ ଭାଷା ଅନୁବାଦକ ଭାବେ ରହିଥିବା ଜଣାପଡ଼ିଛି ।