ଅଯୋଧ୍ୟାରେ ହେବ ରାମ ମନ୍ଦିର

0 784

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ। ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।  ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ଼କୁ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ୫ ଏକର ଜମିର ମାଲିକାନା ସତ୍ତ୍ୱ ଏ ସଂପର୍କୀତ ଏକ ଟ୍ରଷ୍ଟକୁ ଦେବାକୁ କହିଛନ୍ତି। କେନ୍ଦ୍ର ସରକାର ଏହି ଟ୍ରଷ୍ଟ ଗଠନ କରିବେ। ଏହାସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଟ୍ରଷ୍ଟ ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇ କହିଛନ୍ତି, ବାବ୍ରି ମସଜିଦ୍ ଖାଲି ଜମିରେ ତିଆରି ହୋଇନାହିଁ। ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା। ଏହାପରେ ଦ୍ୱାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କୌଣସି ତଥ୍ୟ ମିଳିନାହିଁ। ଏଏସ୍‌ଆଇ ରିପୋର୍ଟ ଅନୁସାରେ ନିର୍ମାଣ ତଳେ ମନ୍ଦିରର ଢାଞ୍ଚା ରହିଛି। ତେବେ ମନ୍ଦିର ଭଙ୍ଗାଯାଇ ମସ୍‌ଜିଦ୍ କରାଯାଇଥିବାର ସ୍ପଷ୍ଟ ପ୍ରମାଣ ମିଳୁନାହିଁ।

କୋର୍ଟ ଆହୁରି କହିଛନ୍ତି ଯେ ହିନ୍ଦୁୁ ମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇ ପାରିବ ନାହିଁ। ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି ବୋଲି ହିନ୍ଦୁ ମାନଙ୍କର ଦୃଢ଼ ବିଶ୍ୱାସ ରହିଛି। ତେବେ କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ। ଆଇନ ଅନୁଯାୟୀ ଜମି ବିବାଦର ମାଲିକାନା ବିଚାର କରାଯିବ। ମୁସଲିମ୍ ମାନେ ଜମି ଉପରେ ଏକାକୀ ମାଲିକନା ଜାହିର କରିପାରିବେନି। ଇଂରେଜ ଅମଳ ପର୍ଯ୍ୟନ୍ତ ସେଠାରେ ନମାଜ ପାଠ କରାଯାଉଥିବାର ପ୍ରମାଣ ନାହିଁ। ଇଂରେଜ ଆସିବା ପୂର୍ବରୁ ସେଠାରେ ହିନ୍ଦୁମାନେ ପୂଜା କରୁଥିଲେ। ରାମ ଚଉତରା ଓ ସୀତା ରୋଷେଇ ସ୍ଥଳରେ ହିନ୍ଦୁମାନେ ପୂଜା କରୁଥିଲେ। ରାମ ଜନ୍ମଭୂମି ମସ୍‌ଜିଦ୍ ଭିତରେ ରହିଥିବା ହିନ୍ଦୁ ବିଶ୍ୱାସ କରୁଛନ୍ତି।

ଏହି ରାୟ ସହିତ ଶିଆ ୱାକଫ ବୋର୍ଡର ଆବେଦନ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ। ସର୍ବସମ୍ମତି କ୍ରମେ ଶିଆ ୱାକଫ ବୋର୍ଡର ଆବେଦନ ଖାରଜ ହୋଇଛି। ବାବରଙ୍କ ସମୟରେ ମୀର ବାକି ଏହି ମସଜିଦ୍ ତିଆରି କରିଥିଲେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ନିର୍ମୋହି ଆଖଡ଼ାର ଆବେଦନ ମଧ୍ୟ ଖାରଜ ହୋଇଛି। ନିର୍ମୋହି ଆଖଡ଼ା ନିଜକୁ ମନ୍ଦିର ସେବାୟତ ବୋଲି ଦାବି କରୁଥିଲା। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି। ସୁପ୍ରିମ୍‌କୋର୍ଟଙ୍କ ଏହି ରାୟରେ ଅଲ ଇଣ୍ଡିଆ ମୁସଲିମ ପର୍ଶନଲ ଲ ବୋର୍ଡ ସନ୍ତୁଷ୍ଟ ହୋଇନାହିଁ। ତେବେ କୋର୍ଟଙ୍କ ରାୟକୁ ସମ୍ମାନ ଦେବ ବୋଲି କହିଛି। ସୂଚନାଯୋଗ୍ୟ, ୬ ଅଗଷ୍ଟରୁ ସୁପ୍ରିମକୋର୍ଟ ଏହି ମାମଲାରେ ଲଗାତାର ୪୦ ଦିନ ଧରି ଶୁଣାଣି କରିଥିଲେ। ଅକ୍ଟୋବର ୧୬ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଉ ଏବେ ୯୬ ଦିନ ପରେ ସୁପ୍ରିମକୋର୍ଟ ରାୟ ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ (ଆଗାମୀ ପ୍ରଧାନ ବିଚାରପତି), ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌ ଅବ୍ଦୁଲ ନାଜୀର ଏହି ମାମଲାର ଶୁଣାଣି କରିଥିଲେ।

Leave A Reply

Your email address will not be published.

19 − eighteen =