ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ) : ଚାହୁଁ ଚାହୁଁ ୧୦ ଦିନ ବିତିଗଲା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର କଟରା ପଞ୍ଚାୟତ ଅନ୍ତର୍ଗତ ଜଜାଙ୍ଗ ଗ୍ରାମର ରଶ୍ମି ରଞ୍ଜନ ସ୍ୱାଇଁଙ୍କ ହତ୍ୟାକାଣ୍ଡର । ବୃଦ୍ଧ ବାପା ବନମାଳି ସ୍ଵାଇଁଙ୍କ ପାଟିରେ ନା ଅଛି ଭାଷା, ନା ଆଖିରେ ଅଛି ଲୁହ ସେ ଏକ ପ୍ରକାର ମୁକ ପାଲଟି ଯାଇଛନ୍ତି l ଅନ୍ତ ଫାଡ଼ି ଜନ୍ମ ଦେଇଥିବା ମା’ ହେମଲତା ସ୍ୱାଇଁ ରୋଜଗାରକ୍ଷମ ପୁଅର ହତ୍ୟାରେ ଶଯ୍ୟାଶାୟୀ, ଏବେ ବି ସେ ପୁଅର ଫେରିବା ପଥକୁ ଚାହିଁଛନ୍ତି l ଗ୍ରାମର ସମସ୍ତ ବାସିନ୍ଦା ରଶ୍ମି ରଞ୍ଜନଙ୍କ ମୃତ୍ୟୁ ରେ ମର୍ମାହତ l ସେ ଥିଲେ ଜଣେ ପରୋପକାରୀ ଯୁବକ, ଅନ୍ୟାୟ ବିରୋଧରେ ସବୁବେଳେ ନେତୃତ୍ୱ ନେଉଥିଲେ l ଗତ ବର୍ଷ ମଦ ବିରୋଧୀ ଅଭିଯାନର ସେ ଥିଲେ କଟରା ପଞ୍ଚାୟତର ମୁଖ୍ୟ ପୁରୋଧା ତେଣୁ ସ୍ଥାନୀୟ ମଦ ଦୋକାନୀଙ୍କ କ୍ରୁ ଚକ୍ଷୁର ସେ ଥିଲେ ମୁଖ୍ୟ ଶତୃ ! ଗରୀବ ଙ୍କୁ ଇନ୍ଦିରା ଆବାସ ହେଉ କି ମୋ କୁଡିଆ ଯଦି ମିଳୁ ନ ଥିଲା ତେବେ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ଯଙ୍କୁ ଏକାକୀ ବିରୋଧ କରୁଥିଲେ ସବୁ ସମୟରେ l ଏମିତି ଜଣେ ସାହସୀ ଯୁବକ, ନିର୍ଭୀକ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେବା ଗୋଟେ ପ୍ରକାରର କୋକୁଆ ଭୟ ସୃଷ୍ଟି କରୁଛି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଯୁବ ପ୍ରତିଭାଙ୍କ ଉପରେ l ଆଜିର ସ୍ୱାର୍ଥପର ଦୁନିଆରେ ତାଙ୍କର୍ ବଦ୍ଗୁଣ ଥିଲା ସେ ସମସ୍ତଙ୍କ ପାଇଁ ଅଣ୍ଟା ଭିଡିଥିଲେ, ହଁ ତାଙ୍କର ବଦ ଗୁଣ ଥିଲା ସେ ମଦ ଦୋକାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ, ତାଙ୍କର ବଦଗୁଣ ଥିଲା ସେ ଦୁର୍ନୀତିଗ୍ରସ୍ତ ସରପଞ୍ଚ ଏବଂ ସମିତି ସଭ୍ଯ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଯାହାର ଫଳ ସ୍ୱରୂପ ସଂସାରକୁ ଭଲ ଭାବରେ ଦେଖିବା ଆଗରୁ ସେମାନଙ୍କ ହାତରେ ଶିକାର ହୋଇ ଚିର ନିଦ୍ରାରେ ଶୋଇଗଲେ ରଶ୍ମି ରଞ୍ଜନ ସ୍ୱାଇଁ ଆଖିରେ ଥିବା ଆଖିଏ ସ୍ୱପ୍ନ ସ୍ୱପ୍ନରେ ରହିଗଲା l ହତ୍ୟାକାରୀ ହତ୍ୟା କାଣ୍ଡ କରି ପୁଣି ବୋଧେ ଅପେକ୍ଷା କରିଛନ୍ତି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଆଉ କାହା ଉପରେ କାରଣ ଆଇନ୍ ର ଲମ୍ବା ହାତ କୁ ଆଜି ଟଙ୍କା ର ସିନ୍ଦୁକ ଭିତରେ ବନ୍ଦୀ କରି ଦେଇଛନ୍ତି ହତ୍ୟାକାରୀ ଙ୍କ ଧନ ଏବଂ କ୍ଷମତା ର ଚାବି ରେ l ସାରା ଜଗତସିଂହପୁର ରେ ଚର୍ଚ୍ଚା ଚାଲିଲାଣି ଓଡିଶା ସରକାରଙ୍କର ” ମୋ ସରକାର ” କେବଳ ରହିଯାଇଛି ଗୋଟେ ପ୍ରହସନ ଭାବରେ ସତେ ଯେମିତି ଉପହାସ କରୁଛି ସମାଜ ର ଶୋଷିତଙ୍କ ଉପରେ l ଏଠି ନ୍ୟାୟ ନ୍ୟାୟ ବୋଲି ଚିତ୍କାର କଲେ ବି ତାହା ପହଞ୍ଚି ପାରୁନି ତଦନ୍ତକାରୀ ପୁଲିସ ଏବଂ ସଂସ୍ଥା ପାଖରେ l ଟେର ପାଉନି ପୋଲିସ , ଟେର ପାଉନି ଗୁଇନ୍ଦା ବିଭାଗ କଟରା ପଞ୍ଚାୟତ ବାସିନ୍ଦା ଜଗତସିଂହପୁର ଏସ୍ପିଙ୍କ ଅଫିସ ଘେରାଉ କରିସାରିଲେଣି , ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଚିଠି ବି ଲେଖା ସରିଲାଣି କିନ୍ତୁ ଆଇନ ଅଲଗା ବାଟରେ ଚାଲିଛି ଏହି ଜିଲ୍ଲା ରେ ! ଏଠି ଏବେ ସବୁ ସରିଲା ପରେ ପ୍ରଶ୍ନ ଉଠେ କାହିଁକି ସରପଞ୍ଚ, ସମିତିସଭ୍ୟ ସ୍ଥାନୀୟ ବିଧାୟକଙ୍କ ସହଯୋଗ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରୁନାହାନ୍ତି ? ଏଠି ଅଛି କି କିଛି ମନ୍ଦ ଉଦେଶ୍ୟ ? ଯେଉଁ ପୋଖରୀ ରେ ତାଙ୍କୁ ମାରିକି ପକେଇ ଦିଆ ଗଲା ସେ ପୋଖରୀ ଲିଜ ନେଇଥିବା ଲୋକଟି କିଏ ଏବଂ ସେ ତାଙ୍କ ତରଫରୁ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ କି ? ସୂଚନା ଅଛି ପୋଖରୀ କୁ କାଳେ କିଛି ଲୋକ ରାତ୍ରୀ ରେ ମାଛ ଛଡ଼ାହୋଇଥିବା ହେତୁ ଜଗୁଥିଲେ ,କିନ୍ତୁ ସେଦିନ ସେ ଲୋକ ଥିଲେ କୁଆଡେ ? ପଚାରିଲେ ମିଳେ ବିଭିନ୍ନ ମତ ବିଭିନ୍ନ ଉତ୍ତର ।
ବିଜେପି ନେତା ଭେଟିଲେ ମୃତ ରଶ୍ମିଙ୍କ ପରିବାରକୁ
ବିଜେପି ନେତା ବିଭୂପ୍ରସାଦ ତରାଇଙ୍କ ନେତୃତ୍ୱରେ ହରିହର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶ, ଜିଲ୍ଲା କୋଷାଧ୍ୟକ୍ଷ ସୁଧିର ପଣ୍ଡା, ଜୟଲକ୍ଷ୍ମି ମହାନ୍ତି, ଜଗନ୍ନାଥପୁର ମଣ୍ଡଳ ସଭାପତି ପ୍ରମୋଦ ବାରିକ୍, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ସୁତାର, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ଦାଶ, ଜିଲ୍ଲା ସମ୍ପାଦକ ଏସ.ସି ମୋର୍ଚ୍ଚା ସାଗର ଦାସ, ଶାରଳା ମଣ୍ଡଳ ଯୁବମୋର୍ଚ୍ଚା ଉପସଭାପତି ରୁପକ ଖୁଣ୍ଟିଆ, ବିନୋଦ ରାଉତ, ରଞ୍ଜନ ମଲ୍ଲିକ, ପରିକ୍ଷିତ ପରିଡ଼ା, ନାରାୟଣ ମଲ୍ଲିକ, ସମରେନ୍ଦ୍ର ରାଉତ, ଅଭୟ ରାଉତ ପ୍ରମୁଖ ମୃତ ରଶ୍ମିଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ପ୍ରକୃତ ହତ୍ୟାକାରୀଙ୍କୁ ଧରିବାପାଇଁ ତିର୍ତ୍ତୋଲ ଥାନାଅଧିକାରୀ ଙ୍କୁ ଭେଟି ଦାବୀ କରିଥିଲେ ।